ଅସହାୟଙ୍କ ପିଲାଙ୍କ ସହ ଦୀପାବଳୀ ପାଳନ କଲେ ପ୍ରଶାସନିକ ଅଧିକାରୀ ।

0 5

ମାଲକାନଗିରି,୦୮/୧୧(ପିପିଟି): ଆଲୋକର ପର୍ବ ଦୀପାବଳି ଅବସରରେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଅଭିନବ ତଥା ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ସମାଜର ଅବହେଳିତ ତଥା ଅସହାୟ ବର୍ଗଙ୍କ ସହ ଦୀପାବଳିର ଖୁସି ବାଣ୍ଟିବା ପାଇଁ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ଏକ ମହାନ ଦୂରଦୃଷ୍ଟି ଯୋଗୁଁ ଆଜି ଜିଲ୍ଲାର ବିଭିନ୍ନ ଅନାଥାଶ୍ରମ, ବୃଦ୍ଧାଶ୍ରମ ଏବଂ ଶକ୍ତି ସଦନର ଅନ୍ତେବାସୀମାନେ ପ୍ରଶାସନିକ ଅଧିକାରୀଙ୍କ ସହ ଦୀପାବଳି ପାଳନ କରିଛନ୍ତି।
ଏହି ମହାନ କାର୍ଯ୍ୟକ୍ରମ ଅଧୀନରେ ନିଜେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ରାଜଶିର୍କେ ଏବଂ ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏଚ୍ ନାୟକଗୁଡ଼ା ସ୍ଥିତ ସ୍ୱାଧୀନତା ସଂଗ୍ରାମୀ ଏରମା ବାକା ଜିଲ୍ଲା ସ୍ୱତନ୍ତ୍ର ବିଦ୍ୟାଳୟ ପରିଦର୍ଶନ କରି ସେଠାରେ ଥିବା ୮୪ ଜଣ ଅନ୍ତେବାସୀଙ୍କ ସହ ସମୟ ବିତାଇଥିଲେ। ସେମାନଙ୍କୁ ମିଠା ଓ ଫଳ ବଣ୍ଟନ କରିବା ସହ ସେମାନଙ୍କୁ ନୈତିକ ସମର୍ଥନ ଓ ସ୍ନେହ ପ୍ରଦାନ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଦୀପାବଳି ହେଉଛି ଆଲୋକ, ଆନନ୍ଦ ଏବଂ ଭାଇଚାରାର ପର୍ବ। ସମାଜର ମୁଖ୍ୟ ସ୍ରୋତରୁ ଦୂରେଇ ରହିଥିବା ଏହି ଅନ୍ତେବାସୀମାନଙ୍କ ସହ ସମୟ ବିତାଇବା ଏବଂ ସେମାନଙ୍କୁ ଆପଣାପଣର ଅନୁଭବ ଦେବା ହେଉଛି ଆମର ଲକ୍ଷ୍ୟ। ସେମାନଙ୍କ ମୁହଁର ନିଷ୍ପାପ ହସ ହିଁ ଆମ ପାଇଁ ପ୍ରକୃତ ଦୀପାବଳି। ପ୍ରଶାସନ ସର୍ବଦା ସେମାନଙ୍କ ସାଥିରେ ଅଛି।ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ବିଭିନ୍ନ ଅନୁଷ୍ଠାନ ପରିଦର୍ଶନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଏବଂ ସହକାରୀ ଜିଲପାଳ (ପରୀକ୍ଷା) ଗୋବିନ୍ଦପାଲ୍ଲୀ ସ୍ଥିତ ବୃଦ୍ଧାଶ୍ରମରେ ୨୦ ଜଣ ଅନ୍ତେବାସୀଙ୍କ ସହ ଦୀପାବଳି ପାଳନ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ଵ ବେଦବର ପ୍ରଧାନ ଏବଂ ଆଇଟିଡିଏ ର ପ୍ରକଳ୍ପ ପ୍ରଶାସକ ହଳଧର ଶବର, ସହକାରୀ ଜିଲ୍ଲାପାଳ ସ୍ଵୟଂ ସିଦ୍ଧ ରାଉତ ମାଲକାନଗିରିର ‘ପରିବର୍ତ୍ତନ’ ଅନାଥାଶ୍ରମର ୫୦ ଜଣ ପିଲାଙ୍କ ସହ ସମୟ ବିତାଇଥିଲେ। ସେହିପରି ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-ନିର୍ବାହୀ ଅଧିକାରୀ (ଜିଲ୍ଲା ପରିଷଦ) ଦାଶରଥି ସରାବୁ, ଅର୍ଥ ପରିଚାଳକ ମାନସ ମିଶ୍ର ଏବଂ ସହକାରୀ ଜିଲ୍ଲାପାଳ ପୁରୁଣା ଡିଏଚଏଚ୍ ଠାରେ ଥିବା ମାନସିକ ଅନଗ୍ରସର ଗୃହର ୧୦୩ ଜଣ ଅନ୍ତେବାସୀଙ୍କୁ ଭେଟିଥିଲେ। ସହକାରୀ ଜିଲ୍ଲାପାଳ (ରାଜସ୍ୱ) ସୁଧାକର ରଇତ ମାଲକାନଗିରି ଜିଲ୍ଲା ପରିଷଦ କାର୍ଯ୍ୟାଳୟ ନିକଟସ୍ଥ ‘ଶକ୍ତି ସଦନ’ର ୨୮ ଜଣ ଅନ୍ତେବାସୀଙ୍କ ସହ ପର୍ବ ପାଳନ କରିଥିଲେ। ସମସ୍ତ ସ୍ଥାନରେ ଅଧିକାରୀମାନେ ଅନ୍ତେବାସୀମାନଙ୍କୁ ମିଠା ଓ ଫଳ ବଣ୍ଟନ କରିବା ସହ ସେମାନଙ୍କ ସୁଖଦୁଃଖ ବୁଝିଥିଲେ।ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟିକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନିର୍ମଳା ଧରୁଆ ଏବଂ ଉପଖଣ୍ଡ ସାମଜିକ ସୁରକ୍ଷା ଅଧିକାରୀ ରାଜୀବ ପୂଜାରୀ ଅତ୍ୟନ୍ତ ସୁଚାରୁ ରୂପେ ପରିଚାଳନା ଓ ସଂଯୋଜନା କରିଥିଲେ। ଜିଲ୍ଲାପାଳ ଏବଂ ଜିଲ୍ଲା ପ୍ରଶାସନର ଏଭଳି ସମ୍ବେଦନଶୀଳ ତଥା ମାନବିକତାପୂର୍ଣ୍ଣ ପଦକ୍ଷେପକୁ ସାଧାରଣ ଜନତା ଏବଂ ବୁଦ୍ଧିଜୀବୀ ମହଲରେ ଭୂୟସୀ ପ୍ରଶଂସା କରାଯାଉଛି। କେବଳ ନିଜ ପରିବାର ନୁହେଁ, ବରଂ ସମାଜର ଏକ ନିଃସହାୟ ବର୍ଗଙ୍କୁ ନିଜ ପରିବାର ଭାବି ସେମାନଙ୍କ ସହ ପର୍ବ ପାଳନ କରିବା, ଜିଲ୍ଲା ପ୍ରଶାସନର ଏକ ସକାରାତ୍ମକ ଦିଗକୁ ଦର୍ଶାଉଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Leave A Reply

Your email address will not be published.