ଡାକ୍ତର ନାହାଁନ୍ତି, ରୋଗୀ ଆସୁଛନ୍ତି, କୋଦଳାରେ ସ୍ୱାସ୍ଥ୍ୟସେବାକୁ ନେଇ ବଡ଼ ପ୍ରଶ୍ନ ।

ବେଗୁନିଆପଡ଼ା,୧୯/୦୯(ପିପିଟି):ମଣିଷର ମୂଲ୍ୟବାନ ସମ୍ପଦ ହେଉଛି ସ୍ୱାସ୍ଥ୍ୟ। ସାଧାରଣ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟ ସହ ବିଭିନ୍ନ ଯୋଜନାର ପ୍ରଚାର ଓ ପ୍ରସାର କରାଯାଉଛି। ହେଲେ ତଳସ୍ତରରେ ସ୍ୱାସ୍ଥ୍ୟସେବାର ବାସ୍ତବ ଚିତ୍ର ଅନେକ ସ୍ଥାନରେ ଏହାର ବିପରୀତ ରହିଛି। କେଉଁଠି ଭିତ୍ତିଭୂମି ଥାଇ ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ଅଭାବ, ତ ଆଉ କେଉଁଠି ଡାକ୍ତର ଥାଇ ଆବଶ୍ୟକ ଭିତ୍ତିଭୂମିର ଅଭାବ। ପୁଣି କିଛି ସ୍ଥାନରେ ଉଭୟ ଭିତ୍ତିଭୂମି ଓ କର୍ମଚାରୀଙ୍କ ଅଭାବ ରୋଗୀସେବାକୁ ପ୍ରଭାବିତ କରୁଛି। ଏଭଳି ଏକ ଅବ୍ୟବସ୍ଥାର ଚିତ୍ର ଗଞ୍ଜାମ ଜିଲ୍ଲା କୋଦଳା ଏନ୍‌ଏସିରେ ଥିବା ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରୁ ସାମ୍ନାକୁ ଆସିଛି। ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ କିଣାଯାଇଥିବା ବିଭିନ୍ନ ଯନ୍ତ୍ରପାତି ରହିଛି। ଦୈନିକ ୫୦ରୁ ଊର୍ଦ୍ଧ୍ୱ ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସୁଥିବା କୁହାଯାଉଛି। କିନ୍ତୁ ଏହି ସ୍ୱାସ୍ଥ୍ୟକେନ୍ଦ୍ରର ସବୁଠାରୁ ବଡ଼ ସମସ୍ୟା ହେଉଛି, ଏଠାରେ ଡାକ୍ତର ନାହାନ୍ତି। ସୂଚନା ଅନୁଯାୟୀ, ପ୍ରାୟ ଏକ ବର୍ଷ ହେଲା ଏଠାରେ ଡାକ୍ତର ନଥିବାରୁ ରୋଗୀସେବା ଗୁରୁତର ଭାବେ ପ୍ରଭାବିତ ହେଉଛି। ଡାକ୍ତରଙ୍କ ସ୍ଥାନରେ ଅନ୍ୟ
କର୍ମଚାରିଙ୍କ ଦ୍ୱାରା ରୋଗୀସେବା ଚାଲିଥିବା ଅଭିଯୋଗ ହୋଇଛି। ଏପରି ସ୍ଥିତିରେ ଦୈନିକ ୫୦ରୁ ଊର୍ଦ୍ଧ୍ୱ ରୋଗୀଙ୍କ ସ୍ୱାସ୍ଥ୍ୟସେବାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। ଅନ୍ୟପଟେ, ସ୍ୱାସ୍ଥ୍ୟକେନ୍ଦ୍ରଟି ନିଜସ୍ୱ ଗୃହରେ ନୁହେଁ, ଭଡ଼ା ଘରେ ଚାଲିଥିବା ଜଣାପଡ଼ିଛି। ଗୋଟିଏ ପଟେ ଲକ୍ଷଲକ୍ଷ ଟଙ୍କାର ଯନ୍ତ୍ରପାତି, ଅନ୍ୟପଟେ ଡାକ୍ତର ନାହାନ୍ତି ଓ ଭଡ଼ା ଘରେ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର। ଏଭଳି ସ୍ଥିତିରେ ସରକାରୀ ବ୍ୟବସ୍ଥାର ଉଦ୍ଦେଶ୍ୟ ଓ ଏହାର ବାସ୍ତବ କାର୍ଯ୍ୟକାରିତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ସୂଚନା ଅନୁଯାୟୀ, ଏହି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରଟି ୧୪ ଡିସେମ୍ବର ୨୦୨୨ରେ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବଦାସ ଙ୍କ ଦ୍ୱାରା ଶୁଭ ଉଦ୍‌ଘାଟିତ ହୋଇଥିଲା। ଉଦ୍‌ଘାଟନ ସମୟରେ ଅଞ୍ଚଳବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ମିଳିବାର ଆଶା ସୃଷ୍ଟି ହୋଇଥିଲା। ହେଲେ ଉଦ୍‌ଘାଟନର ପରେ ଆଜି ଯଦି ଦୀର୍ଘ ଦିନ ଧରି ଡାକ୍ତର ନଥାନ୍ତି, ତେବେ ଏହି ସ୍ୱାସ୍ଥ୍ୟକେନ୍ଦ୍ରର ଦାୟିତ୍ୱ କାହାର, ଏହାକୁ ନେଇ ଏବେ ଚର୍ଚ୍ଚା । ସମସ୍ୟାର ସମାଧାନ ପାଇଁ କୋଦଳା ଏନ୍‌ଏସି ଉପାଧ୍ୟକ୍ଷା ରଞ୍ଜିତା ସେଠୀ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିବା କହିଛନ୍ତି । ଏନେଇ ଆମ ପ୍ରତିନିଧି ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଯୋଗାଯୋଗ କରି ତାଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବପର ହୋଇପାରିନଥିଲା। ଏପରି ସ୍ଥିତିରେ ପ୍ରଶାସନର ନିରବତା ଓ ନିର୍ବାଚିତ ଜନପ୍ରତିନିଧିଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଲୋକଙ୍କ ସ୍ୱାସ୍ଥ୍ୟ ସହ ଜଡ଼ିତ ଏତେ ଗୁରୁତର ସମସ୍ୟା ଯଦି ଦୀର୍ଘଦିନ ଧରି ରହିଛି, ତେବେ ଏହାର ସ୍ଥାୟୀ ସମାଧାନ ପାଇଁ କାହିଁକି ଠୋସ୍ ପଦକ୍ଷେପ ନିଆଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ଅଞ୍ଚଳବାସୀ। ତୁରନ୍ତ ଡାକ୍ତର ନିଯୁକ୍ତି କରି ରୋଗୀସେବାକୁ ସ୍ୱାଭାବିକ କରିବା ସହ ସ୍ୱାସ୍ଥ୍ୟକେନ୍ଦ୍ରର ଯନ୍ତ୍ରପାତି ଓ ଅନ୍ୟାନ୍ୟ ସୁବିଧାର ସଠିକ୍ ବ୍ୟବହାର ନିଶ୍ଚିତ କରିବାକୁ ସାଧାରଣରେ ଦାବି ହୋଇଛି। ଏଥିସହ ସ୍ଥାନୀୟ ନିର୍ବାଚିତ ଜନପ୍ରତିନିଧି ଓ ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Comments (0)
Add Comment