ଆରମ୍ଭ ହେଲା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬ ।

ଛତ୍ରପୁର,୨୬/୧୦(ପିପିଟି): ଦୁର୍ନୀତିମୁକ୍ତ ସମାଜ ଗଠନ ସହ ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା, ସାଧୁତା ଓ ଉତ୍ତରଦାୟିତ୍ୱ ବଜାୟ ରଖିବା ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଛି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬। ଅକ୍ଟୋବର ୨୬ରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ପାଳନ ହେଉଥିବା ଏହି ସପ୍ତାହର ବିଷୟବସ୍ତୁ ହେଉଛି ‘ସାଧୁତାରୁ ସମୃଦ୍ଧି’ ।

ଏହି ଅବସରରେ ଆଜି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଦେବଦତ୍ତ ପଣ୍ଡା ଅଧିକାରୀ ଓ କର୍ମଚାରୀମାନଙ୍କୁ ସାଧୁତାର ଶପଥ ପାଠ କରାଇଥିଲେ । ଜିଲ୍ଲାର ଅନ୍ୟ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ମଧ୍ୟ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଦୁର୍ନୀତି ଦେଶର ଆର୍ଥିକ, ରାଜନୈତିକ ଓ ସାମାଜିକ ପ୍ରଗତିରେ ଏକ ପ୍ରମୁଖ ପ୍ରତିବନ୍ଧକ ହୋଇଥିବାରୁ ଏହାର ନିରାକରଣ ପାଇଁ ପ୍ରତ୍ୟେକ ନାଗରିକଙ୍କ ସଚେତନତା ଓ ସହଯୋଗ ଜରୁରୀ । ଶପଥ ପାଠ ଅବସରରେ ଲାଞ୍ଚ ନ ଦେବା ଓ ନ ନେବା, ନିଜ କର୍ତ୍ତବ୍ୟ ସମ୍ପାଦନରେ ସ୍ୱଚ୍ଛତା ଓ ସଚ୍ଚୋଟତା ବଜାୟ ରଖିବା ପାଇଁ ଅଧିକାରୀ ଓ କର୍ମଚାରୀମାନେ ସଂକଳ୍ପ ନେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ଡ. ଅରୁଣ କୁମାର ଖଣ୍ଡା,କସ୍ତୁରୀ ସ୍ୱାଇଁ, ସୁଚିସ୍ମିତା ପାଣି, ଲଳିତ ଦେବୀଦାନ, ଶିକ୍ଷିତା ଗୌଡ଼,ସହକାରୀ କଲେକ୍ଟର ଅଦିତି ଆଚାର୍ଯ୍ୟ, ତାପସ କୁମାର ସାମଲ,ସୁଦାମ ସ୍ୱାଇଁଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।

ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଚେତନତା ଶୋଭାଯାତ୍ରା,ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଓ ଆଲୋଚନାଚକ୍ର ଆୟୋଜନ କରାଯିବ ।

Comments (0)
Add Comment