କମିଶନରେଟ୍ ପୋଲିସ ପକ୍ଷରୁ ବାଲ୍ୟବିବାହ ରୋକିବା ପାଇଁ ସଚେତନତା ରାଲି ଅନୁଷ୍ଠିତ।

ଖୋର୍ଦ୍ଧା,୧୨/୧୦(ପିପିଟି):ଭୁବନେଶ୍ୱର କମିଶନରେଟ୍ ପୋଲିସ ପକ୍ଷରୁ ଜଟଣୀ ପୋଲିସର ସହଯୋଗରେ ବାଲ୍ୟବିବାହ ଭଳି ସାମାଜିକ କୁପ୍ରଥାକୁ ଦୂର କରିବା ସହ ବାଳିକାମାନଙ୍କ ଅଧିକାର ପ୍ରତି ସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ‘JUVENTICA’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମର ମୁଖ୍ୟ ବିଷୟବସ୍ତୁ ଥିଲା “End Child Marriage and Invest in Girls’ Rights” ଅର୍ଥାତ୍ ବାଲ୍ୟବିବାହର ଅନ୍ତ ଘଟାଇବା ଏବଂ ବାଳିକାମାନଙ୍କ ଅଧିକାରର ସୁରକ୍ଷା ଓ ବିକାଶରେ ନିବେଶ କରିବା। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଫ୍ଲାଗ୍ କାର୍ଡ ଧରି ଉତ୍ତରାୟଣୀ ମନ୍ଦିରଠାରୁ ଜଟଣୀ ଥାନା ପର୍ଯ୍ୟନ୍ତ ଏକ ସଚେତନତା ରାଲି ବାହାର କରିଥିଲେ। ଏହି ରାଲି ମାଧ୍ୟମରେ ବାଲ୍ୟବିବାହ ରୋକିବା ସହ ବାଳିକାମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ସୁରକ୍ଷା ଓ ସଶକ୍ତୀକରଣର ବାର୍ତ୍ତା ପ୍ରଚାର କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଡିସିପି ସଞ୍ଜୟ ମହାପାତ୍ର, ଏଡିସିପି ଆରତୀ ଗିରି, ଏସିପି ଶରତ ଚନ୍ଦ୍ର ପାତ୍ର, ମମତା ନାୟକ, IUCAWର ଇନ୍ସପେକ୍ଟର ଦୁର୍ଗେଶ୍ୱରୀ ପ୍ରଧାନ, ରୋଜଲିନ ଭୋଇ, ଅନୁପମ କର ଏବଂ ଜଟଣୀ ଥାନା ଅଧିକାରୀ ଷ୍ଟାଲିନ ବିଶ୍ୱାଳଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀ ଓ ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ଏହି ଅବସରରେ ଅତିଥିମାନେ ନିଜ ଅଭିଭାଷଣରେ କହିଥିଲେ ଯେ, ବାଲ୍ୟବିବାହ ରୋକିବା କେବଳ ପ୍ରଶାସନର ଦାୟିତ୍ୱ ନୁହେଁ, ବରଂ ପରିବାର, ଶିକ୍ଷାନୁଷ୍ଠାନ ଓ ସମାଜର ପ୍ରତ୍ୟେକ ସଦସ୍ୟଙ୍କ ସାମୂହିକ ଦାୟିତ୍ୱ। ପ୍ରତ୍ୟେକ ବାଳିକାଙ୍କୁ ଶିକ୍ଷା ଲାଭ କରିବା, ନିଜ ସ୍ୱପ୍ନକୁ ସାକାର କରିବା ଏବଂ ସମ୍ମାନର ସହ ଜୀବନଯାପନ କରିବାର ସୁଯୋଗ ଦେବା ଆମ ସମସ୍ତଙ୍କ କର୍ତ୍ତବ୍ୟ ବୋଲି ସେମାନେ ମତ ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମକୁ ଜଟଣୀ ଥାନା ଅଧିକାରୀ ଷ୍ଟାଲିନ ବିଶ୍ୱାଳ ଏବଂ ତାଙ୍କ ସହଯୋଗୀ ଅଧିକାରୀ ଓ ପୋଲିସ କର୍ମଚାରୀମାନେ ପରିଚାଳନା କରିଥିଲେ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment