ନୂଆ ରେଞ୍ଜ ନୁହେଁ, ତଳସ୍ତରରେ ପୁଲିସ ବ୍ୟବସ୍ଥା ସୁଦୃଢ଼ କରିବା ଜରୁରୀ ।

ଯାଜପୁର,୧୯/୦୯(ପିପିଟି ):ନୂଆ ପୁଲିସ ରେଞ୍ଜ ଗଠନ କଲେ କ’ଣ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିରେ ବଡ଼ ପରିବର୍ତ୍ତନ ଆସିବ, ଏହା ପରିବର୍ତ୍ତେ ନୂଆ ଥାନା ପ୍ରତିଷ୍ଠା, ଖାଲି ପଡ଼ିଥିବା ପୁଲିସ ପଦପଦବୀ ପୂରଣ ଓ ଥାନାଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ କରିବା ଉପରେ ଅଧିକ ଗୁରୁତ୍ୱ ଦିଆଗଲେ ସାଧାରଣ ଲୋକ ଅଧିକ ଉପକୃତ ହେବେ ବୋଲି ମତ ପ୍ରକାଶ ପାଉଛି।

ଡିଜିପି ନିଯୁକ୍ତି ସମ୍ପର୍କିତ ମାମଲାରେ ଆସନ୍ତା ୨୨ ତାରିଖରେ ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଥିବାରୁ ସମସ୍ତଙ୍କ ନଜର ଏହା ଉପରେ ରହିଛି। ପ୍ରକାଶ ସିଂହ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ କେତେଦୂର ପାଳନ ହୋଇଛି ଏବଂ ରାଜ୍ୟ ସରକାରଙ୍କ ପଦକ୍ଷେପ ନିର୍ଦ୍ଦେଶାବଳୀ ସହ ସମନ୍ୱିତ କି ନୁହେଁ, ତାହା ଉପରେ ମଧ୍ୟ ନଜର ରହିଛି। ରାଜ୍ୟ ପୁଲିସ ପାଇଁ ସ୍ଥାୟୀ ଡିଜିପି ନିଯୁକ୍ତିର ଆବଶ୍ୟକତା ନେଇ ମଧ୍ୟ ଆଲୋଚନା ଚାଲିଛି।

ତେବେ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ସବୁଠାରୁ ବଡ଼ ଆବଶ୍ୟକତା ହେଉଛି ପୁଲିସ ବଳର ଅଭାବ ଦୂର କରିବା। ପୂର୍ବତନ ଡିଜିପିଙ୍କ ଅବସର ସମୟରେ ରାଜ୍ୟରେ ପ୍ରାୟ ୩୧ ହଜାର ପୁଲିସ ପଦପଦବୀ ଖାଲି ଥିବା କୁହାଯାଇଥିଲା। ଏଥିରେ ପୁରୁଣା ଖାଲି ପଦବୀ ସହ ନୂଆ ମଞ୍ଜୁରିପ୍ରାପ୍ତ ପଦବୀ ମଧ୍ୟ ସାମିଲ ଥିଲା। ଏତେ ସଂଖ୍ୟକ ପଦ ଖାଲି ଥିବାବେଳେ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଆଇନଶୃଙ୍ଖଳା ପାଇଁ ଏକ ପ୍ରମୁଖ ପ୍ରାଥମିକତା ହେବା ଆବଶ୍ୟକ।

ଏହି ସମୟରେ ନୂଆ ପୁଲିସ ରେଞ୍ଜ ଗଠନ ନେଇ ପ୍ରସ୍ତାବ ଆସିଛି। ପୁରୀ, ନୟାଗଡ଼ ଓ ଖୋର୍ଦ୍ଧାକୁ ନେଇ ନୀଳାଚଳ ରେଞ୍ଜ ଗଠନ ଏବଂ ଏହାର ମୁଖ୍ୟାଳୟ ପୁରୀରେ ରହିବା ନେଇ ଚର୍ଚ୍ଚା ହେଉଛି। ପ୍ରଶାସନିକ ଆବଶ୍ୟକତା ଅନୁଯାୟୀ ନୂଆ ରେଞ୍ଜ ଗଠନ କରାଯିବାରେ ଆପତ୍ତି ନାହିଁ। କିନ୍ତୁ ରେଞ୍ଜ ସଂଖ୍ୟା ବଢ଼ିଲେ ମାତ୍ର ଅପରାଧ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ସୁଧାର ନିଶ୍ଚିତ ହେବ କି, ତାହା ନେଇ ପ୍ରଶ୍ନ ରହିଛି।

ରାଉରକେଲାରେ ଡିଆଇଜି ଓ ଏସ୍‌ପି ସ୍ତରର କାର୍ଯ୍ୟାଳୟ ଥିବା ସତ୍ତ୍ୱେ ଅବୈଧ ଅସ୍ତ୍ର କାରବାର, ବସ୍ତି ଅଞ୍ଚଳରେ ସଂଘବଦ୍ଧ ଆକ୍ରମଣ ଭଳି ଅଭିଯୋଗ ସାମ୍ନାକୁ ଆସୁଛି। ସର୍କିଟ୍ ହାଉସ୍‌ରେ ଅସ୍ତ୍ରଧାରୀ ଅପରାଧୀଙ୍କ ଦୀର୍ଘ ସମୟ ରହଣି ନେଇ ମଧ୍ୟ ଅଭିଯୋଗ ରହିଛି। ଏପରି ଘଟଣା ଦର୍ଶାଉଛି ଯେ କେବଳ ପ୍ରଶାସନିକ ଢାଞ୍ଚା ବଢ଼ାଇବା ସହିତ ଆଇନଶୃଙ୍ଖଳାର ସମସ୍ୟାର ସମାଧାନ ହେବ ନାହିଁ।

ତେଣୁ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ଆବଶ୍ୟକ ସ୍ଥାନରେ ନୂଆ ଥାନା ପ୍ରତିଷ୍ଠା, ଥାନାଗୁଡ଼ିକରେ ପର୍ଯ୍ୟାପ୍ତ ପୁଲିସ କର୍ମଚାରୀ ନିଯୁକ୍ତି, ସିସିଟିଭି ଓ ଅନ୍ୟାନ୍ୟ ପ୍ରଯୁକ୍ତିଭିତ୍ତିକ ବ୍ୟବସ୍ଥାର ବିକାଶ ଏବଂ ତଦନ୍ତ କ୍ଷମତା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ପୁଲିସ ନିଯୁକ୍ତି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ଭଳି ଘଟଣା ପୁନରାବୃତ୍ତି ନହେବା ପାଇଁ ମଧ୍ୟ ଦୃଢ଼ ବ୍ୟବସ୍ଥା ଆବଶ୍ୟକ। ତଳସ୍ତରର ପୁଲିସ ବ୍ୟବସ୍ଥାକୁ ସୁଦୃଢ଼ କରାଗଲେ ହିଁ ଲୋକଙ୍କ ନିକଟରେ ପୁଲିସ ସେବା ଅଧିକ ପ୍ରଭାବଶାଳୀ ଭାବେ ପହଞ୍ଚିପାରିବ।

Comments (0)
Add Comment