ନିଆରା ଶିକ୍ଷକ ପ୍ରସନ୍ନ ସାର୍ ।

ବେଗୁନିଆପଡ଼ା ,୦୫/୧୧(ପିପିଟି ):ପେଷା ତାଙ୍କର ଶିକ୍ଷକତା ନିଶା କିନ୍ତୁ ସାହିତ୍ୟ ସର୍ଜ୍ଜନା ଓ ସମାଜସେବା । ଦୀର୍ଘ ୩୫ ବର୍ଷ ଶିକ୍ଷାଦାନ କରି ଅନେକ ସ୍ମୃତି, ସମ୍ମାନ ଓ ଲୋକପ୍ରିୟତା ହାସଲ କରିଛନ୍ତି ଶିକ୍ଷକ ପ୍ରସନ୍ନ କୁମାର ନାୟକ । ସଂମ୍ପ୍ରତି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ଦଣ୍ଡପାଣି ସୁମନ୍ତରାୟ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ରୂପେ କାର୍ଯ୍ୟରତ ଶ୍ରୀ ନାୟକ । ଶ୍ରୀ ନାୟକ ଖୋର୍ଦ୍ଧା ଜିଲ୍ଲା ନିମିକ୍ଷେତା ଗ୍ରାମରେ ପିତା ସ୍ୱର୍ଗତ ଉଦୟନାଥ ନାୟକ ଓ ମାତା ସ୍ୱର୍ଗତା ଶଶୀ ଦେଇଙ୍କ କୋଳମଣ୍ଡନ କରି ୧୯୭୧ ମସିହାରେ ଜନ୍ମଗ୍ରହଣ କରିଥିଲେ । ବିଜ୍ଞାନ ଶିକ୍ଷା ସହ ସାହିତ୍ୟ ସୃଷ୍ଟି ଏବଂ ସମାଜସେବାରେ ବ୍ରତୀ ହୋଇ ଅନେକ ପ୍ରଶଂସା ସାଉଁଟିଛନ୍ତି ସେ । ରକ୍ତଦାନ ଶିବିର ଆୟୋଜନ ସାଙ୍ଗକୁ ବୃକ୍ଷରୋପଣ, ଜଙ୍ଗଲ ସୁରକ୍ଷା, ହରିଣ ସୁରକ୍ଷା ଆଦି ବିଭିନ୍ନ ଜନ ସଚେତନତା କାର୍ଯ୍ୟକ୍ରମ କରିବାରେ ସେ ସଦା ନିମଗ୍ନ ରହନ୍ତି । ଅଦ୍ୟାବଧି ସେ ଆଠଗୋଟି ପୁସ୍ତକ ରଚନା କରିଛନ୍ତି । ଶିଶୁ ପୁସ୍ତକ ‘ କୁନି କୁସୁମ ‘, ‘କୁନି କଳିକା’ ଏବଂ ବିଜ୍ଞାନ ସମ୍ବନ୍ଧୀୟ ପୁସ୍ତକ ତଥା ‘ବିଜ୍ଞାନ ଗୀତିକା’, ‘ବିଜ୍ଞାନ ସଂକ୍ଷିପ୍ତ’,’ଶରୀର ଗାଥା’ ରଚନା କରିଛନ୍ତି ସେ । ତାଙ୍କର ଦୁଇଟି ପୁସ୍ତକ ଓଡିଶାର ପୂର୍ବତନ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ଵଭୂଷଣ ହରିଚନ୍ଦନ ଉନ୍ମୋଚିତ କରି ବେଶ ଖୁସିବ୍ୟକ୍ତ କରିଛନ୍ତି । ତାଙ୍କର ଏକ ଜୀବନୀ ପୁସ୍ତକ ‘ସ୍ୱାଭିମାନର ବାର୍ତ୍ତାବହ’ ମଧ୍ୟ ପ୍ରକାଶିତ ହୋଇ ପ୍ରଶଂସା ସାଉଁଟିଛି । ଉନ୍ନତମାନର ବିଜ୍ଞାନ ଶିକ୍ଷା, ସାହିତ୍ୟ ସର୍ଜ୍ଜନା ସାଙ୍ଗକୁ ସମାଜସେବା ପାଇଁ ସେ ପାଇଛନ୍ତି ଅନେକ ପୁରସ୍କାର, ସମ୍ମାନ ଓ ସମ୍ବର୍ଦ୍ଧନା । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ‘ରାଜ୍ୟ ପୁରସ୍କାର ବା ରାଜ୍ୟପାଳ ପୁରସ୍କାର’, ଭାରତ ସରକାରଙ୍କ ଏନ.ସି.ଏସ.ସି ଓଡିଶା ଶାଖା ତରଫରୁ ‘ରାଜ୍ୟ ଶିକ୍ଷକ ପୁରସ୍କାର’,ପ୍ରକୃତି ବନ୍ଧୁ ପୁରସ୍କାର, କୃତି ଶିକ୍ଷକ ସମ୍ମାନ, ‘ବିପଦର ବନ୍ଧୁ ସମ୍ମାନ’, ‘ଶ୍ରେଷ୍ଠ ବିଜ୍ଞାନ ଶିକ୍ଷକ ସମ୍ମାନ’, ‘ଆଦର୍ଶ ଶିକ୍ଷକ ସମ୍ମାନ’, ‘ଗଞ୍ଜାମ ଜ୍ୟୋତି ସମ୍ମାନ’,’ଶିକ୍ଷା ଜ୍ୟୋତି ସମ୍ମାନ’, ‘ଶିକ୍ଷକ ସମ୍ମାନ’, ‘ଗୁରୁବ୍ରହ୍ମା ସମ୍ମାନ’ ପାଇବା ସହ ବିଭିନ୍ନ ଅନୁଷ୍ଠାନରୁ ପାଇଛନ୍ତି ଅନେକ ସମ୍ବର୍ଦ୍ଧନା । ଶିକ୍ଷାଦାନ ସହ ଗଞ୍ଜାମ ଜିଲ୍ଲା ବିଜ୍ଞାନ କାର୍ଯ୍ୟକ୍ରମରେ ସେ ଅନେକ ଥର ସାଧନ କର୍ମୀ ଭାବରେ ଯୋଗଦେଇ ପ୍ରଶଂସା ଅର୍ଜନ କରିଛନ୍ତି । ଏପରିକି ତାଙ୍କ ତତ୍ୱାବଧାନରେ ତାଙ୍କ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଭିନ୍ନ ବିଜ୍ଞାନ କାର୍ଯ୍ୟକ୍ରମରେ ଭାଗନେଇ ବହୁ ପୁରସ୍କାର ଜିଣିଛନ୍ତି । ବ୍ୟତିଗତ ଭାବେ ସେ ଶିକ୍ଷକ ବିଜ୍ଞାନ କଂଗ୍ରେସରେ ଭାଗନେଇ ତାଙ୍କର ବିଜ୍ଞାନଭିତ୍ତିକ ସନ୍ଦର୍ଭ ଉପସ୍ଥାପନ କରିଛନ୍ତି ମଧ୍ୟ ।

Comments (0)
Add Comment