ବ୍ରହ୍ମପୁର,୦୨/୧୧(ପିପିଟି): ବିପଦ ଓ ବିପତ୍ତିର ଘନଘଟା ମଧ୍ୟରେ ଯେଉଁ ମଣିଷ ଅସହାୟଙ୍କ ପାଖରେ ସହାୟତାର ହାତ ବଢ଼ାଇଥାଏ,ପ୍ରକୃତରେ ସେ ହିଁ ମାନବିକତାର ଶ୍ରେଷ୍ଠ ପରିଚୟ ଦେଇଥାଏ । ମଣିଷ ପାଇଁ ମଣିଷର ସହାୟତା ହିଁ ମାନବ ଜୀବନର ସବୁଠାରୁ ବଡ଼ ଧର୍ମ। ତେଣୁ କଥାରେ ଅଛି ବିପଦର ବନ୍ଧୁ ହିଁ ପ୍ରକୃତ ବନ୍ଧୁ ।
ସମ୍ପ୍ରତି ବନ୍ୟାର ପ୍ରଳୟଙ୍କରୀ ତାଣ୍ଡବରେ ଗଞ୍ଜାମ ଜିଲ୍ଲାର ଅନେକ ଅଞ୍ଚଳରେ ଜନଜୀବନ ଓ ଜୀବନଜୀବିକା ଗୁରୁତର ଭାବେ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅନେକ ପରିବାରଙ୍କ ଘରଦ୍ୱାର ଜଳମଗ୍ନ ହେବା ସହ ଖାଦ୍ୟ,ପାନୀୟ ଜଳ ଓ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଅଭାବ ଦେଖାଦେଇଛି । ଏଭଳି ଦୁର୍ଦ୍ଦିନରେ ବନ୍ୟା ବିପନ୍ନଙ୍କ ପାଖରେ ଠିଆ ହେବା ଏବଂ ସେମାନଙ୍କ ମୁହଁରେ ହସ ଫୁଟାଇବା ନିଶ୍ଚିତ ଭାବେ ଏକ ମହତ୍ କାର୍ଯ୍ୟ ।
ଏହି ସଙ୍କଟମୟ ମୁହୂର୍ତ୍ତରେ ମାନବିକତାର ଏକ ଉଜ୍ଜ୍ୱଳ ନିଦର୍ଶନ ସୃଷ୍ଟି କରି ବନ୍ୟା ବିପନ୍ନଙ୍କ ସହାୟତା ପାଇଁ ଆଗେଇ ଆସିଛନ୍ତି ଜଣାଶୁଣା ବିଲ୍ଡର ସପ୍ତଗିରି ରିଅଲ୍ ଇଷ୍ଟେଟ୍ର ପରିଚାଳନା ନିର୍ଦ୍ଦେଶକ ତଥା ସମାଜସେବୀ ଲୋହିତ କୁମାର ମଙ୍ଗରାଜ । ଗଞ୍ଜାମ ଜିଲ୍ଲାର ସୁରଡ଼ା, ଆସିକା ଓ ଶେରଗଡ଼ ପରି ବିଭିନ୍ନ ବନ୍ୟା ପ୍ରପିଡିତ ଅଞ୍ଚଳକୁ ନିୟମିତ ଗସ୍ତ କରି ସେଠାକାର ବନ୍ୟା ବିପନ୍ନ ପରିବାରଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରୁଛନ୍ତି । ଏହି ମାନବିକ ସେବା କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତିଦିନ ୪୦୦ରୁ ଊର୍ଦ୍ଧ୍ୱ ପରିବାରଙ୍କ ନିକଟରେ ରିଲିଫ୍ ସାମଗ୍ରୀ ପଞ୍ଚାଉଛନ୍ତି ।
ଶ୍ରୀ ମଙ୍ଗରାଜ କହିଛନ୍ତି ଯେ, ବନ୍ୟା ପରିସ୍ଥିତିରେ ସୁଧାର ଆସିବା ଏବଂ ବିପନ୍ନ ପରିବାରଙ୍କ ଜୀବନ ସ୍ୱାଭାବିକ ହେବା ପର୍ଯ୍ୟନ୍ତ ଏହି ସହାୟତା କାର୍ଯ୍ୟ ନିରବଚ୍ଛିନ୍ନ ଭାବେ ଜାରି ରହିବ। ତାଙ୍କର ଏହି ଉଦାର ପ୍ରୟାସ କେବଳ ଏକ ସହାୟତାମୂଳକ କାର୍ଯ୍ୟ ନୁହେଁ, ବରଂ ମାନବିକତା, ସାମାଜିକ ଦାୟିତ୍ୱବୋଧ ଓ ପରୋପକାରର ଏକ ଅନନ୍ୟ ଉଦାହରଣ। ସାମାଜିକ ଦାୟିତ୍ୱକୁ ହୃଦୟଙ୍ଗମ କରି ଅସହାୟ ପରିବାରଙ୍କ ଦୁଃଖରେ ସାମିଲ ହେବାର ଏହି ମହତ୍ ପ୍ରୟାସ ନିଶ୍ଚିତ ଭାବେ ପ୍ରଶଂସନୀୟ ।
ଶ୍ରୀ ମଙ୍ଗରାଜଙ୍କ ଏହି ମାନବିକତା ପୂର୍ଣ୍ଣ ପଦକ୍ଷେପ ସମାଜର ଅନ୍ୟ ସାମର୍ଥ୍ୟବାନ ବ୍ୟକ୍ତି ଓ ଅନୁଷ୍ଠାନଗୁଡ଼ିକୁ ମଧ୍ୟ ଅସହାୟଙ୍କ ସହାୟତା ପାଇଁ ଆଗେଇ ଆସିବାକୁ ପ୍ରେରଣା ଯୋଗାଇବ ନିଶ୍ଚିତ ।