ପୋଲସରା,୧୦/୦୭ (ପିପିଟି):ପୋଲସରା ମ୍ୟୁନିସିପାଲିଟିର ୭ ନମ୍ବର ୱାର୍ଡ ସ୍ଥିତ ଫରେଷ୍ଟ କଲୋନୀ ମୁଖ୍ୟରାସ୍ତା ବର୍ତ୍ତମାନ ସମୟରେ ଜନସ୍ଵାସ୍ଥ୍ୟ ବିଭାଗ ଓ ମ୍ୟୁନିସିପାଲିଟି ଉଭୟଙ୍କର ଦାୟିତ୍ଵହୀନତା ଓ ଚରମ ଅବହେଳାରୁ ପିଇବା ପାଣି ନଷ୍ଟ ହେବାସହ ଉକ୍ତ ବହିଯାଉଥିବା ପାଣି ଶିଉଳି ଦ୍ଵାରା ଯାତାୟାତ କରୁଥିବା ସାଧାରଣ ଜନତାଙ୍କ ମୂଲ୍ୟବାନ ଜୀବନ ବିପନ୍ନ ହୋଇପଡିଥିବା ଜଣାପଡିଛି । ମିଳିଥିବା ଅଭିଯୋଗ ପ୍ରକାରେ ଏହି କଲୋନୀରେ ପୋଲସରା ବନାଞ୍ଚଳର ମୁଖ୍ୟ କାର୍ଯ୍ୟାଳୟ ଅଛି । ପୁଣି ଏହି କାର୍ଯ୍ୟାଳୟ ସମ୍ମୁଖ ଦେଇ ସ୍ଥାନୀୟ ଧନେଇ ନଦୀରୁ ଜନସ୍ଵାସ୍ଥ୍ୟ ବିଭାଗଦ୍ଵାରା ପୋଲସରା ସହରକୁ ପାନୀୟ ଜଳ ଯୋଗାଣ ସକାଶେ ପାଇପ୍ ବିଛାଯାଇଛି । ତେବେ ବିଡମ୍ବନାର ବିଷୟ ୨ ମାସ ହେବ ପାଣି ପାଇପଟି ଫାଟି ଯାଇ ସେଥିରୁ ଅନବରତ ପାଣି ବାହାରି ବୋହି ଯାଉଛି । ଯାହାଫଳରେ ସିମେଣ୍ଟ ରାସ୍ତାଟି ସବୁବେଳେ ଜଳମଗ୍ନ ରହି ଶିଉଳି ଜମିରହିବା ଦ୍ଵାରା ଯିବା ଆସିବା କରୁଥିବା ପଥଚାରୀ, ସ୍କୁଲକୁ ଯାଉଥିବା ଛାତ୍ର ଛାତ୍ରୀମାନେ ସମୟେ ସମୟେ ଶିଉଳି ପ୍ରଭାବରେ ତଳେ ଖସିପଡି ଆହତ ହେଉଥିବାର ଗୁରୁତର ଅଭିଯୋଗ କରିଛନ୍ତି । ବିଶେଷକରି କୁନି କୁନି ପିଲାମାନେ ଏବଂ ବୟସ୍କ ବ୍ୟକ୍ତିମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୂଚନା ଯୋଗ୍ୟ ଯେ ପୋଲସରା ସହର ମୁଖ୍ୟ ସଡକ ଠାରୁ ଏହି ଗୋଟିଏ ମାତ୍ର ମୁଖ୍ୟରାସ୍ତାଟି ୫ନଂ ୱାର୍ଡ ବାଲିଘାଇ ଓ ୪ ନଂ ୱାର୍ଡ଼ ସିଦ୍ଧିପୁର ଉଭୟ ଗ୍ରାମକୁ ସଂଯୋଗ କରୁଥିବା ବେଳେ ପ୍ରତିଦିନ ଏହି ରାସ୍ତାରେ ଶତାଧିକ ସଂଖ୍ୟାରେ ଗାଡି ମଟର ଯିବା ଆସିବା କରୁଥିବା ଯୋଗୁଁ ସବୁଠାରୁ ଅଧିକ ଦୁଇଚକିଆ ଚାଳକମାନେ ଅସାବଧାନତା କାରଣରୁ ଗାଡିର ଚକା ସ୍ଲିପ୍ ହୋଇ ଦୁର୍ଘଟଣାର ଶିକାର ହେଉଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଏହି କି ଗୋଟିଏ ପଟେ ଜନସ୍ଵାସ୍ଥ୍ୟ ବିଭାଗର ଦାୟିତ୍ୱହୀନତା ଏବଂ ଅଣଦେଖା ପାଇଁ ଫଟା ପାଇପରୁ ପିଇବା ପାଣି ସୁଅ ରାସ୍ତାରେ ବହି ଯାଉଥିବା ବେଳେ ଅନ୍ୟପଟେ ସ୍ଥାନୀୟ ମ୍ୟୁନିସିପାଲିଟି ପକ୍ଷରୁ ନୀୟମ ପ୍ରକାରେ ସଡକର ଉଭୟ ପଟେ ନାଳର କୌଣସି ସୁବିଧା କରାଯାଇନାହିଁ । ଯଦ୍ଵାରା ଉଭୟ ପ୍ରଶାସନିକ ବିଭାଗର ଚରମ ଅବହେଳା ଯୋଗୁଁ ସାଧାରଣ ନିରୀହ, ସାଧାରଣ ଜନତା ଦୁର୍ଦ୍ଦଶା ଭୋଗିବାକୁ ବାଧ୍ୟ ହେଉଛନ୍ତି ।
ଏହି ଗୁରୁତର କୃତ୍ରିମ ସମସ୍ୟାକୁ ନେଇ ପ୍ରଶ୍ନ ପଚରାଯିବାରୁ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଜେନାଙ୍କ ଠାରୁ ଏହି ରାସ୍ତାର ମରାମତି ଓ ଡ୍ରେନ ନିର୍ମାଣ କାର୍ଯ୍ୟପାଇଁ ବର୍ତ୍ତମାନ ଏଷ୍ଟିମେଟ୍ ଚାଲିଛି ଟେଣ୍ଡର ପ୍ରକ୍ରିୟା ପରେ କାମ ଆରମ୍ଭ ହେବ ବୋଲି ସୂଚନା ମିଳିଥିବା ବେଳେ ଜନସ୍ଵାସ୍ଥ୍ୟ ବିଭାଗର କନିଷ୍ଠ ଯନ୍ତ୍ରୀ ସୁଦାମ ମିଶ୍ର ଖୁବ୍ ଶୀଘ୍ର ପାଇପର ମରାମତି କରାଯାଇ ସ୍ଥାୟୀ ସମାଧାନ କରାଯିବ ବୋଲି ସୂଚନା ଦେଇଛନ୍ତି। ତେବେ ମିଳିଥିବା ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରକାରେ ପୂର୍ବରୁ ମଧ୍ୟ ଏହି ଫଟା ପାଇପ ପାଣି ସମସ୍ୟାକୁ ମରାମତି କରାଯାଇଥିଲେ ସୁଦ୍ଧା କିଛିଦିନ ପରେ ପୁନର୍ବାର ସେହି ସମସ୍ୟା ଦେଉଥିବାକୁ ନେଇ କଲୋନୀ ବାସିନ୍ଦାମାନେ ଅତି କ୍ଷୋଭର ସହିତ କହିବା ସହିତ ଏହାର ସ୍ଥାୟୀ ସମାଧାନ ସ୍ୱରୂପ ସଠିକ୍ ଭାବେ ମରାମତି କରିବାକୁ ଉଭୟ ପ୍ରଶାସନିକ ଵିଭାଗ ନିକଟରେ ଦାବୀ କରିଛନ୍ତି।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା