ଦୁର୍ଗାପୂଜା ପାଇଁ ଭୁବନେଶ୍ୱରରେ ଟ୍ରାଫିକ୍ କଟକଣା ।

0 0

ଭୁବନେଶ୍ୱର, ୧୪/୧୦(ପିପିଟି): ଦୁର୍ଗାପୂଜା ଅବସରରେ ରାଜଧାନୀରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ଓ ଟ୍ରାଫିକ୍ ଭିଡ଼କୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ଯାତାୟାତ କଟକଣା ଜାରି କରାଯାଇଛି। ଅକ୍ଟୋବର ୧୬ରୁ ୨୧ ତାରିଖ ଯାଏଁ ସହରର ବିଭିନ୍ନ ରାସ୍ତାରେ ଭାରୀଯାନ ଚଳାଚଳ ଉପରେ ରୋକ୍ ଲାଗିବ। ଅପରାହ୍ଣ ୨ଟାରୁ ରାତି ୨ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ଅକ୍ଟୋବର ୨୨ ତାରିଖରେ ହେବାକୁ ଥିବା ଭସାଣି ଶୋଭାଯାତ୍ରା ପାଇଁ ମଧ୍ୟ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି।

ଜାତୀୟ ରାଜପଥ-୧୬ରୁ ଭୁବନେଶ୍ୱର ସହରକୁ ପ୍ରବେଶ କରୁଥିବା ବିଭିନ୍ନ ରାସ୍ତାରେ ଭାରୀଯାନ ଚଳାଚଳ ନିଷିଦ୍ଧ ରହିବ। ଜୟଦେବ ବିହାର ଛକରୁ କଳିଙ୍ଗ ଷ୍ଟାଡିୟମ ରାସ୍ତା ଦେଇ ରାଜଭବନ ଯାଏଁ ଏବଂ ଜୟଦେବ ବିହାରର ଅନ୍ୟପାର୍ଶ୍ୱରେ ଜାଭିୟର୍, କଳିଙ୍ଗ ହସ୍ପିଟାଲ, ଡମଣା ଓ ପଟିଆ ଦେଇ ନନ୍ଦନକାନନ ଯାଏଁ ଭାରୀଯାନ ଚଳାଚଳ କରିପାରିବ ନାହିଁ। ସେହିପରି ଖଣ୍ଡଗିରି ଛକରୁ ପୋଖରୀପୁଟ, ଫାୟାର ଷ୍ଟେସନ ଛକରୁ ଗଙ୍ଗନଗର ଦେଇ ଶିଶୁଭବନ ଛକ ଏବଂ ସିଆର୍ପି ଛକରୁ ୟୁନିଟ୍-୮ ଡିଏଭି ସ୍କୁଲ ରାସ୍ତାରେ ଭାରୀଯାନ ଚଳାଚଳ ଉପରେ କଟକଣା ରହିବ। ଆଚାର୍ଯ୍ୟ ବିହାର ଛକରୁ ନିକୋ ପାର୍କ ଦେଇ ଏଜି ଛକ, ସୈନିକ ସ୍କୁଲରୁ କଳିଙ୍ଗ ହସ୍ପିଟାଲ ଛକ, ବାଣୀବିହାରରୁ ଜନପଥ ଦେଇ ଶିଶୁଭବନ ଏବଂ ରସୁଲଗଡ଼ ଛକରୁ କଟକ ରୋଡ୍ ଦେଇ ଲିଙ୍ଗିପୁର ଛକ ପର୍ଯ୍ୟନ୍ତ ମଧ୍ୟ ଭାରୀଯାନ ଚଳାଚଳ କରିପାରିବ ନାହିଁ। ବିକଳ୍ପ ଭାବେ ଖୋର୍ଦ୍ଧାର ପିତାପଲ୍ଲୀ ଛକରୁ ଚନ୍ଦକା-ବାରଙ୍ଗ ରାସ୍ତା ଭାରୀଯାନ ପାଇଁ ଖୋଲା ରହିବ।

ରାବଣ ପୋଡ଼ି ସମୟରେ କଟକ ପଟୁ ଆସୁଥିବା ଭାରୀଯାନ ବ୍ୟତୀତ ଅନ୍ୟ ଗାଡ଼ିଗୁଡ଼ିକ ଜୟଦେବ ବିହାର ଛକରୁ ବେହେରା ସାହି, ଶାସ୍ତ୍ରୀନଗର, ପାୱାର ହାଉସ୍ ଓ ୟୁନିଟ୍-୮ ଦେଇ ସିଆର୍ପି ଛକରେ ପହଞ୍ଚିବ। ଖୋର୍ଦ୍ଧା ପଟୁ ଆସୁଥିବା ଗାଡ଼ିଗୁଡ଼ିକ ସିଆର୍ପି ଓ ଏକାମ୍ର କାନନ ରାସ୍ତା ଦେଇ ଜୟଦେବ ବିହାରରେ ବାହାରିପାରିବ। ନିୟମ ଉଲ୍ଲଂଘନ କଲେ ୫୦୦ରୁ ୧,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ। ପୁରୀ ପଟୁ ଆସୁଥିବା ଯାତ୍ରୀବାହୀ ବସ୍ ଲିଙ୍ଗିପୁର ଛକରୁ ପୁରୀ ବାଇପାସ୍ ଦେଇ ହାଇଟେକ୍ ଛକ ନିକଟରେ ଜାତୀୟ ରାଜପଥ-୧୬ରେ ପ୍ରବେଶ କରି ବରମୁଣ୍ଡା ଯିବ। କଟକ ଓ ପୁରୀ ମଧ୍ୟରେ ଚଳାଚଳ କରୁଥିବା ବସ୍ଗୁଡ଼ିକୁ ସହର ଭିତରେ ପ୍ରବେଶ ଅନୁମତି ମିଳିବ ନାହିଁ।

ଅକ୍ଟୋବର ୨୨ ତାରିଖ ଭସାଣି ପାଇଁ ସହିଦନଗର ଅଞ୍ଚଳରେ ବାଣୀବିହାରରୁ ରୂପାଲି ଛକ ରାସ୍ତା ବନ୍ଦ ରହିବ। କାର୍ ଓ ବାଇକ୍ ଜନପଥ ପରିବର୍ତ୍ତେ ସଚିବାଳୟ ମାର୍ଗ ଏବଂ ସଂଲଗ୍ନ ରାସ୍ତା ଦେଇ ଯାତାୟାତ କରିବ। ନୂଆପଲ୍ଲୀ ଭସାଣି ପାଇଁ ସିଆର୍ପି ଛକରୁ ରାସ୍ତା ବନ୍ଦ ରହିବ। କଟକ ପଟୁ ଆସୁଥିବା ଗାଡ଼ିଗୁଡ଼ିକ ଜୟଦେବ ବିହାରରୁ ବାମକୁ ମୋଡ଼ି ବେହେରା ସାହି, ଶାସ୍ତ୍ରୀନଗର, ପାୱାର ହାଉସ୍ ଓ ୟୁନିଟ୍-୮ ଡିଏଭି ସ୍କୁଲ ଦେଇ ସିଆର୍ପି ଛକରେ ପହଞ୍ଚିପାରିବ। ଉତ୍ତର ଭୁବନେଶ୍ୱର ଭସାଣି ଶୋଭାଯାତ୍ରା ପାଇଁ କିଟ୍ ଛକରୁ ନାଲକୋ ଛକ ପର୍ଯ୍ୟନ୍ତ ରାସ୍ତା ବନ୍ଦ ରହିବ। ଖୋର୍ଦ୍ଧା ପଟୁ ଆସୁଥିବା ଭାରୀଯାନ ଫାୟାର ଷ୍ଟେସନ ଛକରୁ ଫ୍ଲାଏଓଭର ଦେଇ ରସୁଲଗଡ଼ରେ ବାହାରିପାରିବ; ତେବେ ସର୍ଭିସ୍ ରୋଡ୍ ବନ୍ଦ ରହିବ। ପୂଜା ସମୟରେ ଟ୍ରାଫିକ୍ ନିୟମ ମାନିବା ସହ ପୁଲିସର ନିର୍ଦ୍ଦେଶକୁ ପାଳନ କରିବାକୁ ଯାତ୍ରୀ ଓ ଗାଡ଼ିଚାଳକଙ୍କୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.