ଯାଜପୁର,୨୩/୧୨(ପିପିଟି); ଦୁଇ ରାଜନୈତିକ ଦଳର ସମର୍ଥିତ ଲୋକ ପ୍ରତିନିଧିଙ୍କ ମଧ୍ୟରେ ହଟ୍ଟଗୋଳ। ଫଳରେ ଚାଲିପାରିଲା ନାହଁ ପଞ୍ଚାୟତ ସମିତିର ସାଧାରଣ ପରିଷଦ ବୈଠକ। ଏଭଳି ଅଭାବନୀୟ ଘଟଣା ଆଜି ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବରୀ ପଞ୍ଚାୟତ ସମିତିର ସାଧାରଣ ପରିଷଦ ବୈଠକରେ। ବୈଠକ ଆରମ୍ଭରୁ ପଞ୍ଚାୟତ ପ୍ରତିନିଧିଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାକୁ ନେଇ ପଞ୍ଚାୟତ ସମିତି ବାହାରେ ଦୁଇ ଦଳର ସମର୍ଥକଙ୍କ ମଧ୍ୟରେ ଠେଲାପେଲା ଓ ମାରପିଟ ହୋଇଥିଲା। ଏଥିରେ ୨ଜଣ ଆହତ ହୋଇଥିବା ବେଳେ ୪/୫ଟି ବାଇକ ଭଙ୍ଗାରୁଜା ହୋଇଥିବା ସୂଚନା ମିଳିଛି। ଖବର ପାଇ ବରୀ ପୋଲିସ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଆଇନଶୃଙ୍ଖଳା ଦୃଷ୍ଟିକୋଣରୁ ବ୍ଲକ ପରିସରରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।ତେବେ ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଜଣାଯାଇଛି। ଏପଟେ ଆଜି ପଞ୍ଚାୟତ ସମିତି ବୈଠକ ଆରମ୍ଭରୁ ଏକ ପ୍ରସ୍ତାବରେ ସହମତି ନହେବାରୁ ଏଭଳି ଘଟଣା ଘଟିଥିବା କହିଛନ୍ତି ବରୀ ବିଡ଼ିଓ ଶିବାନନ୍ଦ ସ୍ୱାଇଁ ।