ନୂଆଖାଇ ଭେଟଘାଟରେ ଡ. ସତ୍ୟଜିତ ନାୟକଙ୍କୁ ସମ୍ବର୍ଦ୍ଧନା ।

0 3

କଟକ, ୨୮/୦୯(ପିପିଟି): ଭୁବନେଶ୍ୱରର ଶ୍ରୀବିହାର, ପଟିଆସ୍ଥିତ ଅଘରିଆ ଭବନରେ ଗତ ରବିବାର ଅଗ୍ରଗାମୀ ଅଘରିଆ ସମାଜ, ଓଡ଼ିଶା ପକ୍ଷରୁ ‘ନୂଆଖାଇ ଭେଟଘାଟ–୨୦୨୬’ ଉତ୍ସାହ ଓ ଉଦ୍ଦୀପନାର ସହ ଆୟୋଜିତ ହୋଇଥିଲା। ଏହି ଅବସରରେ ଆଇଜିପି, ସେଣ୍ଟ୍ରାଲ ରେଞ୍ଜ ଡ. ସତ୍ୟଜିତ ନାୟକଙ୍କୁ ସମାଜ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ନୂଆଖାଇର ପାରମ୍ପରିକ ଭାବନା, ସାମାଜିକ ସମ୍ପର୍କ ଓ ଭାଇଚାରାକୁ ଆଧାର କରି ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜର ବରିଷ୍ଠ ବ୍ୟକ୍ତି, ମହିଳା, ଯୁବକ-ଯୁବତୀଙ୍କ ସମେତ ବହୁ ସଦସ୍ୟ ଯୋଗଦେଇଥିଲେ।

ସମ୍ବର୍ଦ୍ଧନା ପାଇଁ ଅଘରିଆ ସମାଜର ସମସ୍ତ ସଦସ୍ୟ ଓ ଆୟୋଜକମାନଙ୍କୁ ଡ. ନାୟକ ଆନ୍ତରିକ ଧନ୍ୟବାଦ ଜଣାଇବା ସହ ଏହି ଭେଟଘାଟରେ ସାମିଲ ହୋଇ ନିଜକୁ ଆନନ୍ଦିତ ଓ ଗୌରବାନ୍ୱିତ ମନେ କରୁଥିବା କହିଥିଲେ। ନୂଆଖାଇ କେବଳ ନୂଆ ଅନ୍ନ ଗ୍ରହଣର ପର୍ବ ନୁହେଁ, ଏହା ମାଟି, ଚାଷୀ, ପରିବାର, ପରମ୍ପରା ଓ ସାମାଜିକ ଏକତାକୁ ସମ୍ମାନ ଦେବାର ଏକ ମହାନ ପର୍ବ ବୋଲି ସେ କହିଥିଲେ। ‘ନୂଆଖାଇ ଭେଟ’ର ପରମ୍ପରା ବଡ଼ମାନଙ୍କୁ ସମ୍ମାନ, ସାନମାନଙ୍କୁ ସ୍ନେହ ଓ ପରସ୍ପର ମଧ୍ୟରେ ଭାଇଚାରା ବୃଦ୍ଧିର ସନ୍ଦେଶ ଦେଇଥାଏ ବୋଲି ସେ ଉଲ୍ଲେଖ କରିଥିଲେ।

ଅଘରିଆ ସମାଜର ପରିଶ୍ରମ, ସ୍ୱାଭିମାନ, ସାମାଜିକ ଏକତା ଓ ଦାୟିତ୍ୱବୋଧର ପ୍ରଶଂସା କରି ଡ. ନାୟକ କହିଥିଲେ ଯେ ନିଜ ମାଟି ଓ ପରମ୍ପରା ସହ ସମ୍ପର୍କ ଅତୁଟ ରଖିବା ହେଉଛି ସମାଜର ଏକ ବଡ଼ ଶକ୍ତି। ବର୍ତ୍ତମାନର ଦ୍ରୁତ ପରିବର୍ତ୍ତନଶୀଳ ଯୁଗରେ ଯୁବପିଢ଼ି ପ୍ରଯୁକ୍ତି, କୃତ୍ରିମ ବୁଦ୍ଧିମତ୍ତା, ନୂଆ ଜ୍ଞାନ ଓ ବିଶ୍ୱସ୍ତରୀୟ ସୁଯୋଗ ସହ ଆଗକୁ ବଢ଼ିବା ଆବଶ୍ୟକ। ତେବେ ଆଧୁନିକତାର ଦୌଡ଼ରେ ନିଜ ଭାଷା, ସଂସ୍କୃତି, ପରମ୍ପରା ଓ ମୂଲ୍ୟବୋଧକୁ ଭୁଲି ନଯିବାକୁ ସେ ଯୁବପିଢ଼ିକୁ ଆହ୍ୱାନ ଦେଇଥିଲେ।

ସମାଜର ଦୀର୍ଘମିଆଦୀ ବିକାଶ ପାଇଁ ଶିକ୍ଷାକୁ ପ୍ରମୁଖ ଆଧାର ବୋଲି ଅଭିହିତ କରି ଡ. ନାୟକ ପ୍ରତ୍ୟେକ ପରିବାରର ପୁଅ ଓ ଝିଅଙ୍କୁ ଉଚ୍ଚଶିକ୍ଷା ଏବଂ ଦକ୍ଷତା ବିକାଶର ସୁଯୋଗ ଦେବା ଉପରେ ଗୁରୁତ୍ୱ ଦେଇଥିଲେ। ବିଶେଷକରି ଝିଅମାନଙ୍କ ଶିକ୍ଷା ଓ ସଶକ୍ତିକରଣକୁ ପରିବାର ତଥା ସମାଜର ଅଗ୍ରଗତି ସହ ଯୋଡ଼ି ସେ ଏ ଦିଗରେ ଅଧିକ ସଚେତନତାର ଆବଶ୍ୟକତା ଉପରେ ଜୋର ଦେଇଥିଲେ।

ନୂଆଖାଇ ଭେଟଘାଟ ଭଳି ଆୟୋଜନ ସମାଜର ବିଭିନ୍ନ ପିଢ଼ି ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ସହ ନିଜ ପରମ୍ପରାକୁ ନୂଆ ପିଢ଼ି ପାଖରେ ପହଞ୍ଚାଇବାର ଏକ ସୁନ୍ଦର ମାଧ୍ୟମ ବୋଲି ଡ. ନାୟକ କହିଥିଲେ। ବରିଷ୍ଠମାନଙ୍କ ଅନୁଭବ, ଯୁବପିଢ଼ିର ଶକ୍ତି ଓ ମହିଳାମାନଙ୍କ ସକ୍ରିୟ ଭୂମିକାର ସମନ୍ୱୟ ଦ୍ୱାରା ସମାଜ ଆହୁରି ସୁଦୃଢ଼ ହୋଇପାରିବ ବୋଲି ସେ ମତ ଦେଇଥିଲେ।

ଓଡ଼ିଶାର ବିକାଶରେ ସମାଜର ପ୍ରତ୍ୟେକ ବର୍ଗର ଅବଦାନ ରହିଛି ବୋଲି ଉଲ୍ଲେଖ କରି ଡ. ନାୟକ ଅଘରିଆ ସମାଜର ଶିକ୍ଷିତ ଯୁବକ-ଯୁବତୀ, କୃଷକ, ବ୍ୟବସାୟୀ, ପେଶାଜୀବୀ ଓ ସାମାଜିକ କର୍ମୀମାନେ ନିଜ ନିଜ କ୍ଷେତ୍ରରେ ସଫଳତା ହାସଲ କରିବା ସହ ସମାଜ ପ୍ରତି ନିଜର ଦାୟିତ୍ୱ ପାଳନ କରିବାକୁ ଆହ୍ୱାନ ଦେଇଥିଲେ। ନିଜର ସଫଳତାକୁ ସମାଜର ଉନ୍ନତି ସହ ଯୋଡ଼ିବା ହିଁ ପ୍ରକୃତ ସାମାଜିକ ଦାୟିତ୍ୱ ବୋଲି ସେ କହିଥିଲେ।

ଶେଷରେ ନୂଆଖାଇର ନୂଆ ଅନ୍ନ ସମସ୍ତଙ୍କ ଜୀବନରେ ନୂଆ ଆଶା, ଉତ୍ସାହ, ସମ୍ଭାବନା ଓ ସୁଖ-ସମୃଦ୍ଧି ଆଣୁ ବୋଲି ଡ. ନାୟକ କାମନା କରିଥିଲେ। ଅଘରିଆ ସମାଜ ଆହୁରି ସୁଦୃଢ଼ ହେବା ସହ ସାମାଜିକ ଏକତା, ଭାଇଚାରା ଓ ପରସ୍ପର ସହଯୋଗର ଭାବନା ଆହୁରି ମଜବୁତ ହେଉ ବୋଲି ସେ ଶୁଭେଚ୍ଛା ଜଣାଇଥିଲେ।

Leave A Reply

Your email address will not be published.