ବୃକ୍ଷରୋପଣ ଅଭିଯାନ ଉତ୍ତରପିଢ଼ି ନିମନ୍ତେ ବରଦାନ ସଦୃଶ ।

0 94

ବ୍ରହ୍ମପୁର,୦୨/୦୭(ପିପିଟି): ଜୁଲାଇ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି ୭୭ତମ ବନ ମହୋତ୍ସବ । ଅତ୍ୟାଧୁନିକ ଯୁଗର ବିପନ୍ନ ପରିବେଶର କ୍ଷତିପୂରକ ଭାବେ ତଥା ଏକ ସବୁଜିମାମୟ ପରିବେଶ ମଧ୍ୟରେ ଜୀବଜଗତର କଲ୍ୟାଣ ନିମନ୍ତେ ବନ ମହୋତ୍ସବ ପାଳନର ପରିକଳ୍ପନା ଉପାଦେୟ ସାବ୍ୟସ୍ତ ହେଉଛି । ବ୍ୟସ୍ତବହୁଳ ଜୀବନ ଭିତରେ ଏପରି ଏକ ମହୋତ୍ସବ ପାଳନ ବ୍ୟାପକ ଜନ ସଚେତନତା ସୃଷ୍ଟି କରିପାରୁଛି । ସ୍କୁଲ୍, କଲେଜ ସ୍ତରରୁ ଆରମ୍ଭ କରି ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନମାନଙ୍କ ପକ୍ଷରୁ ଏହି ମହୋତ୍ସବ ପାଳନ ପୂର୍ବକ ବୃକ୍ଷରୋପଣ ଅଭିଯାନ ଚାଲିଛି । ଏହି କ୍ରମରେ ବ୍ରହ୍ମପୁର କରାପାଲ୍ଲୀ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ପାଳନ ପୂର୍ବକ ବୃକ୍ଷରୋପଣ କରାଯାଇଛି । ପ୍ରଶସ୍ତ ଟାଙ୍ଗରା ମାଟିରେ ସବୁଜିମା ବଳୟ ସୃଷ୍ଟି କରିବା ଲକ୍ଷ୍ୟରେ ଉକ୍ତ ସ୍କୁଲ ପରିସରରେ ପୂର୍ବରୁ ଆରମ୍ଭ ହୋଇଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମ ଆଉ ପାଦେ ଆଗକୁ ବଢ଼ିଛି । ଏଠାରେ କଦମ୍ବ, ଡାଳିମ୍ବ, ଅଁଳା, ଜାମୁ ଓ ପିଜୁଳି ପରି ଚାରା ରୋପଣ କରାଯାଇଛି ।ସେକ୍ରେଟାରୀ,ଜିଲ୍ଲା ନ୍ୟାୟିକ ସେବା କର୍ତ୍ତୃପକ୍ଷ, ଗଞ୍ଜାମ,ବ୍ରହ୍ମପୁର ବ୍ୟୋମକେଶ ନାୟକଙ୍କ ପୌରହିତ୍ୟରେ ଆୟୋଜିତ ଏହି ବୃକ୍ଷରୋପଣ ଅଭିଯାନ ଆଗାମୀ ଦିନରେ ଚାଲୁ ରହିବ ବୋଲି ବିଦ୍ୟାଳୟର ନ୍ୟାୟିକ ସାକ୍ଷରତା କ୍ଲବ ଇନ୍‌ଚ଼ାର୍ଯ (ଏସ୍.ଏଲ୍.ଏଲ୍.ସି) ମଧୁସୂଦନ ମିଶ୍ର ସୂଚ଼ନା ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ନାୟକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସ୍କୁଲ ପିଲାଙ୍କ ଆଗ୍ରହ ଓ ଅବଦାନକୁ ଭୂୟସୀ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଡଭୋକେଟ୍ ସଦାନନ୍ଦ ପାତ୍ର, ଫରେଷ୍ଟର ବାବୁ ସେଠି,ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ସନ୍ତୋଷିନୀ ପାଣିଗ୍ରାହୀ, ଦୀପିକା ଦିଗାଲ ଏବଂ ସି.ସି.ଏ ଇନ୍‌ଚ଼ାର୍ଯ କୁନା ବେହେରା ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରତ୍ୟେକେ ଗୋଟିଏ ଲେଖାଏଁ ଚାରାରୋପଣ କରିଥିଲେ ।

Leave A Reply

Your email address will not be published.