ଭଞ୍ଜନଗର,୧୪/୦୭(ପିପିଟି): ଗଞ୍ଜାମ ଜିଲ୍ଲା ତାରସିଙ୍ଗି ଥାନା ଅନ୍ତର୍ଗତ ଜଡ଼ା ଘାତୁଣି ଗ୍ରାମରେ ଅଶ୍ଳୀଳ ଫୋଟ ଭାଇରାଲ ଯୋଗୁଁ ଲୋକ ଲଜ୍ୟା ଭୟରେ ରାଜେନ୍ଦ୍ର ଗୌଡ଼ଙ୍କ ୧୫ବର୍ଷର ନାବାଳିକା ଝିଅ ଗତ ଶନିବାର ସକାଳ ସମୟରେ ଆତ୍ମହତ୍ୟା କରିଥିବା ବେଳେ ଏହି ଘଟଣାରେ ସମ୍ପୃକ୍ତ ମୂଖ୍ୟ ଅଭିଯୁକ୍ତ, ତାର ସହଯୋଗୀ ଓ ବାପାଙ୍କୁ ପୋଲିସ ଗିରଫ କରିଥିବା ବୁଧବାର ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ପ୍ରଥମେ ଏହି ଘଟଣାକୁ ନେଇ ତାରସିଙ୍ଗି ଥାନାରେ ଗତ ୮ତାରିଖରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ମୃତଦେହ ନିକଟରୁ ମିଳିଥିବା ସୁଇସାଇଡ଼ ନୋଟ ଓ ରାଜେନ୍ଦ୍ର ଗୌଡ଼ଙ୍କ ଅଭିଯୋଗକୁ ଭିତ୍ତି କରି ତାରସିଙ୍ଗି ଥାନା ଅଧିକାରୀ ତଦନ୍ତରେ ଅଭିଯୁକ୍ତମାନେ ବ୍ଲାକ ମେଲିଂ କରିବା, ଆତ୍ମହତ୍ୟା ପାଇଁ ବାଧ୍ୟ କରିବା ଓ ବିଭିନ୍ନ ପ୍ରକାର ଧମକ ଚମକ ଦେବା ଘଟଣା ସାମ୍ନାକୁ ଆସିଥିଲା। ମୃତ ନାବାଳିକା ନଦୀକୁ ଗାଧେଇବାକୁ ଯାଉଥିବା ବେଳେ ସେହି ଗ୍ରାମର ରମେଶ ଗୌଡ଼ଙ୍କ ୧୬ବର୍ଷର ନାବାଳକ ପୁଅ ତାକୁ ଟେକି ନେଇ ଜୋର ଜବରଦସ୍ତ ଦୁଷ୍କର୍ମ କରିବା ସହ ତାର କିଛି ଅଶ୍ଳୀଳ ଫୋଟ ମଧ୍ୟ ଉଠାଇଥିଲା।ସେହି ସବୁ ଫୋଟ ଭାଇରାଲ କରିବା ଓ କାହାକୁ କହିଲେ ଜୀବନରେ ମାରିଦେବାକୁ ଧମକ ଦେଇ ବାରମ୍ବାର ଉକ୍ତ ପିଡ଼ିତା ସହ ଶାରୀରିକ ସମ୍ପର୍କ ରଖି ଆସୁଥିଲା।ଏଥିରେ ତାର ଜଣେ ନାବାଳକ ସହଯୋଗୀ ମଧ୍ୟ ଉକ୍ତ ନାବାଳିକାକୁ ଅସଦାଚରଣ କରିବା ସହ ତାର ଅଶ୍ଳୀଳ ଫୋଟ ଭାଇରାଲ କରିବାରେ ସହଯୋଗ କରିଥିଲା ଏବଂ ପରବର୍ତ୍ତୀ ସମୟରେ ମୁଖ୍ୟ ଅଭିଯୁକ୍ତର ପିତା ରମେଶ ଗୌଡ଼ ପୁଅ ସହ ମିଶି ପିଡ଼ିତାଙ୍କ ଘର ଆଗରେ ଗାଳି ଗୁଳଜ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲା। ଯାହା ଫଳରେ ଲୋକ ଲଜ୍ୟା ଭୟରେ ନାବାଳିକା ଜଣକ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲା। ତେଣୁ ପୋକ୍ସ ଆଇନ ଅନୁଯାୟୀ ଦୁଇ ନାବାଳକଙ୍କୁ ଓ ରମେଶ ଗୌଡ଼କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ ।)