ସ୍ୱାଧୀନତା ଦିବସ ଦେଶପାଇଁ ଏକ ସଂକଳ୍ପର ଦିବସ – ଗଣଶିକ୍ଷା ମନ୍ତ୍ରୀ ।

0 564

ଯାଜପୁର, ୧୫/୦୮(ପିପିଟି); ସ୍ୱାଧୀନତା ଦିବସ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ସ୍ମରଣୀୟ ଦିବସ । ଆମ ଜାତି ଓ ଦେଶ ପାଇଁ ଗୌରବର ଦିବସ । ସମବଦ୍ଧଭାବେ ଆମେ ଏହାର ସୁରକ୍ଷା ଓ ଅଖଣ୍ଡତାକୁ ବଜାୟ ରଖିବାକୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଆହ୍ୱାନ ଦେଇଛନ୍ତି । ଶନିବାର ଜିଲ୍ଲା ସ୍କୁଲ ପଡିଆଠାରେ ଯାଜପୁର ଜିଲ୍ଲାସ୍ତରୀୟ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଥିଲା ।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓ ଜାତୀୟ ପତାକା ଉତୋଳନ କରି ମନ୍ତ୍ରୀ ଶ୍ରୀ ଦାଶ ସର୍ବପ୍ରଥମେ ଦେଶମାତୃକାର ସେବା ପାଇଁ ସଂଗ୍ରାମ କରିଥିବା ଓ ଆତ୍ମବଳୀ ଦେଇଥିବା ସଂଗ୍ରାମୀ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ମହାତ୍ମାଗାନ୍ଧି, ଜବାଲାଲ୍ ନେହୁରୁ, ସୁବାଷ ବୋଷ, ସର୍ଦ୍ଧାର ବଲ୍ଲଭଭାଇ ପଟେଲ, ଲାଲ୍ବାହାଦୁର ଶାସ୍ତ୍ରୀ, ମୌଲାନା ଆବୁଲକାଲାମ ଆଜାଦ, ଡଃ ଭୀମରାଓ ଆମ୍ବେଦକର, ଲକ୍ଷ୍ମଣ ନାଏକ, ବୀର ସୁରେନ୍ଦ୍ର ସାଏ, ଗୋପବନ୍ଧୁ ଦାଶ, ନବକୃର୍ଷ୍ଣ ଚୌଧୁରୀ, ମାଳତୀ ଚୌଧୁରୀ, ରମାଦେବୀ, ଡଃ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ ପ୍ରମୁଖଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳୀ ଜଣାଇ ଏମାନଙ୍କ ଅବଦାନ ଚିରସ୍ମରଣୀୟ ବୋଲି କହିଥିଲେ । ଯାଜପୁର ଜିଲ୍ଲା ସ୍ୱାଧୀନତା ସଂଗ୍ରାମ କ୍ଷେତ୍ରରେ ଏକ ଅଗ୍ରଣୀ ଜିଲ୍ଲା । ୧୯୩୪ ମସିହାରେ ଗାନ୍ଧିଜୀଙ୍କ ପଦ ଯାତ୍ରା ସ୍ୱାଧୀନତା ସଂଗ୍ରାମକୁ ଅଧିକ ଶାଣିତ କରିଥିଲା । ବରୀ ମାଟି ବୀର ମାଟି ଭାବେ ସ୍ୱାଧୀନତା ସଂଗ୍ରାମକୁ ଅଧିକ କ୍ରିୟାଶୀଳ କରିଥିଲା । ସେହିପରି ଜିଲ୍ଲାର ପୌରାଣିକ, ଐତିହାସିକ, ପର୍ଯ୍ୟଟନ, ଶିଳ୍ପ, କଳା ଓ ସଂସ୍କୃତିର ସମ୍ଭାର ଅନନ୍ୟ ବୋଲି କହିବା ସହ ସମ୍ଫ୍ରତି କରୋନା ବିରୁଦ୍ଧରେ ସଂଗ୍ରାମ ପାଇଁ କରୋନା ଯୋଦ୍ଧା ମାନଙ୍କର ଉଦ୍ୟମ ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହିଥିଲେ । ଯାଜପୁର ଜିଲ୍ଲା କରୋନାର ମୁକାବିଲାରେ ବେଶ୍ ଉଲେଖନୀୟ ସଫଳତା ହାସଲ କରିଛି । ଜିଲ୍ଲାରେ ସୁସ୍ଥତା ହାର ରାଜ୍ୟ ଓ ଦେଶଠାରୁ ଅଧିକ ଥିବା ବେଳେ ମୃତୁ୍ୟହାର ସବୁଠାରୁ କମ । ଏହା କରୋନା ଯୋଦ୍ଧାଙ୍କ ସହ ପ୍ରଶାସନର ତ୍ୱରିତ ପଦକ୍ଷେପ, ଗଣମାଧ୍ୟମର ସହଯୋଗ ଓ ସାଧାରଣ ଲୋକମାନଙ୍କର ସରକାରୀ ମାର୍ଗଦର୍ଶିକା ପ୍ରତି ନିଷ୍ଠାର ଅନୁପାଳନର ପ୍ରମାଣ ବୋଲି ସେ କହିଥିଲେ । ସେହିପରି ପ୍ରଥମ ପର୍ଯ୍ୟୟରେ କରୋନାରୁ ସୁସ୍ଥ ହୋଇଥିବା ୪ଜଣ ବ୍ୟକ୍ତି ଗୁରୁତର କରୋନା ରୋଗୀଙ୍କ ଉନ୍ନତ ଚିକିତ୍ସା ପାଇଁ ସେମାନଙ୍କର ପ୍ଲାଜମା ଦାନ କରିବା ଏକ ବିରାଟ ଉପଲବ୍ଧୀ ବୋଲି କହିବା ସହ ସେମାନଙ୍କୁ କୃତଜ୍ଞତା ଜଣାଇଥିଲେ । କରୋନା ଏକ ଲମ୍ବା ଲଢେଇ । ତେଣୁ ପ୍ରତ୍ୟେକ ସଚେତନ ହୋଇ ନିଜର ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ସେ ଅନୁରୋଧ କରିଥିଲେ । ଚଳିତ ବର୍ଷ ମାଟ୍ରିକ ଓ +୨ ପରୀକ୍ଷାରେ ସଫଳ ହୋଇଥିବା ପରୀକ୍ଷାର୍ଥୀ ମାନଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ । କରୋନା କଟକଣା ଯୋଗୁ ଚଳିତ ବର୍ଷ ପ୍ୟାରେଡ କରାଯାଇନଥିଲା । ପୋଲିସ ବ୍ୟାଣ୍ଡ ଦ୍ୱାରା ରାଷ୍ଟ୍ରୀୟ ସଂଗୀତ ପରିବେଷଣ ସହ ଦର୍ଶକ ଭାବେ କୋଭିଡ ଯୋଦ୍ଧା ମାନଙ୍କୁ ଆମନ୍ତ୍ରଣ ଲରାଯାଇଥିଲା । ପୋଲିସ ରିଜର୍ଭ ଇନ୍ସିପେକ୍ଟର କାହ୍ନୁଚରଣ ମାର୍ଣ୍ଡି ପୋଲିସ ବ୍ୟାଣ୍ଡ ଓ ପଡିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପରେ ମନ୍ତ୍ରୀ ଶ୍ରୀ ଦାଶ ସର୍କିଟ ହାଉସରେ ବୃକ୍ଷରୋପଣ କରିଥିଲେ । ପ୍ରାରମ୍ଭରେ ଗାନ୍ଧିଛକଠାରେ ଥିବା ଗାନ୍ଧିଜୀ ଓ ସଂସ୍କୃୃତି ଭବନରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତିରେ ମୁଖ୍ୟ ଅତିଥି ଓ ଅନ୍ୟମାନେ ମାଲ୍ୟାର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି, ଜିଲ୍ଲାପାଳ ରଂଜନ କୁମାର ଦାସ, ଏସ.ପି ଚରଣସିଂ ମିନା, ଆଇ.ଏସ ପ୍ରୋବେସନର ସଚିନ ପାୱାର, ପ୍ରକଳ୍ପ ନିଦେ୍ର୍ଧଶକ ଇନ୍ଦ୍ରମଣି ନାୟକ, ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ, ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଅତିରିକ୍ତ ଏସ.ପି ଡଃ ଭବାନୀକାନ୍ତ ପଟ୍ଟନାୟକ, ଡେପୁଟି କଲେକ୍ଟର କୁଳମଣି ନାୟକ, ପୌରନିର୍ବାହୀ ଅଧିକାରୀ ଅଜୟ କୁମାର ମହାନ୍ତି, ସି.ଡି.ଏମ.ଓ ଡାକ୍ତର ସୁଧାଶୁଂ ଶେଖର ବଳଙ୍କ ସମେତ ତାଲିମ ନେଉଥିବା ପ୍ରଶାସନିକ ଅଧିକାରୀ ଓ ବିଭିନ୍ନ ବିଭାଗର କର୍ମଚାରୀ ପ୍ରମୁଖ ଯୋଗଦେଇଥିଲେ । ପ୍ରତ୍ୟୁଷରୁ ସହର ମଧ୍ୟରେ ଲୋକ ସମ୍ଫର୍କ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ରାମଧୂନ ପରିବେଷଣ କରାଯାଇଥିଲା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଆବାସିକ କାର୍ଯ୍ୟାଳୟ, ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ଏବଂ ଶିଳ୍ପାନୁଷ୍ଠାନ ମାନଙ୍କରେ ସ୍ୱାଧୀନତା ଦିବସ ପାଳିତ ହୋଇଥିଲା । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଓ କର୍ମଚାରୀ ମାନେ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସଂନ୍ଧ୍ୟାରେ ସଂସ୍କୃତି ଭବନ ସହ ଅନ୍ୟାନ୍ୟ କାର୍ଯ୍ୟଳୟକୁ ଆଲୋକ ମାଳାରେ ସଜିତ କରାଯାଇଥିଲା ।

Leave A Reply

Your email address will not be published.