ବିଧାୟକଙ୍କ ପ୍ରଚେଷ୍ଟାରେ ଏମ୍ସରେ ଭର୍ତ୍ତି ହେଲା କଣ୍ଟା ଗିଳିଥିବା ଶିଶୁ ଆକାଶ, ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ବିଧାୟକ ।

0 0

ବେଲଗୁଣ୍ଠା, ୨୬/୦୮(ପିପିଟି): ପେଟରେ ଲୁହା କଣ୍ଟା ରହିଯାଇ ଗତ ଏକ ମାସ ଧରି ଯନ୍ତ୍ରଣା ଭୋଗୁଥିବା ତିନି ବର୍ଷୀୟ ଶିଶୁ ଆକାଶ ଜେନାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସକୁ ପଠାଯାଇଛି। ଶିଶୁର ଦୁର୍ଦ୍ଦଶା ସମ୍ପର୍କରେ ଜାଣି ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ସହଯୋଗର ହାତ ବଢ଼ାଇଛନ୍ତି। ବିଧାୟକଙ୍କ ତତ୍ତ୍ୱାବଧାନରେ ଏକ କାର୍‌ ଯୋଗେ ଆକାଶଙ୍କୁ ତାଙ୍କ ବାପା-ମାଆଙ୍କ ସହ ଭୁବନେଶ୍ୱର ଏମ୍ସ ପଠାଯାଇଛି। ଆକାଶଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବିଧାୟକ ଶ୍ରୀ ବିଷୋୟୀ ବହନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।
ସୂଚନା ଅନୁଯାୟୀ, ବେଲଗୁଣ୍ଠା ବ୍ଲକ୍‌ ଆମ୍ବପୁଆ ପଞ୍ଚାୟତ ଅନ୍ତର୍ଗତ ଚଢ଼ିଆପଲ୍ଲୀ ଢେପସାହିର ତୋଫାନ ଜେନା ଓ ରିଙ୍କି ଜେନାଙ୍କ ତିନି ବର୍ଷୀୟ ପୁଅ ଆକାଶ ଗତ ଜୁଲାଇ ୩୦ ତାରିଖରେ ବାହାରେ ଖେଳୁଥିବା ସମୟରେ ପ୍ରାୟ ଦୁଇ ଇଞ୍ଚ ଲମ୍ବର ଏକ ଲୁହା କଣ୍ଟା ଗିଳି ଦେଇଥିଲେ। ଭୟରେ ସେ ଘଟଣା ସମ୍ପର୍କରେ ଘରେ କାହାକୁ କହିନଥିଲେ। ଦିନେ ଦୁଇଦିନ ପରେ ପେଟରେ ଅସହ୍ୟ ଯନ୍ତ୍ରଣା ହେବାରୁ ବାପାଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ପରେ ଅଗଷ୍ଟ ୧ ତାରିଖରେ ତୋଫାନ ଆକାଶଙ୍କୁ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଆବଶ୍ୟକ ଚିକିତ୍ସା ସୁବିଧା ନଥିବାରୁ ତାଙ୍କୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ପରବର୍ତ୍ତୀ ସମୟରେ ଆକାଶଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଥିଲା। ବ୍ରହ୍ମପୁରରେ ଏକ୍ସ-ରେ ପରେ କଣ୍ଟାଟି ଅନ୍ତନାଳୀ ନିକଟରେ ରହିଥିବା ଜଣାପଡ଼ିଥିଲା। ଡାକ୍ତରଙ୍କ ପରାମର୍ଶକ୍ରମେ କିଛିଦିନ ଔଷଧ ଦିଆଯାଇଥିବା ବେଳେ ଆଠ ଦିନ ପରେ କଣ୍ଟାଟି ମଳ ସହ ବାହାରିଯିବ ବୋଲି ପରିବାରକୁ କୁହାଯାଇଥିଲା। ତେବେ ଏପର୍ଯ୍ୟନ୍ତ କଣ୍ଟା ବାହାରିନଥିବାରୁ ଆକାଶ ପେଟ ଯନ୍ତ୍ରଣାରେ ଛଟପଟ ହେଉଥିଲା।
ଆକାଶଙ୍କ ବାପା ତୋଫାନ ଜଣେ ଶ୍ରମିକ ହୋଇଥିବାରୁ ପରିବାରର ଆର୍ଥିକ ସ୍ଥିତି ଦୁର୍ବଳ। ଶିଶୁର ଉନ୍ନତ ଚିକିତ୍ସା ଓ ଆବଶ୍ୟକ ଅସ୍ତ୍ରୋପଚାର ଖର୍ଚ୍ଚ ବହନ କରିବା ତାଙ୍କ ପାଇଁ କଷ୍ଟକର ହୋଇପଡ଼ିଥିଲା। ଏହି ସମୟରେ ବିଧାୟକ ନୀଳମଣି ବିଷୋୟୀଙ୍କ ସହଯୋଗ ପରିବାରକୁ ଆଶ୍ୱସ୍ତ କରିଛି। ଏମ୍ସରେ ଶିଶୁର ଆବଶ୍ୟକ ଚିକିତ୍ସା ଓ ପରବର୍ତ୍ତୀ ଚିକିତ୍ସା ପାଇଁ ବିଧାୟକ ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଶିଶୁଟି ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରୁ ବୋଲି ସ୍ଥାନୀୟ ଲୋକେ ଆଶା ପ୍ରକାଶ କରିଛନ୍ତି। ଆକାଶ କୁ ଭୁବନେଶ୍ୱର ଏମ୍ସ କୁ ଚିକିଛପାଇଁ ସହଯୋଗ ର ହାତ ବଢ଼ାଇଥିବାରୁ ବିଧାୟକ ଙ୍କୁ ବିଭିନ୍ନ ମହଳରୁ ପ୍ରଶଂସାର ସୁଅ ଛୁଟିଛି।

ରିପୋର୍ଟ -ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.