ଅପମିଶ୍ରିତ ଥଣ୍ଡା ଓ ପାଣି ପାଉଚ ସାମଗ୍ରୀର ମାନ ଯାଞ୍ଚ କରୁନି ପ୍ରଶାସନ। 

0 2

ବୋଲଗଡ଼,୨୫/୦୪(ପିପିଟି) :ପ୍ରବଳ ଖରାତାତି ବଢୁଥିବା ବେଳେ  ଖରାତାତିରୁ ରକ୍ଷା ପାଇବା ପାଇଁ ମନ ଚାହିଁଥାଏ ଥଣ୍ଡା ଯାତୀୟ ପାନୀୟ ବ୍ୟବହାର କରିବା ପାଇଁ କିନ୍ତୁ ଏହାର ଫାଇଦା ଉଠାଇବା ପାଇଁ ପ୍ରତ୍ୟେକ ଗ୍ରାମାଞ୍ଚଳର ଛୋଟ ଦୋକାନରୁ ଆରମ୍ଭ କରି ବଜାର ପର୍ଯ୍ୟନ୍ତ ନକଲି ଥଣ୍ଡା ପାନୀୟ,ସୋଢା,ପାଣି ପାଉଚର ଅପମିଶ୍ରିତ ସାମଗ୍ରୀର ଚାହିଦାସହ ବିକ୍ରୀ ମଧ୍ୟ ବଢୁଛି ଯାହା ଜନ ସାଧାରଣଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରୁଛି। ବିନା ଲାଇସେନ୍ସରେ ଏକାଧିକ ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀ ଲୋଗୋରେ ନକଲି ସୋଢା ଯାତୀୟ ଥଣ୍ଡା ସାଙ୍ଗକୁ ନକଲି ପାଣିପାଉଚ ଓ ପାଣିବୋତଲ ବେଧଡ଼କ ଭାବେ ବିକ୍ରି ଚାଲିଛି। ଏମାନଙ୍କ ଉପରେ ଜିଲ୍ଲା ପ୍ରଶାସନ କିମ୍ବା ସ୍ୱାସ୍ଥ୍ୟ ବିଭାଗର ଅଙ୍କୁଶ ନଥିବା ହେତୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଜିଲ୍ଲା ଖାଦ୍ୟ ନିରାପତ୍ତା ଓ ଜନସ୍ୱାସ୍ଥ୍ୟ ବିଭାଗର ସ୍ଥାଣୁ ପାଲଟିଥିବା ଅଭିଯୋଗ ହୋଇଛି।ଏହି ନିମ୍ନମାନର ଥଣ୍ଡା ଓ ପାଉଚ,ବଟଲରେ ପାନୀୟ ଜଳ ପିଇବାଦ୍ୱାରା ଲୋକେ ଚର୍ମ ଓ ପେଟ ରୋଗରେ ଆକ୍ରାନ୍ତ ହେଉଛନ୍ତି। ବଜାରରେ ବିକ୍ରୀ ହେଉଥିବା ଅନେକ ପାଣିବୋତଲ, ପାଉଚ ଏବଂ ଥଣ୍ଡା ବୋତଲରେ ବ୍ୟବହାର ଅବିଧି ସମ୍ପର୍କରେ କୌଣସି ସୂଚନା ନାହିଁ। ଏହି ସବୁ ପ୍ରସ୍ତୁତ ଓ ବିକ୍ରୀପାଇଁ ଲାଇସେନ୍ସ ସମେତ ଅନେକ ନିୟମ ମଧ୍ୟ ରହିଛି। କିଛି ବେନାମୀ ପାଣି କମ୍ପାନୀ ଯେକୌଣସି ଉପାୟରେ ଫୁଡ୍ ଲାଇସେନ୍ସ ହାତେଇ ଦିର୍ଘଦିନ ଧରି ବେପାର କରି ଆସୁଛନ୍ତି। ଉକ୍ତ ଥଣ୍ଡା ଯାତୀୟ ବୋତଲ, ପାଣିପାଉଚ ଓ ପାଣି ବୋତଲ ଗୁଡିକ କିଛି ଦିନ ରହିବା ପରେ ଗନ୍ଧ ବାହାରୁ ଥିବା ବେଳେ ଅନ୍ୟ ପ୍ରକାରର ସ୍ୱାଦ ହେଉଛି। ଜିଲ୍ଲା ଖାଦ୍ୟ ନିରାପତ୍ତା ବିଭାଗ ଏହି କ୍ଷେତ୍ରରେ ଜଳ ନମୁନା ସଂଗ୍ରହ କରିବା, ପରୀକ୍ଷାଗାରକୁ ପଠାଇବା କିମ୍ବା ଚଢାଉ କରିବା ଦୁରର କଥା ତାଗିଦ୍ ମଧ୍ୟ କରୁନାହିଁ କି ଜନ ସଚେତନତା କରୁନାହିଁ। ବେଧଡକରେ ଚାଲିଛି ନକଲି ଥଣ୍ଡା ଓ ନକଲି ପାଣି ବୋତଲ, ପାଉଚ୍ କାରବାର। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଜନ ସଚେତନତା ଜରୁରୀ ଅଟେ ଯାହାକି ଜନ ସାଧାରଣରେ ଦାବୀ ହେଉଅଛି।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.