ମାଲକାନଗିରି,୦୮/୧୦(ପିପିଟି):ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଠାରେ ଚଳିତ ମାସ ୬ ଓ ୭ ତାରିଖ ଦୁଇ ଦିନ ବ୍ଯାପି ସିପିଆଇ(ଏମ)ର ଜିଲ୍ଲା ସ୍ତରୀୟ ସାଂଗଠାନିକ କମିଟି ସମ୍ମିଳନୀ ଅନୁଠଷ୍ଠିତ ହୋଇ ଯାଇଛି। ଏହି ସମ୍ମିଳନୀକୁ ସିପିଆଇ(ଏମ) ଓଡ଼ିଶା ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଯୋଗ ଉଦଘାଟନ କରିଥିଲା ବେଳେ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ଜଗନ୍ନାଥ ମିଶ୍ର ଉଦଯାପନୀ ଭାଷଣ ପ୍ରଦାନ କରିଥିଲେ। ପ୍ରଥମ ଦିନର ଖୋଲା ଅଧିବେଶନ ନିମନ୍ତେ ଚିତ୍ରକୋଣ୍ଡାରେ ଲାଲ୍ ପତାକା ଧରି ଶତାଧିକ ଲୋକ ଯୋଗ ଦେଇ ଏକ ବିରାଟ ଶୋଭଯାତ୍ରାରେ ସହର ପରିକ୍ରମା କରିଥିଲେ । ସମ୍ମିଳନୀ ପ୍ରସ୍ତୁତି କମିଟିର ସଭାପତି ବଳରାମ ଗୋଲାରିଙ୍କ ଅଧକ୍ଷତାରେ ହାଟ ପଦାଠାରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଭାଷଣ ଦେଇ ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ ରାଜ୍ୟ ସରକାରଙ୍କ ମାଲକାନଗିରି ଜିଲ୍ଲାର ବିକାଶ ପ୍ରଚାରକୁ ଧୂଆଁ ବଣରେ ପରିଣତ ହୋଇଛି ବୋଲି ଅଭିଯୋଗ କରିଥିଲେ। ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଆଦିବାସୀମାନଙ୍କୁ ଜଙ୍ଗଲ ଜମିର ଅଧିକର ଏକ ପ୍ରହସନରେ ପରିଣତ ହୋଇଛି। ବିଚ୍ଛିନ୍ନାଞ୍ଚକୁ ସ୍ବାଭିମାନ ଅଞ୍ଚଳ ଘୋଷଣା କରିଦେଇ ରାସ୍ତାଘାଟ ସଂଯୋଗ କରିଦେଲେ ବିକାଶ ହେବ ନାହିଁ, ଏହି ଉପାନ୍ତ ଓ ଉପେକ୍ଷିତ ଅଞ୍ଚଳର ଲୋକଙ୍କ ପାଇଁ ଚାଷଜମି, ବାସଗୃହ ଯୋଗାଣ ସହ ଅର୍ଥିକ ବିକାଶ ପାଇଁ ଯୁଦ୍ଧକାଳୀନ ପଦକ୍ଷେପ ନେବାକୁ ଦାବି କରିଥିଲେ । ଶିଳ୍ପ ଶୂନ୍ୟ ମାଲକାନଗିରିର ଆର୍ଥିକ ଉନ୍ନତି ପାଇଁ ସରକାର ବିଫଳ ଯୋଗୁଁ ହଜାର ହଜାର ଶ୍ରମିକ ବାହାର ରାଜ୍ୟକୁ କର୍ମ ଅନ୍ୱେଷଣରେ ଯିବାକୁ ବାଧ୍ୟ ହେଉଛନ୍ତି । ସମ୍ବିଧାନର ପଞ୍ଚମ ଅନୁଛେଦ ଭୁକ୍ତ ଅଞ୍ଚଳଗୁଡିକରେ ପେଶା ଆଇନକୁ ସମ୍ପୂର୍ଣ୍ଣ ଅଣଦେଖା କରି ଜିଲ୍ଲାର ମୂଲ୍ୟବାନ ଖଣିଜ ଓ ବନସମ୍ପଦକୁ ଲୁଟ୍ ହେବାରେ ଲାଗିଛି। ପୂର୍ବର ଏସାର କମ୍ପାନୀ ଓ ବର୍ତ୍ତମାନର ମିତ୍ତଲ କଂପାନୀ ଜିଲ୍ଲାର ଶହ ଶହ ଚାଷଜମି ଦେଇ ପାଇପ ଜରିଆରେ ଖଣିଜ ପଦାର୍ଥ ଚାଲାଣ କରୁଥିବା ବେଳେ ସିଏସଆର କାର୍ଯ୍ୟକ୍ରମ ପାଇଁ ମୋଟେ ଖର୍ଚ୍ଚ କରୁନଥିବା ଶ୍ରୀ ପଟ୍ଟାୟକ କହିଛନ୍ତି । ସେହିପରି ସାନ୍ଧ୍ର ପ୍ରଦେଶରେ ପୋଲଭୋରମ୍ ବହୁମୁଖି ଜଳ ପ୍ରକଳ୍ପ ନିର୍ମାଣ ଯୋଗୁଁ ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳ ବିଶେଷ ଭାବେ କ୍ଷତିଗ୍ରସ୍ତ ହେବ ଏବଂ ଏହାକୁ ବନ୍ଦକରିବା ଲାଗି ଓଡ଼ିଶା ସରକାର ଉଚିତ ପଦକ୍ଷେପ ନେଉଁ ନଥିବା ଅଭିଯୋଗ କରିଛନ୍ତି । ସଭାରେ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ଜଗନ୍ନାଥ ମିଶ୍ର, ଜିଲ୍ଲା ସଂପାଦକ ବ୍ରଜ ମାଝୀ, ଭୂପେଶ କର୍ମକାର, କୃଷ୍ଣ ପାଣ୍ଡୀ, ରଘୁ ନାଥ ହନ୍ତାଳ, ପ୍ରମୁଖ ଅଭିଭାଷଣ ପ୍ରଦାନ କରି ଥିଲେ । ସମ୍ମିଳନୀରେ ସିପିଆଇ (ଏମ) ମାଲକାନଗିରି ଜିଲ୍ଲା ନିମନ୍ତେ ୧୦ ଜଣିଆ ଜିଲ୍ଲା କମିଟି ଓ ଏହାର ସଂପାଦକ ଭାବେ ଦ୍ୱିତୀୟ ଥର ପାଇଁ ବ୍ରଜ ମାଝୀଙ୍କୁ ସର୍ବ ସମ୍ମତିକ୍ରମେ ଚୟନ କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)