ଇସ୍ପାତ ନଗରୀ କଳିଙ୍ଗନଗର ରେ ବନ୍ଦ ହୋଇପଡିଥିବା କାରଖାନାକୁ ଚାଲୁ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିବେଦନ କଲେ , ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ ଘଡେଇ ।

0 251

ଯାଜପୁର,(ପିପିଟି)୦୬/୦୬,  ଯାଜପୁର ଜିଲ୍ଲା କଳିଙ୍ଗନଗର ଠାରେ ପ୍ରତିଷ୍ଠିତ ରାଷ୍ଟ୍ରାୟତ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମ ଲିଃ, ମେସ୍କୋ ଷ୍ଟିଲର ମିଡ ଇଷ୍ଟ ଇଂଟିଗ୍ରେଟେଡ ଷ୍ଟିଲ ଲିଃ, ମୈଥାନ ଇସ୍ପାତ ଲିଃ ଏବଂ କେ.ଜେ. ଇସ୍ପାତ ପ୍ରା. ଲିଃ. କାରଖାନା ଦୀର୍ଘ ଦିନ ହେବ ବନ୍ଦ ହୋଇ ପଡିଛି । କଳିଙ୍ଗନଗର ଆରମ୍ଭ ହେବାବେଳେ ଯେଉଁ ଦୁଇଟି କାରଖାନା ନିର୍ମାଣ ଆରମ୍ଭ କରିଥିଲେ ଏବଂ ଯାହା ବିଜୁ ବାବୁଙ୍କ ଦ୍ୱାରା ଆରମ୍ଭ ହୋଇଥିଲା, ସେମାନେ ହେଲେ ମେସ୍କୋ ଷ୍ଟିଲ ଏବଂ ନୀଳାଚଳ ଇସ୍ପାତ କାରଖାନା । ସେ ଦୁଇଟି କାରଖାନା ବନ୍ଦ ହେବା କଳିଙ୍ଗନଗର ପାଇଁ ଅତ୍ୟନ୍ତ ଦୁଃଖଦାୟକ ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ତଥା କଳିଙ୍ଗ ନଗର ମଜଦୁର ୟୁନିୟନର ମୁଖ୍ୟ ଉପଦେଷ୍ଟା ଡଃ.ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଏକ ପ୍ରେସ ବିବୃତି କହିଛନ୍ତି ।ଶ୍ରୀ ଘଡ଼ାଇ ଗଭୀର ଉଦବେଗ ପ୍ରକାଶ କରି କହିଛନ୍ତି ଏହି କାରଖାନା ଗୁଡିକ ଉତ୍ପାଦନ ବନ୍ଦ ରହିବା ଫଳରେ ବର୍ତମାନ ପ୍ରାୟ ଆଠ ହଜାର ଶ୍ରମିକ କର୍ମଚାରୀ ଦୀର୍ଘଦିନ ହେବ ଦରମା ନପାଇ ଅତି ଦୟନୀୟ ଭାବରେ କାଳ କାଟୁଛନ୍ତି । ଇତି ମଧ୍ୟରେ ଅନେକ ଠିକା ଶ୍ରମିକ ନିଯୁକ୍ତି ହରାଇ ସାରିଥିବା ବେଳେ ସ୍ଥାୟୀ କର୍ମଚାରୀ ଏବଂ ଅନ୍ୟମାନେ ନିଜର ଚାକିରୀକୁ ନେଇ ସନ୍ଦିହାନ ଅବସ୍ଥାଦେଇ ଗତି କରୁଛନ୍ତି । ଅପର ପକ୍ଷରେ ସରକାର ଏଠାରୁ ପାଉଥିବା ଜି.ଏସ.ଟି., ଭାଟ, ଡି.ଏମ.ଏଫ ଇତ୍ୟାଦି ରାଜସ୍ୱ ନପାଇବା ଫଳରେ ରାଜ୍ୟ ରାଜକୋଷକୁ କ୍ଷତି ପହଂଚୁଛି । କରୋନା ମହାମାରୀ ସହିତ ଦରମା ନପାଇବାର ଦୁଃଖ କର୍ମଚାରୀ ମାନଙ୍କର ଆର୍ଥିକ ବୋଝକୁ ଦ୍ୱିଗୁଣିତ କରିଦେଉଛି । ଏଥିସହିତ ରାଜ୍ୟର ଅନ୍ୟାନ୍ୟ ଶିଳ୍ପାଂଚଳ ଗୁଡିକରେ ମଧ୍ୟ କିଛି ଶିଳ୍ପ ବନ୍ଦ ହୋଇ ପଡିଛି । ତେଣୁ ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରି ଶିଘ୍ର କାରଖାନା ଗୁଡିକ ଚଲାଇବାପାଇଁ ପଦକ୍ଷେପ ନେବାକୁ ଶ୍ରୀ ଘଡାଇ ଏକ ପ୍ରେସ ବିବୃତି ମାଧ୍ୟମରେ ରାଜ୍ୟ ମୁଖ୍ୟମନ୍ତ୍ରୀ, ଶିଳ୍ପ ମନ୍ତ୍ରୀ, ଇସ୍ପାତ ଓ ଖଣି ମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଅନୁରୋଧ କରିଛନ୍ତି । ଅଧିକନ୍ତୁ, ନୀଳାଚଳ ଇସ୍ପାତ ନିଗମ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟୋଗ ହୋଇଥିବାରୁ ଏବଂ ଏହାକୁ ଚାଲୁକରିବା ପାଇଁ ଏମ.ଏମ.ଟି.ସି ଆବଶ୍ୟକୀୟ ଅଂଶଧନ ବା କାର୍ଯ୍ୟକାରୀ ପୁଂଜି ଏବଂ କୋଇଲା ଦେଉନଥିବାରୁ ଏହି କାରଖାନାକୁ ପୁନଃକାର୍ଯ୍ୟକ୍ଷମ କରିବା ପାଇଁ ବିହିତ ପଦକ୍ଷେପ ନେବାକୁ ଡଃ. ଘଡାଇ ରାଜ୍ୟ ସରକାରଙ୍କ ସହିତ କେନ୍ଦ୍ର ଇସ୍ପାତ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବାଣିଜ୍ୟ, ଶିଳ୍ପ ତଥା ରେଲୱେ ମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ଏହି ପ୍ରେସ ବିବୃତିରେ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.