ମାଲକାନଗିରି , ୨୨/୦୬ (ପିପିଟି):ମାଥିଲି ତହସିଲ ଅନ୍ତର୍ଗତ ମୁଣ୍ଡଗୁଡ଼ା ମୌଜାର ଖାତା ନମ୍ବର ୩୫ ରେ ଚାଲିଥିବା ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ଗୁରୁତର ଅନିୟମିତତା ହୋଇଥିବା ସମ୍ପର୍କରେ ପୀଡ଼ିତ ପରିବାର ପକ୍ଷରୁ ସମ୍ପୃକ୍ତ ପ୍ରଶାସନକୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କୌଣସି ସନ୍ତୋଷଜନକ ସମାଧାନ ହୋଇନାହିଁ।ଫଳରେ ପୀଡ଼ିତ ପରିବାର ନ୍ୟାୟ ପ୍ରଦାନ ପାଇଁ ସମାଜସେବୀ ଶରତ ଚନ୍ଦ୍ର ବୁରୁଦା ଙ୍କୁ ଏ ବିଷୟ ରେ ଜଣାଇଛନ୍ତି ।
ଅଭିଯୋଗ ଅନୁଯାୟୀ, ବିସ୍ଥାପିତ ଓ ଅଧିଗୃହୀତ ଜମିର ହିତାଧିକାରୀ ପରିବାରମାନଙ୍କୁ ସରକାରଙ୍କ ନିର୍ଦ୍ଧାରିତ କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟାରେ ବଂଶଜ ତାଲିକାରେ ହେରଫେର କରାଯାଇଥିବା ସହ ଜଣେ ଜୀବିତ ଓ ଅସହାୟ ମହିଳାଙ୍କୁ ସରକାରୀ ରେକର୍ଡରେ ମୃତ ଦର୍ଶାଇ କ୍ଷତିପୂରଣରୁ ବଞ୍ଚିତ କରାଯାଇଥିବା ଭଳି ଗୁରୁତର ଅଭିଯୋଗ ହୋଇଛି ।
ପୀଡ଼ିତା ପ୍ରଥମେ ସମ୍ପୃକ୍ତ ଜମି ଅଧିଗ୍ରହଣ କର୍ତ୍ତୃପକ୍ଷ ଙ୍କ ନିକଟରେ ଅଭିଯୋଗ କରିଥିଲେ। ପରବର୍ତ୍ତୀ ସମୟରେ ସେ ଜିଲ୍ଲା ପ୍ରଶାସନଙ୍କ ନିକଟରେ ମଧ୍ୟ ବାରମ୍ବାର ଅଭିଯୋଗ କରିଥିଲେ। ତଥାପି ସନ୍ତୋଷଜନକ ସମାଧାନ ନ ମିଳିବାରୁ ସେ ନ୍ୟାୟ ପାଇଁ ଶ୍ରୀ ବୁରୁଦା ଙ୍କୁ ଅନୁରୋଧ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ସମ୍ପୃକ୍ତ ଜମି ଅଧିଗ୍ରହଣ କତୃପକ୍ଷ ଅଧିକାରୀ ମହିଳା ଜଣଙ୍କୁ ବିବାହିତ ହୋଇଥିବାରୁ ତାଙ୍କର ବାପାଙ୍କ ସମ୍ପତ୍ତିରେ କୌଣସି ଅଧିକାର ନାହିଁ ବୋଲି ମତ ପ୍ରକାଶ କରିଥିଲେ। କିନ୍ତୁ ଭାରତୀୟ ଆଇନ ଅନୁଯାୟୀ ବିବାହିତ କନ୍ୟାଙ୍କର ମଧ୍ୟ ପୈତୃକ ସମ୍ପତ୍ତିରେ ସମାନ ଅଧିକାର ରହିଛି। ତେଣୁ ଏପରି ମନ୍ତବ୍ୟ ଓ କାର୍ଯ୍ୟପଦ୍ଧତି ନେଇ ସାଧାରଣରେ ଗୁରୁତର ପ୍ରଶ୍ନ ଉଠିଛି।
ଯଦି ଜଣେ ଜୀବିତ ମହିଳାଙ୍କୁ ସରକାରୀ ରେକର୍ଡରେ ମୃତ ଦର୍ଶାଇ କ୍ଷତିପୂରଣରୁ ବଞ୍ଚିତ କରାଯାଇଥାଏ, ତେବେ ଏହା କେବଳ ପ୍ରଶାସନିକ ତ୍ରୁଟି ନୁହେଁ, ବରଂ ଜଣେ ନାଗରିକଙ୍କ ସାମ୍ବିଧାନିକ ଅଧିକାର ଉପରେ ଗୁରୁତର ଆଘାତ।
ଅଭିଯୋଗ ଅନୁଯାୟୀ, ସମ୍ପୃକ୍ତ ଅଧିକାରୀମାନେ ବଂଶଜ ତାଲିକା ପ୍ରସ୍ତୁତି ସମୟରେ ଶୁଭଦ୍ରା ନାୟକଙ୍କୁ ଜୀବିତ ଥିବା ସତ୍ତ୍ୱେ ମୃତ ଘୋଷଣା କରିଥିବା ବେଳେ, ଅନ୍ୟ ଦୁଇଜଣ ପ୍ରକୃତ ହିତାଧିକାରୀ ଉଦ୍ଧବ ଓ ଡମୁଣୀଙ୍କ ନାମକୁ ମଧ୍ୟ ତାଲିକାରୁ ବାଦ ଦିଆଯାଇଥିବା ଭଳି ଗୁରୁତର ଅଭିଯୋଗ ରହିଛି। ଏହା ଫଳରେ ପ୍ରକୃତ ହିତାଧିକାରୀମାନେ ସରକାରଙ୍କ ନିର୍ଦ୍ଧାରିତ କ୍ଷତିପୂରଣ ପାଇବାରୁ ବଞ୍ଚିତ ହୋଇଛନ୍ତି ।
ସେମାନଙ୍କ ଅଭିଯୋଗ ଅନୁଯାୟୀ, ଜମି ପଟ୍ଟା ନକଲ ଓ ବଂଶଜ ତଥ୍ୟ ସଂଗ୍ରହରୁ ଜଣାପଡ଼ିଛି ଯେ ପ୍ରକୃତ ହିତାଧିକାରୀମାନଙ୍କୁ କ୍ଷତିପୂରଣ ରାଶି ପାଇବାରୁ ବଞ୍ଚିତ କରାଯାଇଛି। ଏହାସହ ଅଭିଯୋଗକାରୀମାନଙ୍କ କହିବା ଅନୁଯାୟୀ, ସମ୍ପୃକ୍ତ ଜମି ଅଧିଗ୍ରହଣ ଅଧିକାରୀ ଏବଂ କିଛି ସଂଗଠନର କର୍ମକର୍ତ୍ତାମାନେ ଏହି ମାମଲାକୁ ଆଗକୁ ନ ବଢ଼ାଇବା ପାଇଁ ଚାପ ସୃଷ୍ଟି କରୁଥିବା ସହ ପରବର୍ତ୍ତୀ ସମୟରେ କ୍ଷତିପୂରଣ ଦେବାର ପ୍ରତିଶ୍ରୁତି ଦେଉଥିବା ଅଭିଯୋଗ ହୋଇଛି।
ବିଶ୍ୱସ୍ତ ସୂତ୍ରରୁ କିଛି କର୍ମଚାରୀ ଏବଂ ସଂଗଠନ ସହ ଜଡିତ କିଛି ବ୍ୟକ୍ତିଙ୍କ ପାରିବାରିକ ସଦସ୍ୟଙ୍କ ବ୍ୟାଙ୍କ ଖାତାକୁ ଅର୍ଥ ସ୍ଥାନାନ୍ତର ହୋଇଥିବା ନେଇ ମଧ୍ୟ ସୂଚନା ମିଳିଥିବା ଅଭିଯୋଗ ରହିଛି। ତେବେ ଏହି ସମସ୍ତ ବିଷୟ ନିରପେକ୍ଷ ଓ ଉଚ୍ଚସ୍ତରୀୟ ତଦନ୍ତ ସାପେକ୍ଷ।
ରିପୋର୍ଟ -ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ