ସର୍ଭେ କାର୍ଯ୍ୟର ଅନୁଧ୍ୟାନ କଲେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ସଂଗ୍ରାମ ଶେଖର ପଣ୍ଡା ।

ମାଲକାନଗିରି,୦୪/୧୧(ପିପିଟି): ମାଲକାନଗିରି ଜିଲ୍ଲାରେ ଚାଲିଥିବା ଘରକୁ ଘର ବୁଲି ସର୍ଭେ ତଥା ଡୋର୍ ଟୁ ଡୋର୍ ସର୍ଭେ କାର୍ଯ୍ୟକ୍ରମର ଅନୁଧ୍ୟାନ ଓ ସମୀକ୍ଷା କରିଛନ୍ତି ଜିଲ୍ଲା ପାଇଁ ନିଯୁକ୍ତ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ତଥା ଅତିରିକ୍ତ ଶାସନ ସଚିବ ସଂଗ୍ରାମ ଶେଖର ପଣ୍ଡା।ଅନୁଧ୍ୟାନ ଗସ୍ତ ସମୟରେ ପର୍ଯ୍ୟବେକ୍ଷକ ଶ୍ରୀ ପଣ୍ଡା ମାଲକାନଗିରି ପୌରପରିଷଦ, ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ସମେତ ମାଲକାନଗିରି, କୋରୁକୋଣ୍ଡା ଓ ଚିତ୍ରକୋଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତ କରି ସର୍ଭେ କାର୍ଯ୍ୟର କ୍ଷେତ୍ର ସ୍ତରୀୟ ତଦାରଖ କରିଥିଲେ। କ୍ଷେତ୍ର ସ୍ତରରେ ନିୟୋଜିତ କର୍ମଚାରୀଙ୍କ ସହ ଆଲୋଚନା କରି ସର୍ଭେର ଅଗ୍ରଗତି ସମ୍ପର୍କରେ ତଦାରଖ କରିବା ସହ ସଠିକ୍ ତଥ୍ୟ ଆକଳନ ପାଇଁ ଆବଶ୍ୟକ ମାର୍ଗଦର୍ଶନ ପ୍ରଦାନ କରିଥିଲେ।ସର୍ଭେ କାର୍ଯ୍ୟର ସମୀକ୍ଷା କରି ପର୍ଯ୍ୟବେକ୍ଷକ ଶ୍ରୀ ପଣ୍ଡା କହିଛନ୍ତି, ଘରକୁ ଘର ସର୍ଭେ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ପ୍ରକ୍ରିୟା। କ୍ଷେତ୍ର ସ୍ତରରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀ ନିଷ୍ଠାର ସହ ପ୍ରତ୍ୟେକ ପରିବାର ପାଖରେ ପହଞ୍ଚି ନିର୍ଭୁଲ ଏବଂ ସଠିକ୍ ତଥ୍ୟ ସଂଗ୍ରହ କରିବା ସୁନିଶ୍ଚିତ କରନ୍ତୁ, ଯେପରି କୌଣସି ଯୋଗ୍ୟ ନାଗରିକ ଏଥିରୁ ବଞ୍ଚିତ ନ ହୁଅନ୍ତି।ଏହି ଗସ୍ତ ସମୟରେ ମାଲକାନଗିରି ଉପ-ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ, ଜିଲ୍ଲା ପଞ୍ଚାୟତ ଅଧିକାରୀ (ଡିପିଓ) ବିମଳ କୁମାର ଲେଙ୍କା, ସମ୍ପୃକ୍ତ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ), ଏନଏସି ଓ ପୌରପରିଷଦର ନିର୍ବାହୀ ଅଧିକାରୀ (ଇଓ), ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ (ଜିପିଡିଓ) ଏବଂ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲଓ) ପ୍ରମୁଖ ଉପସ୍ଥିତ ଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Comments (0)
Add Comment