ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସରେ ଆଇନ ସଚେତନତା କାର୍ଯ୍ୟକ୍ରମ ।

0 0

ଭଞ୍ଜନଗର, ୧୦/୧୦(ପିପିଟି): ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଅବସରରେ ତାଲୁକ ଆଇନ ସେବା କମିଟି, ଭଞ୍ଜନଗର ପକ୍ଷରୁ ଶନିବାର ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ଠାରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନସିକ ସ୍ୱାସ୍ଥ୍ୟ ଆଇନ ଏବଂ ମାନସିକ ଅସୁସ୍ଥତା ଓ ବୌଦ୍ଧିକ ଅକ୍ଷମତା ଥିବା ବ୍ୟକ୍ତିମାନଙ୍କ ପାଇଁ ଜାତୀୟ ଆଇନ ସେବା ପ୍ରାଧିକରଣ ନାଲ୍ସା ର ଆଇନ ସେବା ଯୋଜନା-୨୦୨୪ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା।
ତାଲୁକ ଆଇନ ସେବା କମିଟି, ଭଞ୍ଜନଗରର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ସେଖ୍ ମହମ୍ମଦ କଏସ କାର୍ଯ୍ୟକ୍ରମରେ ଯୋଗଦେଇ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଆଇନଗତ ଅଧିକାର, ଆଇନ ସହାୟତାର ଆବଶ୍ୟକତା ଏବଂ ଅସହାୟ ଓ ଅସୁବିଧାରେ ଥିବା ବ୍ୟକ୍ତିମାନଙ୍କ ପାଇଁ ଉପଲବ୍ଧ ଆଇନ ସେବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।
କାର୍ଯ୍ୟକ୍ରମରେ ତାଲୁକ ଆଇନ ସେବା କମିଟିର ସଦସ୍ୟ ଡଃ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ଓ ଅଳକା ମଞ୍ଜରୀ ପଟ୍ଟନାୟକ ଯୋଗଦେଇ ମାନସିକ ସ୍ୱାସ୍ଥ୍ୟ ପ୍ରତି ସଚେତନତା, ମାନସିକ ଅସୁସ୍ଥତାରେ ପୀଡ଼ିତ ବ୍ୟକ୍ତିଙ୍କ ପ୍ରତି ସହାନୁଭୂତିପୂର୍ଣ୍ଣ ଆଚରଣ ଏବଂ ସେମାନଙ୍କ ଅଧିକାରର ସୁରକ୍ଷା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଗୋବିନ୍ଦ ମହାପାତ୍ର ଏଥିରେ ଉପସ୍ଥିତ ଥିଲେ।

ଏହି ଅବସରରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟାକୁ ଲୁଚାଇ ନ ରଖି ଆବଶ୍ୟକ ସମୟରେ ଚିକିତ୍ସା ଓ ଆଇନଗତ ସହାୟତା ଗ୍ରହଣ କରିବା ସହିତ ମାନସିକ ଅସୁସ୍ଥତାରେ ପୀଡ଼ିତ ବ୍ୟକ୍ତିଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ତାଲୁକ ଆଇନ ସେବା କମିଟି, ଭଞ୍ଜନଗର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମାନସିକ ସ୍ୱାସ୍ଥ୍ୟ ଓ ଆଇନଗତ ଅଧିକାର ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବାର ଏକ ପ୍ରୟାସ କରା ଯାଇଥିଲା।

Leave A Reply

Your email address will not be published.