ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ଅନୁଷ୍ଠିତ ।

ଭୁବନେଶ୍ୱର, ୧୪/୧୦(ପିପିଟି): ଆଗାମୀ ପୌର ନିର୍ବାଚନକୁ ଗୁରୁତ୍ୱ ଦେଇ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ସାଂଗଠନିକ କାର୍ଯ୍ୟକ୍ରମକୁ ଜୋରଦାର କରାଯାଉଛି । ବିଏମସିର ବିଭିନ୍ନ ୱାର୍ଡରେ ସାଂଗଠନିକ ବୈଠକ ଆୟୋଜନ କରାଯାଇ ଦଳୀୟ କର୍ମକର୍ତ୍ତା ଓ ସ୍ଥାନୀୟ ୱାର୍ଡବାସିନ୍ଦାଙ୍କ ସହ ଅନେକ ପର୍ଯ୍ୟାୟରେ ଆଲୋଚନା କରି ବିଭିନ୍ନ କାର୍ଯ୍ୟକମ ହାତକୁ ନିଆଯାଉଛି । ଏହିକ୍ରମରେ ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ବିଏମସିର ୫୬ନମ୍ବର ୱାର୍ଡରେ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଅଛି । ଏହି ବୈଠକରେ ଓଜେସି ଭୁବନେଶ୍ୱର ଜିଲ୍ଲା ସଭାପତି ବଦ୍ରି ନାରାୟଣ ମହାନ୍ତି ସଭାପତିତ୍ୱ କରିଥିଲେ ଏବଂ ସ୍ଥାନୀୟ ଦଳୀୟ କର୍ମକର୍ତ୍ତା, ଯୁବକ, ମହିଳା ଓ ସାଧାରଣ ଲୋକଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ୫୬ ନମ୍ବର ୱାର୍ଡ ଅଞ୍ଚଳର ବିଭିନ୍ନ ସମସ୍ୟା, ନାଗରିକ ସୁବିଧା ଓ ଜନସାଧାରଣଙ୍କ ଆବଶ୍ୟକତା ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା। ଶ୍ରୀ ମହାନ୍ତି କହିଥିଲେ ଯେ, ଓଜେସି କେବଳ ନିର୍ବାଚନ ସମୟର ଦଳ ନୁହେଁ, ସାଧାରଣ ଲୋକଙ୍କ ସହ ସବୁବେଳେ ରହି ସେମାନଙ୍କ ସମସ୍ୟା ଓ ଅଧିକାରର ସ୍ୱର ହେବା ଦଳର ପ୍ରାଥମିକ ଲକ୍ଷ୍ୟ। ଭୁବନେଶ୍ୱରବାସୀ ପିଇବା ପାଣି ଭଳି ମୌଳିକ ସୁବିଧାରୁ ମଧ୍ୟ ବଞ୍ଚିତ। ରାସ୍ତାଘାଟ ଠାରୁ ଆରମ୍ଭ କରି ନାଳନର୍ଦ୍ଦମା ଓ ବର୍ଜ୍ୟବସ୍ତୁ ପରିଚାଳନାରେ ବିଏମସି କର୍ତ୍ତୃପକ୍ଷ ଓ ସ୍ଥାନୀୟ ନେତୃତ୍ୱ ବିଫଳ ହୋଇଥିବା ସେ କହିଥିଲେ । ଭୁବନେଶ୍ୱରର ପ୍ରତ୍ୟେକ ୱାର୍ଡରେ ଦଳର ସଂଗଠନକୁ ମଜବୁତ କରିବା ସହ ଲୋକଙ୍କ ସହ ସିଧାସଳଖ ଯୋଡ଼ି ହୋଇ କାର୍ଯ୍ୟ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ଏହି ସାଂଗଠନିକ ବୈଠକରେ ଦଳ ପକ୍ଷରୁ ଉପସଭାପତି ନଜିବୁର ରେହମାନ ଖାନ, ମହିଳା ଜନତା କଂଗ୍ରେସ ସଭାନେତ୍ରୀ ଶୈଳବାଳା ଜେନା, ମିଡିଆ ସେଲ୍ ଅଧ୍ୟକ୍ଷ ପ୍ରଶାନ୍ତ ଶତପଥୀ, ମହିଳା ନେତ୍ରୀ ପ୍ରଭାତୀ ପଟ୍ଟନାୟକ, ଯୁବନେତା ଆଦିତ୍ୟ ମିଶ୍ର, ଆଦିତ୍ୟ ଗିରି ପ୍ରମୁଖ ଯୋଗଦେଇ ୱାର୍ଡବାସୀଙ୍କର ବହୁବିଧ ସମସ୍ୟା ଏବଂ ତାର ନିରାକରଣ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଆଗାମୀ ଦିନରେ ୫୬ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସହିତ ୱାର୍ଡବାସୀଙ୍କର ପ୍ରତ୍ୟେକ ସମସ୍ୟାକୁ ନିଜର ସମସ୍ୟା ଭାବରେ ନେଇ ତା’ର ପ୍ରତିକାର ପାଇଁ ସମସ୍ତ ପ୍ରକାର କାର୍ଯ୍ୟ ହାତକୁ ନିଆଯିବା ପାଇଁ ନିଷ୍ପତ୍ତି ହୋଇଥିଲା।

 

Comments (0)
Add Comment