ଭୁବନେଶ୍ୱର, ୧୩/୧୦(ପିପିଟି): ନିଶା ଔଷଧର ବେଆଇନ ମହଜୁଦ ଓ ବିକ୍ରି ଯାଞ୍ଚ କରିବାକୁ ଓଡ଼ିଶା ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ରାଜଧାନୀର ଏକାଧିକ ମେଡିସିନ୍ ଷ୍ଟୋରରେ ଚଢ଼ାଉ କରାଯାଇଛି। ଡାକ୍ତରଙ୍କ ପରାମର୍ଶରେ ଦିଆଯାଉଥିବା କିଛି ନିଦ୍ରାକାରକ ଓ ମାନସିକ ରୋଗ ସମ୍ବନ୍ଧୀୟ ଔଷଧ ବିନା ପ୍ରେସ୍କ୍ରିପ୍ସନ୍ରେ ବିକ୍ରି ହେଉଥିବା ଅଭିଯୋଗକୁ ଆଧାର କରି ଏହି ଯାଞ୍ଚ କରାଯାଇଛି। ଦୋକାନଗୁଡ଼ିକରେ ଔଷଧର ମହଜୁଦ, କ୍ରୟ ଓ ବିକ୍ରୟ ରେକର୍ଡ ଏବଂ ଆଇନଗତ ବୈଧତା ଯାଞ୍ଚ କରାଯାଇଛି। କେତେକ ବ୍ୟବସାୟୀ ଅନିୟମିତତା କରିଥିବା ପ୍ରାଥମିକ ଭାବେ ଜଣାପଡ଼ିଛି। ତଦନ୍ତ ପରେ ସମ୍ପୃକ୍ତ ଦୋକାନୀଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ସହକାରୀ ଡ୍ରଗ୍ସ ଇନ୍ସପେକ୍ଟର ସୁଦର୍ଶନ ବିଶ୍ୱାଳ କହିଛନ୍ତି।