ବାତ୍ୟା ‘ଅକଭାନ୍’ ପାଇଁ ପୁରୀରେ ହାଇ ଆଲର୍ଟ: ସମୁଦ୍ରକୂଳ ବୁଲି ସୁରକ୍ଷା ବ୍ୟବସ୍ଥା ତଦାରଖ କଲେ ଆଇଜି ଡଃ ସତ୍ୟଜିତ ନାୟକ ।

ପୁରୀ,୧୯/୧୧(ପିପିଟି):ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ‘ଅକଭାନ୍’କୁ ଦୃଷ୍ଟିରେ ରଖି ପୁରୀରେ ସୁରକ୍ଷା ଓ ସତର୍କତା ବ୍ୟବସ୍ଥାକୁ ଜୋରଦାର କରାଯାଇଛି। ପର୍ଯ୍ୟଟକ ଓ ସାଧାରଣ ଲୋକଙ୍କ ଜୀବନର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ଆଇଜି, କେନ୍ଦ୍ରାଞ୍ଚଳ, କଟକ ଡଃ ସତ୍ୟଜିତ ନାୟକ ପୁରୀରେ ପହଞ୍ଚି ବାତ୍ୟା ମୁକାବିଲା ପ୍ରସ୍ତୁତି ଓ ସମୁଦ୍ରକୂଳର ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି। ସେ ସମୁଦ୍ରକୂଳର ବିଭିନ୍ନ ସ୍ଥାନ ବୁଲି ପରିସ୍ଥିତି ଅନୁଧ୍ୟାନ କରିବା ସହ ପର୍ଯ୍ୟଟକମାନଙ୍କୁ ସମୁଦ୍ରଠାରୁ ଦୂରେଇ ରହିବା ଏବଂ ପ୍ରଶାସନର ନିର୍ଦ୍ଦେଶ ମାନିବାକୁ ସଚେତନ କରିଛନ୍ତି। ସମୁଦ୍ରରେ ଅଶାନ୍ତି ଓ ଉଚ୍ଚ ଜୁଆରର ସମ୍ଭାବନା ଥିବାରୁ ପୁରୀ ବେଳାଭୂମିର ସମସ୍ତ ସେକ୍ଟରରେ ନାଲି ପତାକା ଲଗାଯାଇଛି। ସମୁଦ୍ରରେ ସ୍ନାନ କରିବା ସହ ବେଳାଭୂମିରେ ବୁଲାବୁଲି ଓ ଭିଡ଼ ଜମାଇବା ଉପରେ କଟକଣା ଲଗାଯାଇଛି। ପର୍ଯ୍ୟଟକମାନଙ୍କୁ ସମୁଦ୍ରକୂଳରୁ ଫେରାଇ ଦିଆଯିବା ସହ ଏନ୍‌ଡିଆର୍‌ଏଫ୍ ଟିମ୍ ଓ ପୋଲିସ ପକ୍ଷରୁ ମାଇକ୍ ଯୋଗେ ସଚେତନତା ସୃଷ୍ଟି କରାଯାଉଛି। ସମୁଦ୍ରକୂଳରେ ବ୍ୟବସାୟ କରୁଥିବା ଉଠା ଦୋକାନୀମାନଙ୍କୁ ମଧ୍ୟ ନିଜ ଦୋକାନ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ପ୍ରଶାସନ ପରାମର୍ଶ ଦେଇଛି। ଏହି ସଚେତନତା ଓ ତଦାରଖ କାର୍ଯ୍ୟକ୍ରମରେ ପୁରୀ ମହାନଗର ନିଗମ କମିଶନର ପ୍ରହଲ୍ଲାଦ ନାରାୟଣ ଶର୍ମା ଏବଂ ଏନ୍‌ଡିଆର୍‌ଏଫ୍ ଟିମ୍‌ର ସଦସ୍ୟମାନେ ସାମିଲ ହୋଇଥିଲେ।

ବାତ୍ୟା ‘ଅକଭାନ୍’ର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି କେନ୍ଦ୍ରାଞ୍ଚଳ ଅଧୀନସ୍ଥ ସମସ୍ତ ସାତଟି ଜିଲ୍ଲା—କଟକ ଗ୍ରାମାଞ୍ଚଳ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀକୁ ହାଇ ଆଲର୍ଟରେ ରଖାଯାଇଛି। ବିଶେଷକରି କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀକୁ ରେଡ୍ ଜୋନ୍ ଭାବେ ଚିହ୍ନଟ କରାଯାଇଛି। ଓଡ଼ିଶା ପୋଲିସ ଡିଜିପିଙ୍କ ମାର୍ଗଦର୍ଶନରେ ଡଃ ନାୟକ ସମସ୍ତ ସାତଟି ଜିଲ୍ଲାର ପ୍ରସ୍ତୁତି ନିୟମିତ ସମୀକ୍ଷା କରୁଛନ୍ତି। ବାତ୍ୟା ମୁକାବିଲା ପାଇଁ ଏହି ସାତଟି ଜିଲ୍ଲାରେ ମୋଟ ୧୮ଟି ଓଡ୍ରାଫ୍ ଟିମ୍ ମୁତୟନ କରାଯାଇଛି। ପୋଲିସ, ଅଗ୍ନିଶମ ବାହିନୀ, ଓଡ୍ରାଫ୍ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ସମନ୍ୱୟ ରଖାଯାଇ ଉଦ୍ଧାର, ସ୍ଥାନାନ୍ତରଣ ଓ ଜରୁରୀକାଳୀନ ସହାୟତା ପାଇଁ ପ୍ରସ୍ତୁତି ଚାଲିଛି। ସମସ୍ତ ଜିଲ୍ଲାର ପୋଲିସ କଣ୍ଟ୍ରୋଲ ରୁମ୍‌କୁ ୨୪ ଘଣ୍ଟିଆ ସତର୍କତାରେ ରଖାଯାଇଛି। ତଳିଆ ଅଞ୍ଚଳ ଓ ବିପଦସଙ୍କୁଳ ସ୍ଥାନରୁ ଲୋକଙ୍କୁ ସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳୀକୁ ନେବା, ଜରୁରୀ ସେବାର ଯାତାୟାତ ସୁଗମ କରିବା ଏବଂ ଗୁଜବ ରୋକିବା ଉପରେ ପୋଲିସ ସ୍ୱତନ୍ତ୍ର ନଜର ରଖିଛି। ମୁଖ୍ୟମନ୍ତ୍ରୀଙ୍କ ‘ମିଶନ ଜିରୋ କାଜୁଆଲିଟି’ ଲକ୍ଷ୍ୟକୁ ସଫଳ କରିବା ପାଇଁ ପ୍ରତ୍ୟେକ ଜୀବନର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି। ଜନସାଧାରଣଙ୍କୁ ସରକାରୀ ପାଣିପାଗ ସୂଚନା ଅନୁସରଣ କରିବା, ସମୁଦ୍ରକୂଳ ଓ ନଦୀକୂଳଠାରୁ ଦୂରେଇ ରହିବା, ଅତ୍ୟାବଶ୍ୟକ ନଥିଲେ ଘରୁ ବାହାରକୁ ନଯିବା ଏବଂ ଜରୁରୀକାଳୀନ ସହାୟତା ପାଇଁ ୧୧୨ ନମ୍ବରକୁ କଲ୍ କରିବାକୁ ଓଡ଼ିଶା ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି।

Comments (0)
Add Comment