ପୁରୀ ରଥଯାତ୍ରା -୨୦୨୬: ସମନ୍ବିତ କାର୍ଯ୍ୟକ୍ରମ ପରିଚାଳନା, ଜନତାଙ୍କ ସୁରକ୍ଷା ଏବଂ ଉତ୍ତମ ନୀତିର ଏକବିଶ୍ବସ୍ତରୀୟ ମାଇଲ୍ ଖୁଣ୍ଟ ।
ଡକ୍ଟର ସତ୍ୟଜିତ ନାୟକ, IPS
ପୁରୀର ରଥଯାତ୍ରା କେବଳ ଏକ ଧାର୍ମିକ ପର୍ବ ନୁହେଁ । ଏହା ଆସ୍ଥା, ସଂସ୍କୃତି ଓ ଭକ୍ତିର ଏକ ଜୀବନ୍ତ ପରମ୍ପରା । ଯାହା ପ୍ରତିବର୍ଷ ଭାରତ ଓ ବିଶ୍ବର କୋଟି କୋଟି ଶ୍ରଦ୍ଧାଳୁଙ୍କୁ ଶ୍ରୀକ୍ଷେତ୍ର ପୁରୀକୁ ଆକର୍ଷିତ କରିଥାଏ । ଏହାସହ ଏହା ବିଶ୍ବର ସବୁଠାରୁ ବିଶାଳ ଜନସମାଗମ ପରିଚାଳନାର ଏକ ଅନନ୍ୟ ଉଦାହରଣ ।
ରଥଯାତ୍ରା ୨୦୨୬ର ସଫଳ ପରିଚାଳନା ପ୍ରମାଣ କରିଛି ଯେ, ଆଧୁନିକ ପୋଲିସିଂ ଯଦି ସେବା, ବୃତ୍ତିଗତ ଦକ୍ଷତା ଓ ନବସୃଜନର ମୂଲ୍ୟବୋଧ ଉପରେ ଆଧାରିତ ହୁଏ, ତେବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜକୁ ମଧ୍ଯ ସୁରକ୍ଷିତ, ଶୃଙ୍ଖଳିତ ଓ ସଫଳ ଆୟୋଜନରେ ପରିଣତ କରିହେବ । ଏହି ମଡେଲ କେବଳ ଓଡ଼ିଶା ପାଇଁ ନୁହେଁ, ବରଂ ବିଶ୍ବର ବଡ଼ ବଡ଼ ଜନସମାଗମ ପରିଚାଳନା ପାଇଁ ମଧ୍ଯ ଏକ ଆଦର୍ଶ ।
ଓଡ଼ିଶା ପୋଲିସ ପାଇଁ ରଥଯାତ୍ରା କେବଳ ଆଇନ ଶୃଙ୍ଖଳା ରକ୍ଷାର ଦାୟିତ୍ଵ ନୁହେଁ, ଏହାର ଲକ୍ଷ୍ୟ ଜନସେବା । ପ୍ରତ୍ୟେକ ପୋଲିସ କର୍ମଚାରୀଙ୍କ ଲକ୍ଷ୍ୟ ଥିଲା—ପ୍ରତ୍ୟେକ ଭକ୍ତ ସୁରକ୍ଷିତ ଓ ନିର୍ବିଘ୍ନ ଭାବେ ମହାପ୍ରଭୁଙ୍କ ଦର୍ଶନର ସୁଯୋଗ ପାଆନ୍ତୁ । ବୃଦ୍ଧ ଭକ୍ତଙ୍କୁ ସହାୟତା କରିବା, ବାଟବଣା ଶିଶୁଙ୍କୁ ପରିବାରକୁ ଭେଟାଇବା, ଅସୁସ୍ଥ ଲୋକଙ୍କୁ ଚିକିତ୍ସାରେ ସହଯୋଗ କରିବା ଏବଂ ବାହାରୁ ଆସିଥିବା ଯାତ୍ରୀଙ୍କୁ ମାର୍ଗଦର୍ଶନ କରିବା । ଏସବୁ କାର୍ଯ୍ୟ “ସ୍ବାର୍ଥ ପୂର୍ବରୁ ସେବା” ମନ୍ତ୍ରକୁ ବାସ୍ତବରେ ପରିଣତ କରିଥିଲା ।
ରଥଯାତ୍ରାର ବ୍ୟାପକତା ଅପରେସନାଲ ଦୃଷ୍ଟିରୁ ଅତ୍ୟନ୍ତ ଜଟିଳ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ, ବିଶାଳ ରଥ, ଐତିହ୍ୟପୂର୍ଣ୍ଣ ବଡ଼ଦାଣ୍ଡ, ସଂକୀର୍ଣ୍ଣ ରାସ୍ତା, ସଂବିଧାନିକ ପଦାଧୂକାରୀ, ବିଦେଶୀ ଅତିଥ୍ ଓ ବିଶ୍ବସ୍ତରୀୟ ଗଣମାଧ୍ୟମର ଉପସ୍ଥିତି- ସବୁକିଛି ମିଶିଏହାକୁ ବିଶ୍ବର ଅନ୍ୟତମ କଠିନ ଜନସମାଗମ ପରିଚାଳନାରେ ପରିଣତ କରିଥାଏ ।
ଏହି ବିଶାଳ ଆୟୋଜନର ପ୍ରସ୍ତୁତି ରଥଯାତ୍ରାର ବହୁ ମାସ ପୂର୍ବରୁ ଆରମ୍ଭ ହୋଇଥିଲା । ଓଡ଼ିଶା ସରକାର ଓ ଓଡ଼ିଶା ପୋଲିସର ବରିଷ୍ଠ ନେତୃତ୍ୱଙ୍କ ମାର୍ଗଦର୍ଶନରେ ସୁରକ୍ଷା, ରୁଟ୍ ଇନ୍ସପେକ୍ସନ୍, ଭିଡ଼ ନିୟନ୍ତ୍ରଣ ଓ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ବୈଠକ ଆୟୋଜନ କରାଯାଇଥିଲା । ପ୍ରତ୍ୟେକ ସମ୍ଭାବ୍ୟ ପରିସ୍ଥିତି ପାଇଁ ପୂର୍ବ ପ୍ରସ୍ତୁତି ଓ ବିକଳ୍ପ ଯୋଜନା ପ୍ରସ୍ତୁତ ରହିଥିଲା ।
ରଥଯାତ୍ରାର ଏକ ପ୍ରମୁଖ ସଫଳତା ଥୁଲା ସମନ୍ବିତ କମାଣ୍ଡ ଏବଂ କଣ୍ଟ୍ରୋଲ ସିଷ୍ଟମ୍ । ଓଡ଼ିଶା ପୋଲିସ, ଜିଲ୍ଲା ପ୍ରଶାସନ, ଅଗ୍ନିଶମ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ବିପର୍ଯ୍ୟୟ ପରିଚାଳନା ସଂସ୍ଥା, ଶ୍ରୀମନ୍ଦିର ପ୍ରଶାସନ, ପୌର ସଂସ୍ଥା ଓ ଅନ୍ୟାନ୍ୟ ବିଭାଗ ଏକ ହୋଇ କାମ କରିଥିଲେ । ଏହି ସମନ୍ବିତ ବ୍ୟବସ୍ଥା ତ୍ବରିତ ନିଷ୍ପଭି ଓ ଫଳପ୍ରଦ କାର୍ଯ୍ୟାନୁଷ୍ଠାନକୁ ସମ୍ଭବ କରିଥିଲା ।
Technology ଏହି ସମଗ୍ର ପରିଚାଳନାରେ ଏକ ଶକ୍ତିଶାଳୀ ସହଯୋଗୀ ଭାବେ କାମ କରିଥିଲା । AI ଆଧାରିତ ସିସିଟିଭି, ଡ୍ରୋନ୍ ସର୍ଭେଲାବ୍ଧ, ଜିପିଏସ୍ ଆଧାରିତ ଗତିବିଧୂ ନିରୀକ୍ଷଣ, ସୁରକ୍ଷିତ ଡିଜିଟାଲ ଯୋଗାଯୋଗ, ଇଲେକ୍ଟ୍ରୋନିକ୍ ଆକ୍ସେସ୍ କଣ୍ଟ୍ରୋଲ ଓ ସାଇବର ମନିଟରିଂ ଦ୍ବାରା ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯାଇଥିଲା । ସୋସିଆଲ ମିଡିଆ ମାଧ୍ୟମରେ ସଠିକ୍ ସୂଚନା ପ୍ରସାର ସହିତ ଗୁଜବ ଓ ଭ୍ରାନ୍ତ ସୂଚନାକୁ ମଧ୍ୟ ପ୍ରଭାବଶାଳୀ ଭାବେ ନିୟନ୍ତ୍ରଣ କରାଯାଇଥିଲା ।
ବୈଜ୍ଞାନିକ ଭିଭିରେ ଭିଡ଼ ପରିଚାଳନା ଏହି ଆୟୋଜନର ଅନ୍ୟତମ ପ୍ରମୁଖ ସଫଳତା ଥୁଲା । ସେକ୍ଟର ଭିତ୍ତିକ ପୋଲିସିଂ, ନିରନ୍ତର ଭିଡ଼ ନିରୀକ୍ଷଣ, ପଦଯାତ୍ରୀଙ୍କ ନିୟନ୍ତ୍ରିତ ଚଳାଚଳ, ଜରୁରୀକାଳୀନ ଉଦ୍ଧାର ପଥ ଓ ଆମ୍ବୁଲାନ୍ସ ପାଇଁ ସ୍ୱତନ୍ତ୍ର ରାସ୍ତା ଭଳି ବ୍ୟବସ୍ଥା ଦ୍ବାରା ସମ୍ଭାବ୍ୟ ବିପଦକୁ ପୂର୍ବରୁ ରୋକାଯାଇଥିଲା । ବୃଦ୍ଧ, ମହିଳା, ଶିଶୁ ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।
ସୁରକ୍ଷା ବ୍ୟବସ୍ଥାକୁ ତିନୋଟି ସ୍ତରରେ ବିଭକ୍ତ କରାଯାଇଥିଲା । ବାହ୍ୟ ସ୍ତରରେ ଜାତୀୟ ରାଜପଥ ନିରୀକ୍ଷଣ, ଯାନବାହନ ଯାଞ୍ଚ ଓ ପାର୍ବିଂ ନିୟନ୍ତ୍ରଣ । ମଧ୍ଯ ସ୍ତରରେ ସହରପ୍ରବେଶ ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା ଓ ଗୁଇନ୍ଦା ସୂଚନା ସଂଗ୍ରହ । ଅନ୍ତିମ ସ୍ତରରେ ଶ୍ରୀମନ୍ଦିର, ରଥ ସୁରକ୍ଷାକୁ ସର୍ବାକ ପ୍ରାଥମିକତା ଦିଆଯାଇଥୁଲା । ବମ୍ ନିଷ୍କ୍ରିୟକାରୀ ଦଳ, ଡଗ୍ ସ୍କ,ଡ୍, କ୍ସିକ୍ ରେସପନ୍ସ ଟିମ୍ ଓ ଗୁଇନ୍ଦା ସଂସ୍ଥା ସର୍ବଦା ସଜାଗ ରହିଥିଲେ।
ବିପର୍ଯ୍ୟୟ ପରିଚାଳନାକୁ ମଧ୍ଯ ସମାନ ଗୁରୁତ୍ବ ଦିଆଯାଇଥିଲା । ଦଳାଚକଟା, ଅଗ୍ନିକାଣ୍ଡ, ଦୁର୍ଘଟଣା, ଜରୁରୀକାଳୀନ ସ୍ଥିତି, ବାତ୍ୟା ଓ ସମୁଦ୍ର ଜନିତ ବିପଦ ସମେତ ସମସ୍ତ ସମ୍ଭାବ୍ୟ ପରିସ୍ଥିତି ପାଇଁ ପୂର୍ବ ପ୍ରସ୍ତୁତି ଓ ମକ୍ ଡ୍ରିଲ୍ କରାଯାଇଥିଲା ।
ରଥଯାତ୍ରାର ସଫଳତାରେ ସମାଜର ସକ୍ରିୟ ଭୂମିକା ମଧ୍ଯ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା। ସେବାୟତ, ସ୍ୱେଚ୍ଛାସେବୀ, ସ୍କାଉଟ୍ ଓ ଗାଇଡ୍, NCC, NSS, ବିଭିନ୍ନ ସାମାଜିକ ସଂଗଠନ ଓ ସ୍ଥାନୀୟ ନାଗରିକମାନେ ପୋଲିସ ସହ କାନ୍ଧକୁ କାନ୍ଧ ମିଳାଇ କାମ କରିଥିଲେ । ଏହି ସହଭାଗିତା ପ୍ରମାଣ କରିଛି ଯେ ଜନସୁରକ୍ଷା କେବଳ ସରକାରଙ୍କର ନୁହେଁ, ସମଗ୍ର ସମାଜର ସାମୂହିକ ଦାୟିତ୍ଵ ।
ସଠିକ୍ ଓ ସମୟୋପଯୋଗୀ ସୂଚନା ପ୍ରଦାନ ମଧ୍ଯ ରଥଯାତ୍ରା ପରିଚାଳନାର ଏକ ବଡ଼ ଶକ୍ତି ଥୁଲା | ଲାଉଡ୍ ସ୍ପିକର, ବହୁଭାଷୀ ଘୋଷଣା, ସୋସିଆଲ ମିଡିଆ, ଟ୍ରାଫିକ୍ ବୁଲେଟିନ୍, ଡିଜିଟାଲ ଡିସ୍ପ୍ଲେ ଓ ନିୟମିତ ପ୍ରେସ୍ ବ୍ରିଫି ମାଧ୍ଯମରେ ଭକ୍ତମାନଙ୍କ ପାଖରେ ସଠିକ୍ ସୂଚନା ପହଞ୍ଚାଯାଇଥିଲା।
ଏହି ସମସ୍ତ ପ୍ରଯୁକ୍ତି, ଯୋଜନା ଓ ବ୍ୟାପକ ସୁରକ୍ଷା ବ୍ୟବସ୍ଥାର ସଫଳତାର ମୂଳରେ ଥୁଲା ମାନବିକତା । ଜଣେ ପୋଲିସ କନଷ୍ଟେବଳଙ୍କ ଦ୍ବାରା ବୃଦ୍ଧ ଭକ୍ତଙ୍କୁ ସହାୟତା କରିବା, ବାଟବଣା ଶିଶୁଙ୍କୁ ପରିବାର ସହ ମିଶାଇବା, ଶୋଷିଲା ଯାତ୍ରୀଙ୍କୁ ପାଣି ପିଆଇବା କିମ୍ବା ବିଦେଶୀ ଭକ୍ତଙ୍କୁ ସହଜରେ ମାର୍ଗଦର୍ଶନ କରିବା—ଏହି ଛୋଟ ଛୋଟ ସେବା ହିଁ ପୋଲିସର ମାନବିକତାକୁ ସମାଜରେ ଉପସ୍ଥାପନ କରିଥିଲା ।
ରଥଯାତ୍ରା ୨୦୨୬ ବିଶ୍ୱକୁ ଏକ ସ୍ପଷ୍ଟ ସନ୍ଦେଶ ଦେଇଛି—ସଫଳ ଜନସମାଗମ ପରିଚାଳନାର ଚାବିକାଠି ହେଉଛି ଦୂରଦୃଷ୍ଟି ସମ୍ପନ୍ନ ଯୋଜନା, ପ୍ରଯୁକ୍ତିର ସଠିକ୍ ବ୍ୟବହାର, ବୈଜ୍ଞାନିକ ଭିଡ଼ ପରିଚାଳନା, ବିଭାଗ- ବିଭାଗ ମଧ୍ୟରେ ସମନ୍ବୟ ଓ ଜନସାଧାରଣଙ୍କ ବିଶ୍ବାସ ।ଆଜି ବିଶ୍ୱର ବିଭିନ୍ନ ଦେଶ ବୃହତ ଧାର୍ମିକ ସମାବେଶ, କ୍ରୀଡ଼ା ପ୍ରତିଯୋଗିତା, ସାଂସ୍କୃତିକ ଉତ୍ସବ ଓ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରୁଥିବାବେଳେ, ପୁରୀ ରଥଯାତ୍ରା ୨୦୨୬ର ପରିଚାଳନା ଏକ ଆଦର୍ଶ ମଡେଲ ଭାବେ ପ୍ରତିଷ୍ଠିତ ହୋଇଛି । ଏହା ପ୍ରମାଣ କରିଛି ଯେ ପରମ୍ପରା ଓ ପ୍ରଯୁକ୍ତି, ଆସ୍ଥା ଓ ପ୍ରଶାସନ, ଶୃଙ୍ଖଳା ଓ ମାନବିକତା-ଏସବୁ ଏକାଠି ହୋଇ ଏକ ସଫଳ ଓ ସୁରକ୍ଷିତ ଜନସମାଗମ ସୃଷ୍ଟି କରିପାରେ ।
ରଥଯାତ୍ରା ୨୦୨୬ର ସଫଳତା କୌଣସି ଗୋଟିଏ ସଂସ୍ଥାର ନୁହେଁ । ଏହା ଓଡ଼ିଶା ପୋଲିସ, ସିଭିଲ ପ୍ରଶାସନ, ବିପର୍ଯ୍ୟୟ ପରିଚାଳନା ସଂସ୍ଥା, ସ୍ବାସ୍ଥ୍ୟ ବିଭାଗ, ଶ୍ରୀମନ୍ଦିର ପ୍ରଶାସନ, ସ୍ୱେଚ୍ଛାସେବୀ ସଂଗଠନ ଓ କୋଟି କୋଟି ଶୃଙ୍ଖଳିତ ଭକ୍ତଙ୍କ ସାମୂହିକ ପ୍ରୟାସର ଫଳ ।
ଏହି ସଫଳତା ମାଧ୍ଯମରେ ଓଡ଼ିଶା କେବଳ ପ୍ରାଚୀନ ପରମ୍ପରାକୁ ସୁରକ୍ଷିତ ଲକ୍ଷିତ ରଖୁନାହିଁ ବରଂ ସମଗ୍ର ବିଶ୍ୱକୁ ଲୋକକୈନ୍ଦ୍ରିକ ପୋଲିସିଂ ଓ ସମନ୍ବିତ ଜନସୁରକ୍ଷାର ଏକ ବିଶ୍ବସ୍ତରୀୟ ଆଦର୍ଶ ଉପସ୍ଥାପନ କରିଛି Ι