କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମାବଳୀର କଡ଼ାକଡ଼ି ଅନୁପାଳନ ଓ ପ୍ରବର୍ତ୍ତନ ଉପରେ ଓଡ଼ିଶା ସରକାରଙ୍କ ଗୁରୁତ୍ୱ ।

0 32

ଭୁବନେଶ୍ୱର, ୧୪/୦୮(ପିପିଟି): ରାଜ୍ୟରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼, ବୈଜ୍ଞାନିକ ଓ ଉତ୍ତରଦାୟୀ କରିବା ଉପରେ ଓଡ଼ିଶା ସରକାର ଗୁରୁତ୍ୱାରୋପ କରିଛନ୍ତି । ଉତ୍ସରୁ ବର୍ଜ୍ୟ ପୃଥକୀକରଣ, ବୈଜ୍ଞାନିକ ପ୍ରକ୍ରିୟାକରଣ, ନିୟାମକ ଅନୁପାଳନର କଡ଼ାକଡ଼ି ପ୍ରବର୍ତ୍ତନ, ବଲ୍କ ୱେଷ୍ଟ ଜେନେରେଟରମାନଙ୍କ ଉତ୍ତରଦାୟିତ୍ୱ ଏବଂ ଅଣଆନୁଷ୍ଠାନିକ ବର୍ଜ୍ୟ ସଂଗ୍ରହକାରୀଙ୍କୁ ଆନୁଷ୍ଠାନିକ ବ୍ୟବସ୍ଥାରେ ସାମିଲ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ଏ ସମ୍ପର୍କରେ ‘କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ, ୨୦୨୬’ ତଥା ଅନ୍ୟାନ୍ୟ ନିୟାମକ ବ୍ୟବସ୍ଥାର ପ୍ରଭାବୀ କାର୍ଯ୍ୟାନ୍ୱୟନ ନେଇ ଆଜି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ହାଇବ୍ରିଡ ମୋଡ୍‌ରେ ଏକ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା ।

ବୈଠକରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ, ସ୍ୱଚ୍ଛ ଭାରତ ମିଶନ-ଅର୍ବାନର ସ୍ୱତନ୍ତ୍ର ସଚିବ ତଥା ମିଶନ ଡାଇରେକ୍ଟର, ଭୁବନେଶ୍ୱର ମହାନଗର ନିଗମର ସହକାରୀ କମିଶନର, ଏସପିସିବିର ବରିଷ୍ଠ ଅଧିକାରୀ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପରିମଳ ଟିମ୍‌ର ଅଧିକାରୀମାନେ ଯୋଗଦେଇଥିଲେ ।

ବୈଠକରେ ‘କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ, ୨୦୨୬’ ସହ ସମନ୍ୱୟ ରକ୍ଷା କରି ରାଜ୍ୟର ବିଦ୍ୟମାନ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନୀତି, ରଣନୀତି ଓ ବାଇ-ଲ’କୁ ସଂଶୋଧନ କରିବାକୁ ନିଷ୍ପତ୍ତି ହୋଇଛି । ଏହା ମାଧ୍ୟମରେ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲବି)ଗୁଡ଼ିକରେ ବର୍ଜ୍ୟ ପୃଥକୀକରଣ, ସଂଗ୍ରହ, ପରିବହନ, ପ୍ରକ୍ରିୟାକରଣ ଓ ନିୟମ ଅନୁପାଳନ ବ୍ୟବସ୍ଥାକୁ ଅଧିକ ପ୍ରଭାବୀ କରାଯିବ ।

ଉତ୍ସରୁ ବାଧ୍ୟତାମୂଳକ ଚାରି-ସ୍ତରୀୟ ବର୍ଜ୍ୟ ପୃଥକୀକରଣ ଓ ପୃଥକ ସଂଗ୍ରହ ବ୍ୟବସ୍ଥାକୁ କଡ଼ାକଡ଼ି ଲାଗୁ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟର ୭୩ଟି ୟୁଏଲବିରେ ସାନିଟାରୀ ଏବଂ ସ୍ୱତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ବର୍ଜ୍ୟ ପାଇଁ ପୃଥକ ସଂଗ୍ରହ ବ୍ୟବସ୍ଥା ସଂଯୋଜିତ ହୋଇଥିବା ବେଳେ ଅବଶିଷ୍ଟ ୟୁଏଲବିଗୁଡ଼ିକୁ ମଧ୍ୟ ଏହି ବ୍ୟବସ୍ଥା ତୁରନ୍ତ କାର୍ଯ୍ୟକାରୀ କରି ପୃଥକୀକୃତ ବର୍ଜ୍ୟର ଉପଯୁକ୍ତ ସଂଗ୍ରହ ଓ ପରିଚାଳନା ସୁନିଶ୍ଚିତ କରିବାକୁ କୁହାଯାଇଛି ।

ବଲ୍କ ୱେଷ୍ଟ ଜେନେରେଟରମାନଙ୍କ ଦାୟିତ୍ୱ ନିର୍ଦ୍ଧାରଣ ଓ ଅନୁପାଳନ ଉପରେ ମଧ୍ୟ ବୈଠକରେ ବିଶେଷ ଗୁରୁତ୍ୱ ଦିଆଯାଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପୋର୍ଟାଲରେ ବଲ୍କ ୱେଷ୍ଟ ଜେନେରେଟରମାନଙ୍କର ବ୍ୟବସ୍ଥିତ ଗଣନା, ବର୍ଗୀକରଣ ଓ ପଞ୍ଜୀକରଣ କରାଯିବ । ନିୟମ ଅନୁଯାୟୀ ସେମାନେ ନିଜ ସ୍ତରରେ ବର୍ଜ୍ୟ ପ୍ରକ୍ରିୟାକରଣ କରିବାକୁ ପଡ଼ିବ । ଯେଉଁମାନେ ନିଜ ସ୍ତରରେ ବର୍ଜ୍ୟ ପ୍ରକ୍ରିୟାକରଣ କରିବାରେ ଅସମର୍ଥ, ସେମାନଙ୍କୁ ସ୍ଥାନୀୟ ପ୍ରଶାସନକୁ ବର୍ଜ୍ୟ ହସ୍ତାନ୍ତର ପୂର୍ବରୁ ସମ୍ପୃକ୍ତ ୟୁଏଲବି ଠାରୁ ‘ଏକ୍ସଟେଣ୍ଡେଡ୍ ବଲ୍କ ୱେଷ୍ଟ ଜେନେରେଟର୍ସ ରେସପନସିବିଲିଟି’ ପ୍ରମାଣପତ୍ର ହାସଲ କରିବାକୁ ପଡ଼ିବ । ଏହି ବ୍ୟବସ୍ଥାର ବୈଷୟିକ ମାର୍ଗଦର୍ଶନ ପାଇଁ ୟୁଏଲବିଗୁଡ଼ିକ ସହ ଏକ ସମନ୍ୱୟ ବୈଠକ ଆୟୋଜନ କରିବାକୁ ଏସପିସିବିର ଅତିରିକ୍ତ ମୁଖ୍ୟ ପରିବେଶ ବୈଜ୍ଞାନିକଙ୍କୁ ଅନୁରୋଧ କରାଯାଇଛି ।

ନିୟମାବଳୀର ତଦାରଖ ଓ ପ୍ରବର୍ତ୍ତନକୁ ଅଧିକ ସୁଦୃଢ଼ କରିବା ପାଇଁ ପରିବେଶ (ସୁରକ୍ଷା) ଆଇନ, ୧୯୮୬ ଅନୁଯାୟୀ ଜିଲ୍ଲାପାଳମାନଙ୍କୁ ସକ୍ରିୟ ଭୂମିକା ନେବାକୁ କୁହାଯାଇଛି । ନିୟମ ଉଲ୍ଲଂଘନକାରୀ ବଲ୍କ ୱେଷ୍ଟ ଜେନେରେଟରମାନଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଓ ନିୟମିତ ତଦାରଖ ପାଇଁ ଜିଲ୍ଲା ସ୍ତରରେ ସ୍ଵତନ୍ତ୍ର ‘ସ୍ପେଶାଲ ସେଲ୍’ ଗଠନ କରିବାକୁ ପରାମର୍ଶ ଦିଆଯାଇଛି । ଆବଶ୍ୟକତା ଅନୁଯାୟୀ ଭର୍ଚୁଆଲ ଯାଞ୍ଚ କରିବା ସହ ପାକ୍ଷିକ ଅନୁପାଳନ ରିପୋର୍ଟ ନିର୍ଦ୍ଧାରିତ ରାଜ୍ୟ ସଚିବମାନଙ୍କ ନିକଟରେ ଦାଖଲ କରିବାକୁ ମଧ୍ୟ କୁହାଯାଇଛି ।

ଭୁବନେଶ୍ୱରରେ ବର୍ଜ୍ୟ ପରିଚାଳନାକୁ ଅଧିକ ପ୍ରଭାବୀ କରିବା ଉପରେ ମଧ୍ୟ ବୈଠକରେ ସ୍ୱତନ୍ତ୍ର ଭାବେ ଆଲୋଚନା ହୋଇଥିଲା । ବିଏମସି ଅଧୀନସ୍ଥ ସମସ୍ତ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମସିସି)ର କ୍ଷମତାର ସର୍ବାଧିକ ଉପଯୋଗ ସୁନିଶ୍ଚିତ କରିବା ପାଇଁ ବର୍ଜ୍ୟର ସମାନ ବଣ୍ଟନ ଉପରେ ଗୁରୁତ୍ୱ ଦିଆଯାଇଛି। ସହରର ବର୍ଜ୍ୟର ବୈଜ୍ଞାନିକ ପରିଚାଳନା ସହ ସୈନିକ ସ୍କୁଲ ଟିଟିଏସ୍‌ରେ ସଂଗୃହୀତ ବର୍ଜ୍ୟର ସମାଧାନ ପାଇଁ ଏକ ସ୍ପଷ୍ଟ ଓ ସମୟବଦ୍ଧ ରୋଡମ୍ୟାପ୍ ପ୍ରସ୍ତୁତ କରିବାକୁ ବିଏମସିକୁ ନିର୍ଦ୍ଦେଶ ଦିଆଯାଇଛି ।

ଅଣଆନୁଷ୍ଠାନିକ ବର୍ଜ୍ୟ ସଂଗ୍ରହକାରୀ, ଯଥା ଟୋକେଇବାଲା ଓ ରାଗ୍ ପିକର୍‌ମାନଙ୍କୁ ଆନୁଷ୍ଠାନିକ ବର୍ଜ୍ୟ ପରିଚାଳନା ବ୍ୟବସ୍ଥାରେ ସାମିଲ କରିବାକୁ ମଧ୍ୟ ୟୁଏଲବିଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ‘କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ, ୨୦୨୬’ ଅନୁଯାୟୀ ଏହି ପଦକ୍ଷେପ ମାଧ୍ୟମରେ ବର୍ଜ୍ୟ ସଂଗ୍ରହ ଓ ପୁନରୁଦ୍ଧାର ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଏହି କ୍ଷେତ୍ରରେ ସେମାନଙ୍କ ଅବଦାନକୁ ଆନୁଷ୍ଠାନିକ ସ୍ୱୀକୃତି ଦିଆଯିବ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧,୯୦୬ ଜଣ ଅଣଆନୁଷ୍ଠାନିକ ବର୍ଜ୍ୟ ସଂଗ୍ରହକାରୀଙ୍କୁ ‘ସ୍ୱଚ୍ଛ କର୍ମୀ’ ଭାବେ ଆନୁଷ୍ଠାନିକ ଭାବେ ସାମିଲ କରାଯାଇଛି ।

ଶେଷରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ପାଢ଼ୀ ସମସ୍ତ ନିଷ୍ପତ୍ତିକୁ ସମନ୍ୱିତ, ସମୟସୀମାବଦ୍ଧ ଓ ଫଳାଫଳମୁଖୀ ଢଙ୍ଗରେ କାର୍ଯ୍ୟକାରୀ କରିବାକୁ ସମ୍ପୃକ୍ତ ସମସ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । କ୍ଷେତ୍ରସ୍ତରରେ ନିୟମର କଡ଼ାକଡ଼ି ଅନୁପାଳନ, ବୈଜ୍ଞାନିକ ପ୍ରକ୍ରିୟାକରଣ, ଦୃଢ଼ ପ୍ରବର୍ତ୍ତନ ଏବଂ ଉତ୍ତରଦାୟୀ ଓ ସ୍ଥାୟୀ ବର୍ଜ୍ୟ ପରିଚାଳନା ବ୍ୟବସ୍ଥା ଗଠନ ଉପରେ ସେ ବିଶେଷ ଗୁରୁତ୍ୱାରୋପ କରିଥିଲେ ।

Leave A Reply

Your email address will not be published.