ଗିଡ଼ିପାବାଲି ଭୂସ୍ଖଳନ ଘଟଣା : ଗୋଟିଏ ପରିବାରର ଆଉ ୫ମୃତଦେହ ଉଦ୍ଧାର ;୬ନିଖୋଜ ।

0 0

ଭଞ୍ଜନଗର, ୦୫/୧୧(ପିପିଟି): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଗିଡ଼ିପାବାଲିରେ ଗତ ୨୯ ତାରିଖରେ ହୋଇଥିବା ଭୂସ୍ଖଳନରେ ୧୨ଜଣ ସୁରକ୍ଷିତ ଥିବା ବେଳେ ୧୩ ଜଣ ନିଖୋଜ ହୋଇ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ମୃତଦେହ ଦୁଇଦିନ ପୂର୍ବେ ଉଦ୍ଧାର କରାଯାଇଥିବା ବେଳେ ଗୁରୁବାର ଗୋଟିଏ ପରିବାରର ଆଉ ୫ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି ପାଇଛି।ଅଉ ୬ଜଣ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି।
ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି। ଉଦ୍ଧାର କାର୍ଯ୍ୟରେ ଦମକଳ ବାହିନୀ, ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌, ରେଳ ବିଭାଗ ଓ ଏସ୍‌ଓଜି ବାହିନୀ ନିୟୋଜିତ ଅଛନ୍ତି।ସୂଚନାଯୋଗ୍ୟ, ମଙ୍ଗଳବାର ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ, କନ୍ଧମାଳ ଜିଲାପାଳ ଓ କନ୍ଧମାଳ ଏସ୍‌ପି ପ୍ରମୁଖ ନିଖୋଜ ପରିବାରର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ବର୍ଷା ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଏବଂ ପ୍ରାୟ ୩୦ ଫୁଟ ଗଭୀର ପର୍ଯ୍ୟନ୍ତ ଖୋଜାଖୋଜି କରିବା ସତ୍ତ୍ୱେ ମୃତଦେହ ଥିବାର କୌଣସି ପ୍ରମାଣ ମିଳୁ ନ ଥିବା ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ତେଣୁ ବୁଧବାର ବର୍ଷା ପାଇଁ ଖୋଜାଖୋଜି ବନ୍ଦ ରଖାଯାଇଥିଲା।
ଗୁରୁବାର ଓ ଶୁକ୍ରବାର ଆଉ ଦୁଇଦିନ ଉଦ୍ଧାର କାର୍ଯ୍ୟ ଜାରି ରଖିବାକୁ ସ୍ଥିର ହୋଇଥିଲା। ଏହି ସମୟ ମଧ୍ୟରେ ସଫଳତା ନ ମିଳିଲେ ପରିବାରର ପରମ୍ପରା ଓ ରୀତିନୀତି ଅନୁସାରେ ପ୍ରତୀକାତ୍ମକ ଶବଦାହ କରିବାକୁ ପ୍ରଶାସନ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ଏହାକୁ ନେଇ ନିଖୋଜଙ୍କ ପରିବାର ସଦସ୍ୟମାନେ ଦ୍ୱନ୍ଦ୍ୱରେ ଥିଲେ।ତେବେ ଗୁରୁବାର ପୁନର୍ବାର ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବା ପରେ ସକାଳେ ୩ଜଣ ଓ ଅପରାହ୍ନରେ ୨ଜଣଙ୍କ ଶବ ମିଳିଛି।ଗୋଟିଏ ପରିବାରର ବାପା ବିଜୟ ପ୍ରଧାନ , ମାଆ ଭୂମିକା ପ୍ରଧାନ ଓ ୩ ଛୁଆ ଙ୍କ ମଧ୍ୟରେ ପୁଅ ଅରୁଣ ପ୍ରଧାନ, ଝିଅ ବିଜୟଲକ୍ଷ୍ମୀ ଏବଂ ରାଜଲକ୍ଷ୍ମୀଙ୍କ ମୃତଦେହ ମିଳିଥିବା ଖବର ସାମ୍ନାକୁ ଆସିଛି। ସମସ୍ତ ମୃତଦେହ କୁ ସେମାନଙ୍କ ସମ୍ପର୍କୀୟଙ୍କ ଉପସ୍ଥିତିରେ ଶବ ସତ୍କାର କରାଯାଇଛି।ନିଖୋଜ ଅନ୍ୟ୬ଜଣ ଙ୍କୁ ଉଦ୍ଧାରକୁ ନେଇ ନୂଆ ଆଶା ସୃଷ୍ଟି ହୋଇଛି।

ରିପୋର୍ଟ -ଜେ କେ ପଟ୍ଟନାୟକ

Leave A Reply

Your email address will not be published.