ପଛୁଆବର୍ଗ କମିଶନକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ ।

0 3

ଭୁବନେଶ୍ୱର,୦୮/୧୦(ପିପିଟି): ରାଜ୍ୟରେ ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗ କମିଶନ ଗଠନକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ରାଜନୈତିକ ବାକ୍‌ଯୁଦ୍ଧ ତୀବ୍ର ହୋଇଛି। ବିଜେଡି ବିଧାୟକ ଅରୁଣ ସାହୁ ସରକାରଙ୍କ ପଦକ୍ଷେପକୁ ପ୍ରଶ୍ନ କରିଥିବା ବେଳେ, ବିଜେପି ସାଂସଦ ରବି ନାରାୟଣ ବେହେରା ସରକାର ପଛୁଆ ବର୍ଗଙ୍କ ସ୍ୱାର୍ଥ ପାଇଁ ପ୍ରତିବଦ୍ଧ ବୋଲି କହି ଏହାର ଜବାବ ଦେଇଛନ୍ତି।

ଶ୍ରୀ ସାହୁ ଅଭିଯୋଗ କରିଛନ୍ତି ଯେ ପଛୁଆବର୍ଗ କମିଶନ ଗଠନ ପଛରେ ପଞ୍ଚାୟତ ଓ ପୌର ନିର୍ବାଚନକୁ ବିଳମ୍ବ କରିବାର ଯୋଜନା ରହିଛି। ତାଙ୍କ ମତରେ, କମିଶନ ଗଠନ ନେଇ ଏବେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଏକପଟେ ଜନଗଣନା ପ୍ରକ୍ରିୟା ଚାଲିଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଜାତିଭିତ୍ତିକ ତଥ୍ୟ ସଂଗ୍ରହ ହେବ ବୋଲି କୁହାଯାଉଛି। ଏଭଳି ସ୍ଥିତିରେ ପଛୁଆବର୍ଗ କମିଶନ ପୁଣି ଥରେ ସର୍ଭେ କରିବେ କି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

ଶ୍ରୀ ସାହୁ ଆହୁରି କହିଛନ୍ତି ଯେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ୱାର୍ଡ, କାଉନସିଲର ଓ ଚେୟାରମ୍ୟାନ ପଦବୀର ସଂରକ୍ଷଣ ପ୍ରକ୍ରିୟା ଆଗକୁ ବଢ଼ିସାରିଛି। ଏପରି ସମୟରେ ପଛୁଆବର୍ଗ  ପାଇଁ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ନୂଆ ପ୍ରକ୍ରିୟା ଆରମ୍ଭ କରି ନିର୍ବାଚନକୁ ଘୁଞ୍ଚାଇବା ପାଇଁ ସରକାର ଉଦ୍ୟମ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ଏହାର ଜବାବରେ ବିଜେପି ସାଂସଦ ରବି ନାରାୟଣ ବେହେରା କହିଛନ୍ତି ଯେ ରାଜ୍ୟ ସରକାର ଯେକୌଣସି ପଛୁଆ ବର୍ଗର ଲୋକଙ୍କ ସ୍ୱାର୍ଥ ରକ୍ଷା ପାଇଁ ପ୍ରତିବଦ୍ଧ। ପୂର୍ବ ସରକାର ସମୟରେ ରାଜନୈତିକ ଏଜେଣ୍ଡା ଆଧାରରେ ପ୍ରସଙ୍ଗ ସୃଷ୍ଟି କରାଯାଉଥିଲା ବୋଲି ସେ ଅଭିଯୋଗ କରିବା ସହ ଏବେ ଲୋକେ କିଏ କାମ କରୁଛି ଓ କିଏ କେବଳ ରାଜନୈତିକ ନାଟକ କରୁଛି, ତାହା ବୁଝିପାରୁଛନ୍ତି ବୋଲି କହିଛନ୍ତି।

ଶ୍ରୀ ବେହେରାଙ୍କ କହିବା ଅନୁଯାୟୀ, ମୋହନ ଚରଣ ମାଝୀଙ୍କ ସରକାର ପଛୁଆ ବର୍ଗଙ୍କ ସ୍ୱାର୍ଥ ପାଇଁ ବିଭିନ୍ନ ପଦକ୍ଷେପ ନେଉଛି। ଉଚ୍ଚଶିକ୍ଷା ଓ ମେଡିକାଲ କଲେଜ ସମେତ ବିଭିନ୍ନ କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ନିକଟରେ ପଛୁଆବର୍ଗ କମିଶନ ଗଠନ କରାଯାଇଥିବା ବେଳେ ଆଗାମୀ ଦିନରେ ପଛୁଆ ବର୍ଗଙ୍କ ପାଇଁ ଆହୁରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.