ଛତ୍ରପୁର,୦୬/୧୦(ପିପିଟି): ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର)-୨୦୨୬ ପରିପ୍ରେକ୍ଷୀରେ ଭୋଟର ତାଲିକାକୁ ଅଧିକ ସ୍ୱଚ୍ଛ କରିବା ଉଦ୍ଦେଶ୍ୟରେ ଅକ୍ଟୋବର ୭, ୮ ଓ ୯ ତାରିଖରେ ଗଞ୍ଜାମ ସମେତ ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ଅଭିଯାନ ଅନୁଷ୍ଠିତ ହେବ। ଏସଆଇଆର ସମୟରେ କୌଣସି କାରଣରୁ ନାମ ସାମିଲ ହୋଇପାରିନଥିବା ଯୋଗ୍ୟ ଭୋଟରଙ୍କ ସହ ୦୧.୧୦.୨୦୨୬ ସୁଦ୍ଧା ୧୮ ବର୍ଷ ପୂରଣ କରିଥିବା ଯୁବକ-ଯୁବତୀମାନେ ମଧ୍ୟ ଏହି ଅଭିଯାନରେ ନାମ ପଞ୍ଜୀକରଣ ପାଇଁ ଆବେଦନ କରିପାରିବେ ।
ଯୋଗ୍ୟ ଯୁବ ଭୋଟରମାନେ ଫର୍ମ-୬ ମାଧ୍ୟମରେ ନିଜ ବୁଥ୍ସ୍ତରୀୟ ଅଧିକାରୀଙ୍କ ନିକଟରେ ଆବେଦନ କରିପାରିବେ । ଏଥିସହିତ, ଏସଆଇଆର ପ୍ରକ୍ରିୟାରେ ଚିହ୍ନଟ ହୋଇଥିବା ମୃତ,ସ୍ଥାନାନ୍ତରିତ, ଅନୁପସ୍ଥିତ ଓ ଦୋହରା ଭୋଟରଙ୍କ ସମ୍ପର୍କିତ ତାଲିକା ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା ଏବଂ ସମ୍ପୃକ୍ତ ଜିଲ୍ଲାର ୱେବସାଇଟରେ ଉପଲବ୍ଧ ହେବ ।
ଏହି ଅଭିଯାନ ପାଇଁ ଗଞ୍ଜାମ ଜିଲ୍ଲାର ସମସ୍ତ ବୁଥ୍ସ୍ତରୀୟ ଅଧିକାରୀଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ଓ ମାର୍ଗଦର୍ଶନ ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଯୋଗ୍ୟ ଭୋଟରଙ୍କ ନାମ ସାମିଲ କରିବା ଏବଂ ନୂତନ ଯୁବ ଭୋଟରଙ୍କ ପଞ୍ଜୀକରଣ ପ୍ରକ୍ରିୟାକୁ ସୁଗମ କରିବା ପାଇଁ ବିଏଲଓମାନଙ୍କୁ ଆବଶ୍ୟକ ସହଯୋଗ ଓ ମାର୍ଗଦର୍ଶନ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଯୋଗ୍ୟ ଭୋଟରମାନେ ଏହି ସୁଯୋଗର ସଦୁପଯୋଗ କରି ନିଜ ନାମ ଭୋଟର ତାଲିକାରେ ସାମିଲ ପାଇଁ ନିର୍ଦ୍ଧାରିତ ସମୟ ମଧ୍ୟରେ ଆବେଦନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।