ବୋଲଗଡ଼, ୫/୧୧ (ପିପିଟି):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ସଂପୁରସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜଣ୍ଡିସ ସଂକ୍ରମଣ ଚିନ୍ତାଜନକ ରୂପ ନେବା ବେଳେ ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁଙ୍କ ତୁରନ୍ତ ଓ ଦାୟିତ୍ୱପୂର୍ଣ୍ଣ ପଦକ୍ଷେପ ଯୋଗୁଁ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି।
ସୂଚନା ଅନୁଯାୟୀ, ବୁଧବାର ପରୀକ୍ଷା କରାଯାଇଥିବା ୧୪ଟି ରକ୍ତ ନମୁନା ମଧ୍ୟରୁ ୯ଟିରେ ଜଣ୍ଡିସ ପଜିଟିଭ ଚିହ୍ନଟ ହୋଇଛି। ଏହାକୁ ମିଶାଇ ବିଦ୍ୟାଳୟରେ ଆକ୍ରାନ୍ତ ବିଦ୍ୟାର୍ଥୀଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପୂର୍ବରୁ ୧୯ ଜଣ ଆକ୍ରାନ୍ତ ହୋଇଥିଲେ।
ରବିବାର ରାତିରେ ଖବର ପାଇବା ମାତ୍ରେ ଶ୍ରୀ ସ୍ୱାଇଁ ନିଜେ ସୋମବାର ସକାଳ ୧୦ଟାରେ ବିଦ୍ୟାଳୟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ତାଙ୍କ ନିର୍ଦ୍ଦେଶରେ ବିଦ୍ୟାଳୟ ପରିସର, ରନ୍ଧନଶାଳା, ଶୌଚାଳୟ ସଫା କରାଯିବା ସହ କୂଅ ଜଳରେ ବ୍ଲିଚିଂ କରାଯାଇଥିଲା।
ସୋମବାର ୩୯ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ମଙ୍ଗଳବାର ଆଉ ୨ ଜଣଙ୍କଠାରେ ଲକ୍ଷଣ ଦେଖାଦେବାରୁ ମୋଟ ୪୧ଟି ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୨୨ଟି ନମୁନା ମଧ୍ୟରୁ ୫ଟି ପଜିଟିଭ ଆସିଥିଲା। ଅବଶିଷ୍ଟ ୧୯ଟି ମଧ୍ୟରୁ ବୁଧବାର ପିଚୁକୁଳି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୪ଟି ପରୀକ୍ଷା ହୋଇ ୯ଟି ପଜିଟିଭ ଆସିଛି। ବାକି ୫ଟି ନମୁନା ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।
ଆକ୍ରାନ୍ତ ପିଲାଙ୍କୁ RBSK ଭ୍ରାମ୍ୟମାଣ ମେଡିକାଲ ଭ୍ୟାନ୍ ମାଧ୍ୟମରେ ମାଗଣା ଚିକିତ୍ସା ଓ ଔଷଧ ଯୋଗାଇ ଦିଆଯାଉଛି। ଶ୍ରୀ ସ୍ୱାଇଁଙ୍କ ପ୍ରସ୍ତାବ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ପ୍ରଥମେ ଦୁଇ ଦିନ ପାଇଁ ବିଦ୍ୟାଳୟ ଛୁଟି ଘୋଷଣା କରାଯାଇଥିଲା, ପରେ ଏହାକୁ ଶୁକ୍ରବାର ପର୍ଯ୍ୟନ୍ତ ବଢାଯାଇଛି।
ଛୁଟି ସମୟରେ ଶିକ୍ଷକ-ଶିକ୍ଷୟିତ୍ରୀମାନେ ବିଦ୍ୟାଳୟରେ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିବାକୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶୈବାଳିକା ମଲ୍ଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ଓ ବ୍ଲକସ୍ତରୀୟ ଡାକ୍ତରୀ ଦଳ ନିୟମିତ ବିଦ୍ୟାଳୟକୁ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା, ବିଶୋଧନ ଓ ସଚେତନତା କାର୍ଯ୍ୟ ଜାରି ରଖିଛନ୍ତି। ଶ୍ରୀ ସ୍ୱାଇଁଙ୍କ ଏଭଳି ତୁରନ୍ତ ପଦକ୍ଷେପକୁ ଅଭିଭାବକ ମହଲରେ ପ୍ରଶଂସା କରାଯାଉଛି।
ରିପୋର୍ଟ – ସୁଶାନ୍ତ କୁମାର ପ୍ରଧାନ