ଭୁବନେଶ୍ୱର,୧୮/୦୮(ପିପିଟି):ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୨୦୨୬–୨୭ ଆର୍ଥିକ ବର୍ଷର ୧୪ତମ ଡାସବୋର୍ଡ ସମୀକ୍ଷା ବୈଠକ ଗତକାଲି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ବିଭାଗର ଆର୍ଥିକ ପ୍ରଗତି, ପ୍ରମୁଖ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ, ଭିତ୍ତିଭୂମି ପ୍ରକଳ୍ପ, ସହରୀ ସଂସ୍କାର ଏବଂ ରାଜ୍ୟରେ ଉଦୀୟମାନ ପ୍ରାଥମିକତାଗୁଡ଼ିକର ସମୀକ୍ଷା କରାଯାଇଥିଲା ।
ବୈଠକରେ ଅର୍ବାନ କନକ୍ଲେଭ୍ ୨୦୨୬, ସହରାଞ୍ଚଳ ବନ୍ୟା, ସ୍ୱାୟତ୍ତ ଶାସନ ଦିବସ ୨୦୨୬, ବିଭିନ୍ନ ପ୍ରକଳ୍ପ , ଅର୍ବାନ୍ ଚ୍ୟାଲେଞ୍ଜ ଫଣ୍ଡ, ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଏବଂ ଜିଲ୍ଲାସ୍ତରୀୟ ମନିଟରିଂ ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକର ଅଗ୍ରଗତି ସମୀକ୍ଷା କରାଯାଇଥିଲା । ପ୍ରତ୍ୟେକ କାର୍ଯ୍ୟସୂଚୀର ନିକଟ ତଦାରଖ, ସମସ୍ୟା ଓ ବାଧାଗୁଡ଼ିକର ସମୟୋପଯୋଗୀ ସମାଧାନ ଏବଂ ଯୋଜନାବଦ୍ଧ ପୁଞ୍ଜିନିବେଶର ସୁଫଳ ନାଗରିକମାନଙ୍କ ନିକଟରେ ଦୃଶ୍ୟମାନ କରିବା ପାଇଁ ଦ୍ରୁତ କାର୍ଯ୍ୟାନ୍ୱୟନ ଉପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ପାଢ଼ୀ ଗୁରୁତ୍ୱାରୋପ କରିଥିଲେ ।
୨୦୨୬–୨୭ ଆର୍ଥିକ ବର୍ଷ ପାଇଁ ବିଭାଗର ମୋଟ ବଜେଟ୍ ବ୍ୟବସ୍ଥା ୧୦,୭୨୬.୮୭ କୋଟି ରହିଛି । ପ୍ରମୁଖ କ୍ଷେତ୍ରଗୁଡ଼ିକରେ ବ୍ୟୟ ହାର ବଢ଼ାଇବା, ଅନୁଦାନର ସର୍ବାଧିକ ଓ ପ୍ରଭାବଶାଳୀ ବିନିଯୋଗ ସୁନିଶ୍ଚିତ କରିବା ଏବଂ ଆର୍ଥିକ ବର୍ଷ ଶେଷରେ ଅର୍ଥରାଶି ସରେଣ୍ଡର୍ ହେବାକୁ ଏଡ଼ାଇବା ପାଇଁ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା ।
ସ୍ୱଚ୍ଛତା ଓ ବର୍ଜ୍ୟ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଥିବା ବୈଠକରେ ଦର୍ଶାଯାଇଥିଲା । ‘ସ୍ୱଚ୍ଛ ଓଡ଼ିଶା’ ଅଧୀନରେ ବଜେଟ୍ ବ୍ୟବସ୍ଥାର ୬୨.୫ ପ୍ରତିଶତ ବ୍ୟୟ ହୋଇସାରିଥିବା ବେଳେ କଠିନ ବର୍ଜ୍ୟ ପରିଚାଳନା କ୍ଷେତ୍ରରେ ୬୫.୯ ପ୍ରତିଶତ ଏବଂ ତରଳ ବର୍ଜ୍ୟ ପରିଚାଳନାରେ ୫୬.୪ ପ୍ରତିଶତ ବ୍ୟୟ ହୋଇଛି । ଲେଗାସି ବର୍ଜ୍ୟର ପୁନଃପ୍ରକ୍ରିୟାକରଣ, କମ୍ପ୍ରେସ୍ଡ ବାୟୋ-ଗ୍ୟାସ୍ ପ୍ଲାଣ୍ଟ ସ୍ଥାପନ ଏବଂ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର୍ ଓ ମ୍ୟାଟେରିଆଲ୍ ରିକଭରି ଫାସିଲିଟି ଗୁଡ଼ିକୁ ସୁଦୃଢ଼ କରିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା । ଡ୍ୟାସବୋର୍ଡ ମାଧ୍ୟମରେ ନଗର ସ୍ୱଚ୍ଛତା କାର୍ଯ୍ୟକଳାପର ନିରନ୍ତର ତଦାରଖ ଜାରି ରଖିବାକୁ ମଧ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ଜଳଯୋଗାଣ ଓ ସହରର ଡ୍ରେନେଜ୍କୁ ବୈଠକରେ ଉଚ୍ଚ ପ୍ରାଥମିକତା ଦିଆଯାଇଥିଲା । ୱାଟକୋ ଏବଂ.ପିଏଚ୍ଇଓ ମାଧ୍ୟମରେ କାର୍ଯ୍ୟାନ୍ୱିତ ସୁଜଳ ଓ ୨୪x୭ ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍’ ପଦକ୍ଷେପର ଅଗ୍ରଗତି ସମୀକ୍ଷା କରାଯାଇଥିଲା । ସହରାଞ୍ଚଳ ବନ୍ୟା ପରିଚାଳନାର ବଢ଼ୁଥିବା ଗୁରୁତ୍ୱକୁ ଦୃଷ୍ଟିରେ ରଖି ୫୦ଟି ୟୁ.ଏଲ୍ ବି ରେ ଷ୍ଟର୍ମ-ୱାଟର୍ ଡ୍ରେନେଜ୍ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତି କାର୍ଯ୍ୟକୁ ପ୍ରାଥମିକତା ଭିତ୍ତିରେ ଆଗେଇ ନିଆଯାଉଛି । ସ୍ଥାନୀୟ ଜଳଯୋଗାଣ ଓ ଡ୍ରେନେଜ୍ ସମସ୍ୟାର ସମୟୋପଯୋଗୀ ସମାଧାନ ପାଇଁ ଜିଲ୍ଲାସ୍ତରୀୟ ସମନ୍ୱୟକୁ ମଧ୍ୟ ସୁଦୃଢ଼ କରାଯାଉଛି ।
ସହରାଞ୍ଚଳ ଭିତ୍ତିଭୂମି ଓ ଯୋଗାଯୋଗ ପ୍ରକଳ୍ପଗୁଡ଼ିକର ମଧ୍ୟ ସମୀକ୍ଷା କରାଯାଇଥିଲା । ଛଅଟି ପ୍ରାଥମିକତାପ୍ରାପ୍ତ କମ୍ପ୍ରିହେନସିଭ୍ ଡେଭେଲପମେଣ୍ଟ ପ୍ଲାନ୍ ସଡ଼କ କରିଡର୍ ପାଇଁ ଡିପିଆର ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି । ଏଥିରେ ସୈନିକ ସ୍କୁଲ୍ ଛକ– ଭି ଏସ୍ ଏସ୍ ନଗର, ନୂଆ ଭୁବନେଶ୍ୱର ରେଳ ଷ୍ଟେସନ୍ କରିଡର୍, ପୋଖରୀପୁଟ–ଅନନ୍ତ ବିହାର ସମେତ ଅନ୍ୟାନ୍ୟ ରଣନୀତିକ ଯୋଗାଯୋଗ କରିଡର୍ ସାମିଲ ରହିଛି । ରିଙ୍ଗ୍ ରୋଡ୍ ଓ ଅନ୍ୟାନ୍ୟ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପକୁ ମଧ୍ୟ ସମନ୍ୱିତ ଯୋଜନା ଓ ସମୟବଦ୍ଧ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେଇ ଆଗେଇ ନିଆଯାଉଛି ।
ସହରାଞ୍ଚଳ ଯୋଜନା ଓ ଶାସନରେ ସଂସ୍କାର ଉପରେ ମଧ୍ୟ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ମାନକୀକୃତ ପ୍ରକ୍ରିୟା ଓ ସ୍ପଷ୍ଟ କାର୍ଯ୍ୟାନ୍ୱୟନ ରୋଡ୍ମ୍ୟାପ୍ ମାଧ୍ୟମରେ ଟାଉନ୍ ପ୍ଲାନିଂ ସ୍କିମ୍ଗୁଡ଼ିକୁ ସରଳ ଓ ସୁବ୍ୟବସ୍ଥିତ କରିବା ପାଇଁ ଡେଭେଲପମେଣ୍ଟ ଅଥରିଟି ଓ ୟୁ ଏଲ୍ ବି ଗୁଡ଼ିକୁ ଉତ୍ସାହିତ କରାଯାଉଛି । ଗ୍ରାମାଞ୍ଚଳରେ ବିଲ୍ଡିଂ ପ୍ଲାନ୍ ଅନୁମୋଦନ ପ୍ରକ୍ରିୟାକୁ ମଧ୍ୟ ଅନଲାଇନ୍ କରାଯାଉଛି । ଏଥିସହ ନଗର ଭିତ୍ତିଭୂମି ପାଇଁ ମଡେଲ୍ ପ୍ଲାନ୍ ପ୍ରସ୍ତୁତ କରାଯାଉଛି, ଯାହା ମାନକୀକରଣକୁ ପ୍ରୋତ୍ସାହିତ କରିବା ସହ ନଗର ଉନ୍ନୟନର ଗୁଣବତ୍ତା ବୃଦ୍ଧି କରିବ ।
.ସହରାଞ୍ଚଳ ପରିବହନ ବ୍ୟବସ୍ଥା ଓ ସୁଲଭ ଆବାସ ବୈଠକର ଅନ୍ୟତମ ପ୍ରମୁଖ ଅଂଶ ଥିଲା । ଆଇଟିଏମ୍ଏସ୍ ଓ ପ୍ରସ୍ତାବିତ ମିନି-ବସ୍ ପରିଚାଳନା ସମେତ CRUT ର ଅଗ୍ରଗତି ସମୀକ୍ଷା କରାଯାଇଥିଲା । ଏହା ସହିତ ‘ଆମ ବସ୍” ଓ PM e-Bus ସେବାର ସମ୍ପ୍ରସାରଣ ଉପରେ ମଧ୍ୟ ସମୀକ୍ଷା କରାଯାଇଥିଲା । କଟକ, ବ୍ରହ୍ମପୁର ଓ ରାଉରକେଲାରେ ସୁଲଭ ଆବାସ ପ୍ରକଳ୍ପଗୁଡ଼ିକୁ ଦ୍ରୁତ ଗତିରେ କାର୍ଯ୍ୟାନ୍ୱୟନ କରାଯାଉଛି ଏବଂ ପି ପି ପି ମୋଡ୍ରେ ମଧ୍ୟ ଏହାକୁ ଆଗେଇ ନିଆଯାଉଛି ।
ଡ୍ୟାସବୋର୍ଡରେ ‘ସହଯୋଗ’ ଭଳି ପ୍ରମୁଖ ପଦକ୍ଷେପର ମଧ୍ୟ ସମୀକ୍ଷା କରାଯାଇଥିଲା । ପ୍ରାୟ ୪.୨ ଲକ୍ଷ ଆର୍ଥିକ ଇଡବ୍ଲ୍ୟୁଏସ୍ ପରିବାରଙ୍କ ପାଇଁ ବିଭିନ୍ନ ସରକାରୀ ଯୋଜନାର ସଂଯୋଗ ସୁନିଶ୍ଚିତ କରି ସାଚୁରେସନ୍ ଲକ୍ଷ୍ୟ ହାସଲ କରିବା “ସହଯୋଗ”ର ମୁଖ୍ୟ ଉଦ୍ଦେଶ୍ୟ । ଏଥିସହ ଅର୍ବାନ୍ ଚ୍ୟାଲେଞ୍ଜ ଫଣ୍ଡ, BCPPER, ସୁଲଭ ଆବାସ ପଦକ୍ଷେପ ଏବଂ ଅନ୍ୟାନ୍ୟ ବିଗ୍ ଟିକେଟ୍ ପ୍ରକଳ୍ପର ଅଗ୍ରଗତି ମଧ୍ୟ ସମୀକ୍ଷା କରାଯାଇଥିଲା । ସମ୍ବଲପୁର ଓ ରାଉରକେଲା ପାଇଁ ଅର୍ବାନ୍ ଚ୍ୟାଲେଞ୍ଜ ଫଣ୍ଡ ପ୍ରସ୍ତାବଗୁଡ଼ିକୁ ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ନିକଟରେ ଦାଖଲ ପାଇଁ ପଦକ୍ଷେପ ନିଆଯାଉଛି ।
ଆଗାମୀ ଜିଲ୍ଲାପାଳ ସମ୍ମିଳନୀ ଓ ଅର୍ବାନ୍ କନକ୍ଲେଭ୍ ୨୦୨୬କୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ, କ୍ଷେତ୍ରସ୍ତରୀୟ ତଦାରଖ ଏବଂ ଫଳାଫଳ ଭିତ୍ତିକ କାର୍ଯ୍ୟାନ୍ୱୟନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ଟେକ୍ନିକାଲ୍ ଆସିଷ୍ଟାନ୍ସ ସପୋର୍ଟ ୟୁନିଟ୍ ଏବଂ ସମ୍ପୃକ୍ତ ଭର୍ଟିକାଲ୍ ମୁଖ୍ୟମାନଙ୍କୁ କାର୍ଯ୍ୟସୂଚୀଗୁଡ଼ିକର ନିୟମିତ ତଦାରଖ ଏବଂ ନିର୍ଦ୍ଧାରିତ ସମୟସୀମାର ଅନୁପାଳନ ସୁନିଶ୍ଚିତ କରିବାର ଦାୟିତ୍ୱ ଦିଆଯାଇଛି ।
ଡ୍ୟାସବୋର୍ଡ ସମୀକ୍ଷାରେ ଦ୍ରୁତ କାର୍ଯ୍ୟାନ୍ୱୟନ, ସୁଦୃଢ଼ ନଗର ଭିତ୍ତିଭୂମି, ଉନ୍ନତ ଜନସେବା, ଆର୍ଥିକ ଶୃଙ୍ଖଳା ଏବଂ ନାଗରିକକୈନ୍ଦ୍ରିକ ସହରାଞ୍ଚଳ ଶାସନ ପ୍ରତି ବିଭାଗର ପ୍ରତିବଦ୍ଧତା ପୁନଃପ୍ରତିପାଦିତ ହୋଇଥିଲା । ନିୟମିତ ତଦାରଖ ମାଧ୍ୟମରେ ରାଜ୍ୟର ଲୋକମାନଙ୍କ ଜୀବନଧାରଣର ମାନରେ ଦୃଶ୍ୟମାନ ଓ ସ୍ଥାୟୀ ଉନ୍ନତି ଆଣିବା ଦିଗରେ ସମସ୍ତ ନଗର ଉନ୍ନୟନ ପଦକ୍ଷେପକୁ ଆଗେଇ ନିଆଯିବ ବୋଲି ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା ।