ଅଙ୍ଗନୱାଡି କେନ୍ଦ୍ରରେ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଅଣ୍ଡା ଯୋଗାଣ ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ଡାକରା ।

0 1,345

ବ୍ରହ୍ମପୁର,(ପିପିଟି ନ୍ଯୁଜ୍)୨୯/୦୫,ଅଙ୍ଗନୱାଡି କେନ୍ଦ୍ରରେ ସ୍ବୟଂ ସହାୟକ ଗୋଷ୍ଠୀକୁ ଅଣ୍ଡା ଯୋଗାଣ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ପ୍ରଦତ୍ତ ନିର୍ଦ୍ଦେଶନାମା ପ୍ରତ୍ଯାହାର ଦାବିରେ ଆସନ୍ତା ଜୁନ୍ ୧୭ ତାରିଖ ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦାବି ହାସଲ ପର୍ଯ୍ୟନ୍ତ ଧାରଣା ଦେବା ପାଇଁ ଆଜି ନିଖିଳ ଓଡିଶା ଅଙ୍ଗନୱାଡି କର୍ମୀ ସଂଘ,ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଏକ ଖବରଦାତା ସମ୍ମିଳନୀରେ ଆହ୍ୱାନ ଦିଆଯାଇଛି ।ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶନାମା ଅନୁସାରେ ସ୍ଥାନୀୟ ବଜାରରୁ କ୍ରୟ କରି କର୍ମୀ ମାନେ ଟିଏଚଆର ଓ ପ୍ରାକ୍ ବିଦ୍ୟାଳୟ ଶିଶୁମାନଙ୍କୁ ରନ୍ଧା ଖାଦ୍ୟ, ଅଣ୍ଡା ଓ ଛତୁଆ ପ୍ରଦାନ କରିଆସୁଛନ୍ତି ।ସାମ୍ଭାବ୍ଯ କୋଭିଡ୍ ୧୯ ମହାମାରୀ ପାଇଁ ରାଜ୍ୟ ସରକାର ଅଙ୍ଗନୱାଡି କେନ୍ଦ୍ର ଗୁଡ଼ିକ ମାର୍ଚ୍ଚ ୧୫ ଠାରୁ ଜୁନ୍ ୩୦ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶନାମା ହୋଇଛି ।ବନ୍ଦ ରଖିବା ସହ ପ୍ରାକ୍ ବିଦ୍ୟାଳୟ ଶିଶୁ ,ଗର୍ଭବତୀ ଓ ପ୍ରସୂତୀ ଏବଂ ଜନ୍ମ ଠାରୁ ୩ ବର୍ଷ ଶିଶୁଙ୍କୁ ପ୍ରଦତ୍ତ ସାମଗ୍ରୀ ପ୍ରଦାନ ପାଇଁ ମାର୍ଗଦର୍ଶିକା ପ୍ରଦାନ କରିଛନ୍ତି ।ଅପରପକ୍ଷରେ ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକ ସମସ୍ତ ହିତାଧିକାରୀଙ୍କୁ ପ୍ରଦାନ କରାଯାଉଥିବା ଅଣ୍ଡା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ବାରା ଯୋଗାଣ ନିମନ୍ତେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶନାମା ସରକାରଙ୍କ ନିର୍ଦ୍ଦେଶନାମାକୁ ଉଲ୍ଲଂଘନ କରୁଛି ।ଜିଲ୍ଲାରେ କିଛି ମୁଷ୍ଟିମେୟ ବ୍ଯକ୍ତି ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରି ଆରମ୍ଭରୁ ସେମାନଙ୍କ ବ୍ଯବସାୟ ଚଳାଇ ଆସିବା ସହ କୋଟିକୋଟି ଟଙ୍କା କରିବା ସହ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣିଙ୍କୁ ହାତ କରି ଅଣ୍ଡା ଓ ଛତୁଆ ବ୍ଯବସାୟ ଚଳାଇଥିବା ନେଇ ସଂଘ ଅଭିଯୋଗ ଉଠାଇଛି ।ବାସ୍ତବିକତାକୁ ବିଚାର କରି ଅଣ୍ଡା ପ୍ରଦାନ ସମ୍ପର୍କିତ ନିର୍ଦ୍ଦେଶନାମା ପ୍ରତ୍ଯାହାର ସହ ପ୍ରତ୍ୟେକ ପ୍ରକଳ୍ପର ଆରମ୍ଭ ଠାରୁ ଏପର୍ଯ୍ୟନ୍ତ ଛତୁଆ ଯୋଗାଉଥିବା ଏସଏଚଜି ନାମରେ ବ୍ଯାପର କରୁଥିବା ବେପାରୀ ମାନଙ୍କ ସଂସ୍ଥାକୁ ସଠିକ୍ ଯାଞ୍ଚ କରିବା ସହ ସେମାନଙ୍କୁ ପରିବର୍ତ୍ତନ କରି ଅନ୍ୟ ଏସଏଚଜିଙ୍କୁ ଛତୁଆ ଉତ୍ପାଦନ ଓ ବଣ୍ଟନ ଦାୟିତ୍ୱ ପ୍ରଦାନ କରିଯାଉ ।ଅନୁରୁପ ଭାବେ ଅଙ୍ଗନୱାଡି କେନ୍ଦ୍ରର ପ୍ରାକ୍ ବିଦ୍ୟାଳୟ ଶିଶୁ ମାନଙ୍କୁ ସରକାରଙ୍କ ନିର୍ଦ୍ଦେଶମତେ ଯଦି କୌଣସି ଏସଏଚଜିର ସିଲେଇ ୟୁନିଟ ଥାଏ ତାହାହେଲେ ସେମାନଙ୍କ ଠାରୁ ପୋଷାକ କିଣିବା ଯଦି ଏହି ଭଳି ସଂସ୍ଥା ନଥାଏ ,ତେବେ ଅଙ୍ଗନୱାଡି କର୍ମୀ ପୋଷାକ କ୍ରୟକରି ବଣ୍ଟନ କରିବା ନିୟମ ଥିଲେ ମଧ୍ୟ ତାକୁ ଉଲ୍ଲଂଘନ କରି କାର୍ଯ୍ୟ କରାଯାଉଥିବା ସଂଘ ଅଭିଯୋଗ ଆଣିଛି । ଆଜିର ଖବରଦାତା ସମ୍ମିଳନୀରେ ରାଜ୍ୟ କାର୍ଯ୍ୟକାରୀ ସଭାପତି ବିଜୟ ଜେନା,ଜିଲ୍ଲା ସଭାପତି ମମତାଜ ଖୁଣ୍ଟିଆ,ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରବୀଣ କୁମାର ଦାସ,ସମ୍ପାଦିକା ନର୍ମଦା ନାହାକ,ମାଣିକେଶ୍ବରୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.