ମାଲକାନଗିରି ,୧୨/୦୬(ପିପିଟି) :ରାସବେଡା ପଞ୍ଚାୟତର ପାଲକାଗୁଡା ଗ୍ରାମରେ ଗତ ୮ ତାରିଖ ଦିନ କୌଣସି କାରଣରୁ ଉକ୍ତ ଗ୍ରାମରେ ରହୁଥିବା ଶ୍ରୀପତି ମୁଦୁଲୀ ଏବଂ ହାଡ଼ି ମୁଦୁଲୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି ଘଟଣାକୁ ନେଇ ସେହିଦିନ ସନ୍ଧ୍ୟା ପ୍ରାୟ ୭ ଟା ବେଳେ ହାଡ଼ି ମୁଦୁଲୀ ଉତକ୍ଷିପ୍ତ ହୋଇ ଧନୁତୀର ଆଣି ହଠାତ ଶ୍ରୀପତିଙ୍କ ବାମ ଛାତିକୁ ତୀର ମାରିଥିଲା। ଯାହା ଫଳରେ ଶ୍ରୀପତିଙ୍କ ଛାତିରେ ତୀର ପଶି ଅଟକି ଯାଇଥିଲା। ତୀରଟି ଅଟକି ଯିବା ହେତୁ ସେ ଗୁରୁତର ଆହତ ହୋଇଯାଇଥିଲା। ତାକୁ ଚିକିତ୍ସା ନିମନ୍ତେ ତୁରନ୍ତ ଖଇରପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ କୋରାପୁଟ ମେଡିକାଲ ପଠା ଯାଇଥିଲା। କିନ୍ତୁ ଡାକ୍ତରମାନେ ସେଠାରେ ଅସ୍ତ୍ରୋପଚାର ନ କରି ତାକୁ ବ୍ରହ୍ମପୁର ମେଡିଲାଲକୁ ପଠାଇ ଦେଇଥିଲା। ସେଠାରେ ଡାକ୍ତରମାନଙ୍କ ଦ୍ୱାରା ଅସ୍ତ୍ରୋପଚାର କରି ଛାତିରୁ ତୀରକୁ ବାହାର କରିବାରେ ସଫଳ ହୋଇ ଥିଲେ । ବର୍ତ୍ତମାନ ସେ ସୁସ୍ଥ ଥିବା ଜଣା ପଡିଛି। ଏ ନେଇ ଶ୍ରୀପତିଙ୍କ ଝିଅ ପୂର୍ଣିମା ଗତ ୯ ତାରିଖରେ ଓର୍କେଲ ଥାନାରେ ଏକ ଲିଖିତ ଅଭିଯୋଗ ପ୍ରଦାନ କରିଥିଲା।ଏ ନେଇ ଥାନାରେ ଏକ ମାମଲା ୧୬୭/୨୦୨୫ ରେ ରୁଜୁ ହୋଇ ଥିଲା। ପୋଲିସ ଅଭିଯୁକ୍ତ ହାଡ଼ି ମୁଦୁଲୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଗତକାଲି ମଙ୍ଗଳବାର ନବରଙ୍ଗପୁରରୁ ଏକ ସ୍ୱତନ୍ତ ୫ ଜଣିଆ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରିବା ସହିତ ଶ୍ରୀପତିଙ୍କ ସାର୍ଟ ଏବଂ ଘଟଣା ସ୍ଥଳରେ ପଡିଥବା ରକ୍ତ ଛିଟାର ନମୁନା ସଂଗ୍ରହ କରିଛନ୍ତି। ହାଡ଼ିଙ୍କ ନିକଟରୁ ଘଟଣାରେ ବ୍ୟବହୃତ ହୋଇଥିବା ଧନୁକୁ ପୋଲିସ ଜବତ କରିବା ସହିତ ବୁଧବାର ହାଡିକୁ ଗିରଫ କରି କୋର୍ଟ ଚାଲାଣ ଯାଇଥିବା ଓର୍କେଲ ଥାନା ଅଧିକାରୀ ଧିରେନ ପଟ୍ଟନାୟକ ପ୍ରକାଶ କରିଛନ୍ତି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)