ଛାତ୍ର ସଂସଦ ନିର୍ବାଚନରେ କଡ଼ା କଟକଣା: ୭୫% ଉପସ୍ଥାନ ଅନିବାର୍ଯ୍ୟ, ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ୫ ହଜାର ।

ଭୁବନେଶ୍ୱର, ୦୬/୧୦: ରାଜ୍ୟର ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ପାଇଁ ବିଗୁଲ୍‌ ବାଜିଥିବା ବେଳେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶାବଳୀ ଜାରି ହୋଇଛି। ଅକ୍ଟୋବର ୯ରେ ନାମାଙ୍କନ ଏବଂ ୧୫ରେ ମତଦାନ ହେବାକୁ ଥିବାବେଳେ ପ୍ରାର୍ଥୀ ହେବା ପାଇଁ ସର୍ବନିମ୍ନ ୭୫ ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ କରାଯାଇଛି। ସ୍ନାତକ ଛାତ୍ରଛାତ୍ରୀଙ୍କ ବୟସ ୧୭ରୁ ୨୨ ବର୍ଷ ଏବଂ ପିଜି ଛାତ୍ରଛାତ୍ରୀଙ୍କ ବୟସ ସର୍ବାଧିକ ୨୫ ବର୍ଷ ରହିବ। ପ୍ରାର୍ଥୀଙ୍କ କୌଣସି ଏକାଡେମିକ୍‌ ବ୍ୟାକ୍‌ ନଥିବା ସହ ଅପରାଧିକ ରେକର୍ଡ କିମ୍ବା ଶୃଙ୍ଖଳାଗତ ଦଣ୍ଡ ନଥିବା ଆବଶ୍ୟକ। ପ୍ରତି ପ୍ରାର୍ଥୀ ସର୍ବାଧିକ ୫,୦୦୦ ଟଙ୍କା ନିର୍ବାଚନୀ ଖର୍ଚ୍ଚ କରିପାରିବେ ଏବଂ ଫଳାଫଳ ପ୍ରକାଶର ଦୁଇ ସପ୍ତାହ ମଧ୍ୟରେ ଖର୍ଚ୍ଚର ସମ୍ପୂର୍ଣ୍ଣ ହିସାବ ଦାଖଲ କରିବାକୁ ପଡ଼ିବ। ନିର୍ଦ୍ଦେଶାବଳୀରେ ଲିଙ୍ଗ୍‌ଡୋ କମିଶନଙ୍କ ସୁପାରିଶ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅନୁସରଣ କରାଯାଇଛି।

ନିୟମ ଅନୁଯାୟୀ, ପିପିପି ମୋଡ୍‌ରେ ଚାଲୁଥିବା ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ଓ ଦୂରନିରନ୍ତର ଶିକ୍ଷାର ଛାତ୍ରଛାତ୍ରୀ ନିର୍ବାଚନରେ ପ୍ରାର୍ଥୀ କିମ୍ବା ଭୋଟର ଭାବେ ଅଂଶ ନେଇପାରିବେ ନାହିଁ। ଜଣେ ପ୍ରାର୍ଥୀ ସଭାପତି, ଉପସଭାପତି, ସାଧାରଣ ସମ୍ପାଦକ, ସହକାରୀ ସମ୍ପାଦକ, ସାଂସ୍କୃତିକ ଓ କ୍ରୀଡ଼ା ସମ୍ପାଦକ ଭଳି ପଦବି ପାଇଁ ଥରେ ଏବଂ କାର୍ଯ୍ୟକାରୀ ସଦସ୍ୟ ପଦବି ପାଇଁ ସର୍ବାଧିକ ଦୁଇଥର ନିର୍ବାଚନ ଲଢ଼ିପାରିବେ। ଜାତି, ଧର୍ମ, ଭାଷା କିମ୍ବା ସମ୍ପ୍ରଦାୟ ଆଧାରରେ ପ୍ରଚାର, ଧର୍ମାନୁଷ୍ଠାନର ବ୍ୟବହାର, ଅଶ୍ଳୀଳ ଭାଷା, ମିଥ୍ୟା ସୂଚନା, ବ୍ୟକ୍ତିଗତ ଆକ୍ଷେପ ଓ ଏଆଇ ଦ୍ୱାରା ପ୍ରସ୍ତୁତ ନକଲି ବିଷୟବସ୍ତୁ ପ୍ରଚାର ଉପରେ କଟକଣା ରହିଛି। ଛପା ପୋଷ୍ଟର ଓ ପାମ୍ପଲେଟ୍‌ ବ୍ୟବହାର ନିଷିଦ୍ଧ ଥିବାବେଳେ କେବଳ ଅନୁଷ୍ଠାନ ନିର୍ଦ୍ଧାରିତ ସ୍ଥାନରେ ହାତତିଆରି ପୋଷ୍ଟର ଲଗାଯାଇପାରିବ। ଲାଉଡସ୍ପିକର, ଗାଡ଼ି କିମ୍ବା ପଶୁ ବ୍ୟବହାର କରି ଶୋଭାଯାତ୍ରା, କ୍ୟାମ୍ପସ ବାହାରେ ପ୍ରଚାର ଏବଂ ମତଦାନ କେନ୍ଦ୍ରର ୧୦୦ ମିଟର ମଧ୍ୟରେ ପ୍ରଚାର ଉପରେ ମଧ୍ୟ ରୋକ୍‌ ଲଗାଯାଇଛି। ମତଦାନ ଶେଷର ୪୮ ଘଣ୍ଟା ମଧ୍ୟରେ ପୁଲିଂ ଅଞ୍ଚଳ ସଫା ନକଲେ ପ୍ରତି ପ୍ରାର୍ଥୀଙ୍କୁ ୧,୫୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। ଆଇନଶୃଙ୍ଖଳା ସମସ୍ୟା ଘଟିଲେ ଶିକ୍ଷାନୁଷ୍ଠାନକୁ ୬ ଘଣ୍ଟା ମଧ୍ୟରେ ପୁଲିସକୁ ଜଣାଇବାକୁ ହେବ। ନିର୍ବାଚନ ସମ୍ପର୍କିତ ଅଭିଯୋଗ ପାଇଁ ପ୍ରତି ଅନୁଷ୍ଠାନରେ ଛାତ୍ର କଲ୍ୟାଣ ଡିନ୍‌ଙ୍କ ଅଧ୍ୟକ୍ଷତାରେ ଅଭିଯୋଗ ନିବାରଣ ସେଲ୍‌ ଗଠନ ହେବ ଏବଂ ଅଭିଯୋଗ ମିଳିବାର ୨୪ ଘଣ୍ଟା ମଧ୍ୟରେ ତାହାର ଶୁଣାଣି କରାଯିବ।

Comments (0)
Add Comment