ବ୍ରହ୍ମପୁର,୨୨/୧୧(ପିପିଟି): ଗଞ୍ଜାମ ଜିଲ୍ଲାରେ ବାତ୍ୟା ଓ ବନ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ଏବଂ ଜଳସେଚନ ଭିତ୍ତିଭୂମିର ସ୍ଥିତି ସମୀକ୍ଷା କରିଛନ୍ତି ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ।
ଜିଲ୍ଲାର ବିଭିନ୍ନ ଜଳଭଣ୍ଡାର ଓ କ୍ଷତିଗ୍ରସ୍ତ ଭିତ୍ତିଭୂମି ପରିଦର୍ଶନ କରି ସ୍ଥିତିର ପ୍ରତ୍ୟକ୍ଷ ଅନୁଧ୍ୟାନ କରିବା ପରେ ସେ ବ୍ରହ୍ମପୁରସ୍ଥିତ ଋଷିକୁଲ୍ୟା-ବଂଶଧାରା-ନାଗାବଳୀ ଅବବାହିକାର ମୁଖ୍ୟ ଯନ୍ତ୍ରୀ ତଥା ଅବବାହିକା ପରିଚାଳକଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ ।
ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ଜିଲ୍ଲାରେ ବାତ୍ୟା ଓ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତି ଏବଂ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟର ଏକ ସାମଗ୍ରିକ ଚିତ୍ର ଉପସ୍ଥାପନ କରିଥିଲେ ।
ବୈଠକରେ ବାତ୍ୟା ‘ଅକଭାନ୍’ର ପ୍ରଭାବ, ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି, ଜଳଭଣ୍ଡାର ପରିଚାଳନା ଏବଂ ଜିଲ୍ଲାର ଜଳସେଚନ ଭିତ୍ତିଭୂମିର ସ୍ଥିତି ଓ ଏହାର ଉନ୍ନତିକରଣ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ବାତ୍ୟା ‘ଅକଭାନ୍’ ସମୟରେ ବିଭାଗ ଅଧୀନରେ ଥିବା ବିଭିନ୍ନ ପ୍ରକଳ୍ପ ଓ ଭିତ୍ତିଭୂମିରେ ହୋଇଥିବା କ୍ଷୟକ୍ଷତିର ଯୁଦ୍ଧକାଳୀନ ଭିତ୍ତିରେ ଆକଳନ କରି ତୁରନ୍ତ କ୍ଷୟକ୍ଷତିର ବିବରଣୀ ଓ ଆକଳନ ରିପୋର୍ଟ ପ୍ରଦାନ କରିବାକୁ ପ୍ରମୁଖ ଶାସନ ସଚିବ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟଗୁଡ଼ିକୁ ତ୍ୱରାନ୍ୱିତ କରି ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ ।
ଗଞ୍ଜାମ ଜିଲ୍ଲାରେ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଏବଂ ଜଳ ସମ୍ପଦ ବିଭାଗ ଉପରେ ଜନସାଧାରଣଙ୍କର ଅନେକ ଆଶା ଓ ଅପେକ୍ଷା ରହିଥିବା ଉଲ୍ଲେଖ କରି ଏହି ସମୟରେ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଅଧିକ ଦାୟିତ୍ୱବାନ ହୋଇ କାର୍ଯ୍ୟ କରିବା ସହିତ ଆବଶ୍ୟକସ୍ଥଳେ ଦିନରାତି ଏକ କରି କାମ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ ।
ବାତ୍ୟା ଓ ବନ୍ୟା ସମୟରେ ବିଭାଗୀୟ ଯନ୍ତ୍ରୀ ଏବଂ କ୍ଷେତ୍ରସ୍ତରୀୟ କର୍ମଚାରୀମାନଙ୍କ ନିଷ୍ଠାପର ଉଦ୍ୟମ ଓ ଜିଲ୍ଲା ପ୍ରଶାସନ ସହ ସେମାନଙ୍କର ଉତ୍ତମ ସମନ୍ୱୟକୁ ସେ ପ୍ରଶଂସା କରିଥିଲେ ।
ବୈଠକରେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ତଥା ସ୍ୱତନ୍ତ୍ର ଶାସନ ସଚିବ ଇଂ. ବିଘ୍ନରାଜ ପୁରୋହିତ, ବ୍ରହ୍ମପୁର ମହାନଗର ନିଗମ କମିଶନର ଆକବରମ ସସ୍ୟା ରେଡ୍ଡୀ, ଋଷିକୁଲ୍ୟା-ବଂଶଧାରା-ନାଗାବଳୀ ଅବବାହିକାର ମୁଖ୍ୟ ଯନ୍ତ୍ରୀ ତଥା ଅବବାହିକା ପରିଚାଳକ ଜଗନ୍ନାଥ ପାଣିଙ୍କ ସମେତ ବ୍ରହ୍ମପୁର, ଚିକିଟି ଓ ଭଞ୍ଜନଗର ଡିଭିଜନ୍ର ଅଧିକ୍ଷଣ ଯନ୍ତ୍ରୀ ନିରଞ୍ଜନ ସାହୁ,ସୁବ୍ରତ ପଟ୍ଟନାୟକ,ବିଷ୍ଣୁଚରଣ ସାହୁ ଓ ବିଭିନ୍ନ ଶାଖାର ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।