ଭୁବନେଶ୍ୱର,୧୮/୦୮(ପିପିଟି ): କେବଳ ଆଇନଗତ ଅନୁପାଳନ ମଧ୍ୟରେ ସୀମିତ ନ ରହି କର୍ପୋରେଟ ସଂସ୍ଥାଗୁଡିକ ଓଡ଼ିଶାର ବିକାଶରେ ଦାୟିତ୍ୱବାନ ସହଯୋଗୀ ଭାବେ କାର୍ଯ୍ୟ କରିବା ସହ ସିଏସଆରକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ଓଡ଼ିଶାର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି ।
ମଙ୍ଗଳବାର ଦିନ ଭୁବନେଶ୍ୱରରେ ଓଡ଼ିଶା ସରକାରଙ୍କ ସାଧାରଣ ଉଦ୍ୟୋଗ (ପବ୍ଲିକ ଏଣ୍ଟରପ୍ରାଇଜେସ) ବିଭାଗ ସହଯୋଗରେ ଏବଂ ଓଡ଼ିଶା କର୍ପୋରେଟ ଫାଉଣ୍ଡେସନ ଓ ଫ୍ରିଡମ ଏଡୁର ମିଳିତ ଆନୁକୂଲ୍ୟରେ ଆୟୋଜିତ ‘ବ୍ରିଜ ଭାରତ ସମ୍ମିଳନୀ ୨୦୨୬ ଓ “କର୍ପୋରେଟ ସାମାଜିକ ଦାୟିତ୍ୱ: ଦେଖାଯାଉଥିବା ସମସ୍ୟା ଓ ଚ୍ୟାଲେଞ୍ଜ” ଶୀର୍ଷକ ଜାତୀୟ ସେମିନାରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, କମ୍ପାନି ଆଇନ ୨୦୧୩ ଅଧୀନରେ ଭାରତର ସିଏସଆର ଢାଞ୍ଚା କର୍ପୋରେଟମାନଙ୍କ ପାଇଁ ସାମାଜିକ ବିକାଶରେ ଅଂଶଗ୍ରହଣର ଏକ ସଂରଚିତ ବ୍ୟବସ୍ଥା ସୃଷ୍ଟି କରିଛି। ଏହା ମାଧ୍ୟମରେ ସ୍ୱାସ୍ଥ୍ୟ, ଶିକ୍ଷା, ଜୀବିକା, ମହିଳା ସଶକ୍ତିକରଣ, ପରିବେଶ ସ୍ଥିରତା, ଗ୍ରାମୀଣ ବିକାଶ ଓ ବିପର୍ଯ୍ୟୟ ପରିଚାଳନା ଭଳି କ୍ଷେତ୍ରକୁ ସମ୍ବଳ ଯୋଗାଇ ଦିଆ ଯାଇପାରୁଛି ।
ରାଜ୍ୟପାଳ ଏହା ମଧ୍ୟ କହିଥିଲେ ଯେ ଅନୁପାଳନ (Compliance) କେବେବି ସିଏସଆରର ଲକ୍ଷ୍ୟ ହେବା ଉଚିତ ନୁହେଁ । ଖର୍ଚ୍ଚ କରି ରିପୋର୍ଟ ଦେବା ପଦ୍ଧତି ଅପେକ୍ଷା ରଣନୀତିକ, ଅଂଶଗ୍ରହଣମୂଳକ ଓ ଫଳାଫଳ-କେନ୍ଦ୍ରିତ ମଡେଲକୁ ଯିବାର ଆବଶ୍ୟକତା ତଥା ବିଶ୍ୱସନୀୟ କାର୍ଯ୍ୟକାରିତା, ଅଧିକ ଗୋଷ୍ଠୀ ଅଂଶଗ୍ରହଣ ଓ ସିଏସଆର ପଦକ୍ଷେପର ମାପଯୋଗ୍ୟ ମୂଲ୍ୟାଙ୍କନର ଆବଶ୍ୟକତା ଉପରେ ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ।
ଇସ୍ପାତ, ବିଦ୍ୟୁତ, ଖଣି ଓ ଉତ୍ପାଦନ ଭଳି କ୍ଷେତ୍ରରେ ଦ୍ରୁତ ଶିଳ୍ପାୟନ ସହ ପରିବେଶ ପ୍ରତି ଦାୟିତ୍ୱ, ଜଳବାୟୁ ସହନଶୀଳତା ଓ ଗୋଷ୍ଠୀ କଲ୍ୟାଣକୁ ଗୁରୁତ୍ୱ ଦେବା ଉଚିତ ବୋଲି ରାଜ୍ୟପାଳ କହିଛନ୍ତି। ସିଏସଆର ମାଧ୍ୟମରେ ଶିକ୍ଷା, ସ୍ୱାସ୍ଥ୍ୟସେବା, ପାନୀୟ ଜଳ, ପୁଷ୍ଟି, ଜୀବିକା, ଦକ୍ଷତା ବିକାଶ, କ୍ରୀଡ଼ା, ଗ୍ରାମୀଣ ବିକାଶ ଓ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତିକୁ ପ୍ରାଥମିକତା ଦେବାକୁ ଶିଳ୍ପମାନଙ୍କୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି।
ଶିକ୍ଷାକୁ ଏକ ପ୍ରାଥମିକ କ୍ଷେତ୍ର ଭାବେ ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ, ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ, ଶିକ୍ଷକଙ୍କ ଦକ୍ଷତା ବିକାଶ, ଡିଜିଟାଲ ଶିକ୍ଷା, ଛାତ୍ରବୃତ୍ତି ଓ ମେଣ୍ଟରସିପରେ ବିନିଯୋଗ ବିଶେଷ କରି ଆଦିବାସୀ ଓ ପଛୁଆ ଜିଲ୍ଲାର ପ୍ରଥମ ପିଢ଼ିର ଛାତ୍ରଛାତ୍ରୀଙ୍କ ଜୀବନକୁ ପରିବର୍ତ୍ତନ କରିପାରେ।
ଖଣି ଓ ବୃହତ ଶିଳ୍ପ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ଅଞ୍ଚଳରେ ଜଙ୍ଗଲ ଓ ଜୈବ ବିବିଧତା ସଂରକ୍ଷଣ, ଜଳ ସୁରକ୍ଷା, ଜୀବିକା ପୁନଃସ୍ଥାପନ, ସ୍ଥାନୀୟ ନିଯୁକ୍ତି ଓ ମହିଳା ନେତୃତ୍ୱାଧୀନ ଉଦ୍ୟୋଗ ପାଇଁ ଅଧିକ କର୍ପୋରେଟ ସହଯୋଗ ବୃଦ୍ଧି ଉପରେ ରାଜ୍ୟପାଳ ମତ ପ୍ରକାଶ କରିଥିଲେ। ଓଡ଼ିଶା ବାତ୍ୟା ଓ ଅନ୍ୟାନ୍ୟ ବିପର୍ଯ୍ୟୟ ପ୍ରତି ସମ୍ବେଦନଶୀଳ ହୋଇଥିବାରୁ ବିପର୍ଯ୍ୟୟ ହ୍ରାସ ଓ ପ୍ରସ୍ତୁତି ଉପରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ଉପରେ ମଧ୍ୟ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ।
ଗୋଷ୍ଠୀଗୁଡ଼ିକ କେବଳ ପ୍ରକଳ୍ପର ଲାଭାର୍ଥୀ ହେବା ଉଚିତ ନୁହେଁ, ବରଂ ସେଗୁଡ଼ିକର ଖସଡ଼ା ପ୍ରସ୍ତୁତି ଏବଂ ବଜାୟ ରଖିବାରେ ସକ୍ରିୟ ଅଂଶୀଦାର ହେବା ଉଚିତ ବୋଲି ରାଜ୍ୟପାଳ କହିଥିଲେ ।
ସରକାର, ଶିଳ୍ପ, ଶିକ୍ଷାନୁଷ୍ଠାନ, ନାଗରିକ ସମାଜ ଓ ସ୍ଥାନୀୟ ଗୋଷ୍ଠୀ ମଧ୍ୟରେ ଅଧିକ ସମନ୍ୱୟର ଆବଶ୍ୟକତା ସମ୍ପର୍କରେ ମଧ୍ୟ ରାଜ୍ୟପାଳ ଅବତାରଣା କରି କହିଥିଲେ ଯେ, କର୍ପୋରେଟ ପ୍ରଯୁକ୍ତି, ଦକ୍ଷତା, ନବସୃଜନ ଓ ସମ୍ବଳ ସାମାଜିକ ପ୍ରାଥମିକତା ସହିତ ସଂଯୁକ୍ତ ହେଲେ ସିଏସଆର ଏକ “ଉଭୟ ପକ୍ଷର ଲାଭ” ବ୍ୟବସ୍ଥା ପରିସ୍ଥିତି ସୃଷ୍ଟି କରିପାରେ। ଲାଭ, ଗୋଷ୍ଠୀ ଏବଂ ପୃଥିବୀ- ଏହି ତିନିଟି ଦିଗର ସମନ୍ୱୟ ନୀତିକୁ ସ୍ଥାୟୀ କର୍ପୋରେଟ ବିକାଶର ମାର୍ଗଦର୍ଶକ କରିବା ଉଚିତ ବୋଲି ରାଜ୍ୟପାଳ ଉଲ୍ଲେଖ କରିଥିଲେ।
ଏତତବ୍ୟତୀତ ସୁପରିକଳ୍ପିତ ସିଏସଆର ପଦକ୍ଷେପଗୁଡ଼ିକ ବିକଶିତ ଓଡ଼ିଶା @୨୦୩୬ ର ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବା ଏବଂ ବିକଶିତ ଭାରତ @୨୦୪୭ ର ବୃହତ୍ତର ଜାତୀୟ ଲକ୍ଷ୍ୟରେ ଯୋଗଦାନ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ବୋଲି ରାଜ୍ୟପାଳ କହିଥିଲେ।
ଏହି ଅବସରରେ ମାନ୍ୟବର ସାଂସଦ କନ୍ଧମାଳ ଶ୍ରୀ ସୁକାନ୍ତ କୁମାର ପାଣିଗ୍ରାହୀ, ମାନ୍ୟବର ସାଂସଦ ଯାଜପୁର ଡ଼. ରବୀନ୍ଦ୍ର ନାରାୟଣ ବେହେରା, ସାଧାରଣ ଉଦ୍ୟୋଗ ବିଭାଗର କମିଶନର-ତଥା-ଶାସନ ସଚିବ ମହମ୍ମଦ ସାଦିକ୍ ଆଲାମ ଏବଂ IREDA ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର ମହାନ୍ତି ବକ୍ତବ୍ୟ ପ୍ରଦାନ କରିଥିଲେ।
ବ୍ରିଜ ଭାରତ ସମ୍ମିଳନୀ ୨୦୨୬ର ଅଧ୍ୟକ୍ଷ ଏବଂ ଆଇଆଇଏମ ନାଗପୁରର ଭିଜିଟିଙ୍ଗ ପ୍ରଫେସର ଅରୁଣ କୁମାର ରଥ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଫ୍ରିଡମ୍ ଏଡୁ ସର୍ଭିସ ପ୍ରାଇଭେଟ ଲିମିଟେଡର ସିଇଓ ନିଖିଲ ସରାଫ ଧନ୍ୟବାଦ ଅର୍ପଣ କରିଥିଲେ।