ଭୁବନେଶ୍ବର,୨୪/୧୨: ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କର ସକାଳ ସାଢ଼େ ୯ଟାରେ ଭୁବନେଶ୍ବରରେ ପରଲୋକ ହୋଇଯାଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରାମକୃଷ୍ଣ ପଟ୍ଟନାୟକଙ୍କ ପରଲୋକ ହୋଇଛି । ସେ ଅର୍ଥ ଓ ଗ୍ରାମ୍ୟ ଉନ୍ନୟନ ଭଳି ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ। ତେବେ ଶେଷ ଭାଗରେ ରାମକୃଷ୍ଣ ପଟ୍ଟନାୟକ ବିଜେପିରେ ଯୋଗ ଦେଇଥିଲେ। ୧୯୪୦ ମସିହା ଅଗଷ୍ଟ ୧୫ ତାରିଖରେ ଜନ୍ମଲାଭ କରିଥିବା ବରିଷ୍ଠ ରାଜନେତା ରାମକୃଷ୍ଣ ପଟ୍ଟନାୟକ ୧୯୭୭, ୧୯୮୦, ୧୯୯୦, ୧୯୯୫ ଓ ୨୦୦୦ ମସିହାରେ ଗଞ୍ଜାମ ଜିଲ୍ଲା କୋଦଳା ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ୧୯୯୦-୯୫ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ଥିଲେ। ଏହାପରେ ୨୦୦୦ ମସିହାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ସରକାରରେ ଅର୍ଥମନ୍ତ୍ରୀ ହୋଇଥିଲେ। ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଇଥିଲେ। ପୁଣି କଂଗ୍ରେସ ଛାଡି ବିଜେପି ରେ ଯୋଗ ଦେଇଥିଲେ। ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟ,ବାଚସ୍ପତି ସୂର୍ଯ୍ଯ ନାରାୟଣ ପାତ୍ର, ସିପିଆଇ ନେତା ରାମକୃଷ୍ଣ ପଣ୍ଡା, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ସମେତ ବିଭିନ୍ନ ରାଜନୈତିକ ଦଳ ନେତା ମାନେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।