ପୋଲସରା,୦୮/୦୬ (ପିପିଟି) :ପୋଲସରା ବ୍ଳକ୍ କଳମ୍ୱ ଗ୍ରାମ ପଞ୍ଚାୟତ ସ୍ଥିତ ବୀଣାପାଣି ହାଇଟେକ୍ ଷ୍ଟଡି ସେଣ୍ଟର ପକ୍ଷରୁ ବିଶ୍ବ ପରିବେଶ ଦିବସ-୨୦୨୬ ପାଳନ ହୋଇଯାଇଥିଲା। ଅନୁଷ୍ଠାନର ମୁଖ୍ୟ ତଥା ଅଧ୍ୟାପକ ମନୋଜ କୁମାର ସାହୁଙ୍କ ପରିଚାଳନାରେ ଏହି ସଚେତନ ଏବଂ ପ୍ରେରଣାଦାୟୀ କାର୍ଯ୍ୟକ୍ରମ ସେଣ୍ଟର ପ୍ରାଙ୍ଗଣରେ କରାଯାଇଥିଲା । ଏଥିରେ ଅତିଥିଭାବେ ଅଞ୍ଚଳର ସୁନାମଧନ୍ୟ ଶିକ୍ଷାବିତ୍ ତଥା କବି ତ୍ରିନାଥ ପ୍ରଧାନ ଓ ବୃନ୍ଦାବନ ପ୍ରଧାନଙ୍କ ସମେତ ଶିକ୍ଷକ ସନ୍ତୋଷ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅଧ୍ୟୟନରତ ବାଳକ ଓ ବାଳିକାମାନଙ୍କ ମଧ୍ୟରେ ” ବିପଦ ସଂକୁଳ ପୃଥିବୀ ଓ ଆମର ଭୂମିକା” ଶୀର୍ଷକ ଉପରେ ଏକ ବକୃତା ପ୍ରତିଯୋଗିତା କରାଯାଇଥିଲା । ପରେ ଅତିଥିବୃନ୍ଦ ସାମ୍ପ୍ରତିକ ବିଶ୍ୱ ପରିବେଶ ଏବଂ ଜଳବାୟୁ ପ୍ରସଙ୍ଗ ଉପରେ ଆଲୋକପାତ କରିବା ସହିତ ପରିବେଶ ସୁରକ୍ଷା ଏବଂ ସ୍ୱଚ୍ଛତା ପାଇଁ ବର୍ତ୍ତମାନ ସମୟରେ ଛାତ୍ର ଛାତ୍ରୀମାନଙ୍କ ଭୂମିକା ଯଥେଷ୍ଟ ଗୁରୁତ୍ୱ ରହିଛି । ଏଣୁ ବେଳ ଥାଉ ଥାଉ ସତର୍କ ହୋଇଯିବା ନ୍ୟାୟରେ ଛାତ୍ରଛାତ୍ରୀ ମାନେ ଆଗେଇ ଆସି ପରିବେଶକୁ ବଞ୍ଚାଇ ରଖିବାକୁ ବୃକ୍ଷ ରୋପଣ, ପରିମଳ ସ୍ବଚ୍ଛତା ଓ ସଚେତନତା ମୂଳକ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ପରେ ପ୍ରତିଯୋଗିତାର କୃତୀତ୍ୱ ଛାତ୍ରଛାତ୍ରୀମାନଙ୍କୁ ଅନୁଷ୍ଠାନ ତରଫରୁ ଟ୍ରଫି ଏବଂ ପୁରସ୍କାର ଦିଆଯିବା ସହିତ ଗତ ୨୦୨୫-୨୬ ଶିକ୍ଷା ବର୍ଷରେ ପଞ୍ଚାୟତର ଅଧ୍ୟୟନ କରି ପ୍ରଥମ ସ୍ଥାନ ଏବଂ ଟପର ହୋଇଥିବା ଓଏଭି ହାତୀଓଟର ୩ ଜଣ ଛାତ୍ରୀଙ୍କୁ ସ୍ୱତନ୍ତ୍ରଭାବେ ଟ୍ରଫି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇ ସେମାନଙ୍କର ଭବିଷ୍ୟତ ଉଜ୍ଜ୍ୱଳ ଶୁଭକାମନା କରାଯାଇଥିଲା ।
ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା