ବନ୍ୟା କ୍ଷୟକ୍ଷତି ଆକଳନ ନେଇ ଆର୍‌ଡିସିଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ।

0 107

ଛତ୍ରପୁର,୦୨/୧୧(ପିପିଟି):ଗଞ୍ଜାମ ଜିଲ୍ଲାରେ ସମ୍ପ୍ରତି ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ ଯଥାସମ୍ଭବ ଶୀଘ୍ର ଓ ସଠିକ୍ ଭାବେ ସମ୍ପନ୍ନ କରିବାକୁ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ବିଜୟ ଅମୃତ କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି । ଏ ନେଇ ତାଙ୍କ ଅଧ୍ୟକ୍ଷତାରେ ଓସୱାନ୍ ମାଧ୍ୟମରେ ଏକ ପ୍ରସ୍ତୁତି ଓ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ସମସ୍ତ ତହସିଲଦାରଙ୍କୁ ତୁରନ୍ତ କ୍ଷୟକ୍ଷତି ଆକଳନ କାର୍ଯ୍ୟ ଆରମ୍ଭ କରି ଯଥାଶୀଘ୍ର ରିପୋର୍ଟ ଦାଖଲ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।

କ୍ଷୟକ୍ଷତି ଆକଳନ ସମୟରେ ପ୍ରତ୍ୟେକ କ୍ଷେତ୍ରରେ ଉପଯୁକ୍ତ ଦସ୍ତାବିଜ ଓ ଫଟୋଗ୍ରାଫ୍ ସହିତ ସମସ୍ତ ତଥ୍ୟ ସଂଗ୍ରହ ଓ ସଂରକ୍ଷଣ କରିବା ଉପରେ ଆର୍‌ଡିସି ଗୁରୁତ୍ୱାରୋପ କରିଥିଲେ। ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ କ୍ଷୟକ୍ଷତି ଆକଳନ ସମୟରେ ଅଧିକାରୀମାନେ ଉଦାର ଓ ମାନବିକ ଦୃଷ୍ଟିକୋଣ ଆପଣାଇବା ସହ କୌଣସି ଜଣେ ପ୍ରକୃତ କ୍ଷତିଗ୍ରସ୍ତ ଯେପରି ସରକାରୀ ସହାୟତାରୁ ବଞ୍ଚିତ ନ ହୁଅନ୍ତି, ସେଥିପ୍ରତି ସମ୍ପୂର୍ଣ୍ଣ ସତର୍କ ରହିବାକୁ କହିଥିଲେ। ଗ୍ରାମୱାରୀ କ୍ଷୟକ୍ଷତି ଆକଳନ ଓ ତାଲିକା ପ୍ରସ୍ତୁତି କାର୍ଯ୍ୟ ଯଥାଶୀଘ୍ର ଶେଷ କରିବା ସହ ଆବଶ୍ୟକତା ଅନୁଯାୟୀ ଅଧିକ ରାଜସ୍ୱ ଅମିନ ଓ ସର୍ଭେ କର୍ମଚାରୀଙ୍କୁ ଅଧିକ କ୍ଷତିଗ୍ରସ୍ତ ଅଞ୍ଚଳରେ ନିୟୋଜିତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଆକଳନ କାର୍ଯ୍ୟ ଯେତେ ଶୀଘ୍ର ଶେଷ ହେବ, କ୍ଷତିଗ୍ରସ୍ତଙ୍କ ନିକଟରେ ସେତେ ଶୀଘ୍ର କ୍ଷତିପୂରଣ ଓ ସରକାରୀ ସହାୟତା ପହଞ୍ଚିପାରିବ ବୋଲି ସେ କହିଥିଲେ। ଏଥିସହ କ୍ଷତିଗ୍ରସ୍ତ ଜନସାଧାରଣଙ୍କୁ ନିଜର ବ୍ୟାଙ୍କ ଖାତା ବିବରଣୀ ଓ ଆବଶ୍ୟକ ଦସ୍ତାବିଜ ସମ୍ପୃକ୍ତ ତହସିଲ କାର୍ଯ୍ୟାଳୟରେ ଦାଖଲ କରି ଆକଳନ ଓ ସହାୟତା ପ୍ରକ୍ରିୟାରେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି ।

ଜିଲ୍ଲାର ସମସ୍ତ ବ୍ଲକ୍‌ରେ ୧୦ ଜଣିଆ ଦଳ ଗଠନ କରାଯାଇ କୃଷି କ୍ଷୟକ୍ଷତି ଆକଳନ କରାଯିବ । ଏହି କାର୍ଯ୍ୟରେ ଅନ୍ୟ ଜିଲ୍ଲାରୁ ଆସିଥିବା ୧୪୦ ଜଣ କୃଷି ଅଧିକାରୀ ଓ କର୍ମଚାରୀ ସହଯୋଗ କରିବେ । ଆସନ୍ତାକାଲି ଠାରୁ କେନ୍ଦ୍ରୀୟ ଦଳ ମଧ୍ୟ କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲା ଗସ୍ତ କରିବେ। ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନେ ସେମାନଙ୍କ ସହିତ ବିଭିନ୍ନ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବେ। ଆସିକା,ହିଞ୍ଜିଳି, ଦିଗପହଣ୍ଡି ଓ ପୁରୁଷୋତ୍ତମପୁର ଅଞ୍ଚଳର ବ୍ୟାପକ କ୍ଷତିଗ୍ରସ୍ତ ସ୍ଥାନଗୁଡ଼ିକୁ ପରିଦର୍ଶନ କରି କ୍ଷୟକ୍ଷତିର ବାସ୍ତବ ସ୍ଥିତି ଅନୁଧ୍ୟାନ କରାଯିବ ।

ବୈଠକରେ ବିଦ୍ୟୁତ୍ ଓ ଦୂରସଂଚାର ସେବାର ପୁନଃସ୍ଥାପନ ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା । ଧରାକୋଟ ବ୍ୟତୀତ ଅନ୍ୟ ସମସ୍ତ ଅଞ୍ଚଳରେ ବିଦ୍ୟୁତ୍ ସେବା ପୁନଃସ୍ଥାପିତ ହୋଇଥିବା ଟାଟା ପାୱାର ପକ୍ଷରୁ ସୂଚନା ଦିଆଯାଇଥିଲା । ସେହିପରି ଜିଲ୍ଲାର ୫ରୁ ୬ଟି ସ୍ଥାନକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଅଞ୍ଚଳରେ ମୋବାଇଲ୍ ନେଟୱର୍କ ସେବା ସ୍ୱାଭାବିକ ହୋଇଥିବା ଟେଲିକମ୍ କମ୍ପାନୀଗୁଡ଼ିକ ପକ୍ଷରୁ ଜଣାଯାଇଥିଲା । ଅବଶିଷ୍ଟ ଅଞ୍ଚଳରେ ମଧ୍ୟ ଯଥାଶୀଘ୍ର ବିଦ୍ୟୁତ୍ ଓ ମୋବାଇଲ୍ ନେଟୱର୍କ ସେବାର ପୂର୍ଣ୍ଣ ପୁନଃସ୍ଥାପନ ପାଇଁ ଆବଶ୍ୟକ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦିଆଯାଇଥିଲା ।

ବନ୍ୟା ଯୋଗୁଁ ଜନସାଧାରଣ ଅତ୍ୟନ୍ତ ଦୁଃଖ ଓ ଦୁର୍ଦ୍ଦଶା ମଧ୍ୟରେ ରହିଥିବାରୁ ରିଲିଫ୍‌, କ୍ଷୟକ୍ଷତି ଆକଳନ ଓ ପୁନରୁଦ୍ଧାର କାର୍ଯ୍ୟରେ କୌଣସି ପ୍ରକାର ଅବହେଳା କିମ୍ବା ଶିଥିଳତା ବରଦାସ୍ତ କରାଯିବ ନାହିଁ ବୋଲି ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ସ୍ପଷ୍ଟ କରିଥିଲେ । ଲୋକଙ୍କ ଦୁର୍ଦ୍ଦଶାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସମସ୍ତ ଅଧିକାରୀ ଦାୟିତ୍ୱବାନ ଓ ତତ୍ପରତାର ସହ କାର୍ଯ୍ୟ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ, ଦେବଦତ୍ତ ପଣ୍ଡା, ବ୍ରହ୍ମପୁର ମହାନଗର ନିଗମ କମିଶନର ଆକବରମ୍ ଶଶ୍ୟା ରେଡ୍ଡୀ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ବିଭିନ୍ନ ଜିଲ୍ଲାରୁ ଆସିଥିବା ବରିଷ୍ଠ ଅଧିକାରୀ, ଉପଜିଲ୍ଲାପାଳ, ବିଡିଓ, ତହସିଲଦାର ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ ।

Leave A Reply

Your email address will not be published.