ନୀରବି ଗଲା କିରିରି-ମିରିରି ସ୍ୱର, ସ୍ମୃତି ହେବାକୁ ବସିଲେଣି ଘରଚଟିଆ-ବାଇଚଢେଇ ।

ବୋଲଗଡ଼,୦୬/୧୦ (ପିପିଟି):ସକାଳର ସେ ମଧୁର କିରିରି-ମିରିରି ଆଜି ଆଉ ଶୁଭୁନି। ଚାଳ ଛପରର ସେ ଚଞ୍ଚଳ ଅତିଥି ଘରଚଟିଆ ଆଉ ନିପୁଣ ବାୟା ଶିଳ୍ପୀ ବାଇଚଢେଇ ଏବେ ବିଲୁପ୍ତ ପଥେ। ପ୍ରକୃତିର ଏହି କୋମଳ ସନ୍ତାନମାନେ ଧୀରେ ଧୀରେ ଆମ ଗାଁ, ସହର, ବାଡି-ବଗିଚାରୁ ବିଦାୟ ନେଉଛନ୍ତି। ମନେ ପଡେ ୮୦-୯୦ ଦଶକର ସେ ସୁନେଲି ସକାଳ। ଘରର କାନ୍ଥ ଫାଙ୍କ, ନଡା ଛପର ଓ କାନ୍ଥ ବାଡ଼ରେ ଘରଚଟିଆର ବସା। ତାଳ-ଖଜୁରୀ ପତ୍ରରେ ଝୁଲୁଥିବା ବାଇଚଢେଇର ଅପୂର୍ବ ଝୁଲା ଘର ଯାହା ଥିଲା ପ୍ରକୃତିର ବିସ୍ମୟ, ସ୍ଥାପତିର ନିଦର୍ଶନ। ସେମାନଙ୍କ କାକଳିରେ ଗାଁ ଉଠୁଥିଲା।

୧୯୯୯ ମହାବାତ୍ୟା ପରେ ଏ ଦୃଶ୍ୟ ବଦଳିଗଲା। ପକ୍ଷୀଙ୍କ ସଂଖ୍ୟା କମିବାକୁ ଲାଗିଲା, ଆଉ ଏବେ ତ ଦେଖିବା ବି ସ୍ୱପ୍ନ। ଏହା ପଛରେ ମଣିଷ ହିଁ କାରଣ। କଂକ୍ରିଟର ଜଙ୍ଗଲ ଗଢି ଆମେ ତାଙ୍କ ମାଟି ଘର ଭାଙ୍ଗିଦେଲୁ। ବିଷାକ୍ତ ରାସାୟନିକ ସାର, କୀଟନାଶକ ସେମାନଙ୍କ ଖାଦ୍ୟ ଓ ପ୍ରଜନନକୁ ନଷ୍ଟ କରିଦେଲା। ତାଳ ଗଛ କଟା ପଡିଲା, ବାଇଚଢେଇର ଝୁଲା ବସା ହଜିଗଲା। ଶବ୍ଦ, ବାୟୁ, ପରିବେଶ ପ୍ରଦୂଷଣରେ ସେମାନେ ଶ୍ୱାସରୁଦ୍ଧ ହେଲେ।କେବଳ ଘରଚଟିଆ, ବାଇ ନୁହେଁ ପାରା, ବଗ, ହଳଦୀବସନ୍ତ, ବଣି, ରାଜ ବଣି, କାଉ, ଗୁଣ୍ଡୁରି, ଭଦଭଦଳିଆ, କଜଳପାତି, କପୋତ, ଚାତକ, କୋଇଲି ଭଳି ଅଗଣିତ ଦେଶୀ ପକ୍ଷୀ ଆଜି ସଂଖ୍ୟାରେ ନାହିଁ। କିଛି ପକ୍ଷୀ ନିରାପଦ ଆଶ୍ରୟ ପାଇଁ ବଣ ଜଙ୍ଗଲକୁ ପଳାଇଲେ, ସେଠି ବି ଶିକାରୀର ଫାଶ, ଜାଲ ଓ ତୀର ତାଙ୍କୁ ଛାଡୁନି। ପକ୍ଷୀ କେବଳ ସୌନ୍ଦର୍ଯ୍ୟ ନୁହେଁ, ସେ ପରିବେଶର ସନ୍ତୁଳନ। ସେମାନେ ହଜାର ହଜାର କ୍ଷତିକାରକ ପୋକ ଖାଇ ଫସଲକୁ ବଞ୍ଚାନ୍ତି। ସେମାନେ ନ ରହିଲେ ପ୍ରକୃତି ନୀରବ ହୋଇଯିବ, ବେମାରି ବଢିବ।

ତେଣୁ ଏବେ ବି ସମୟ ଅଛି। ବନ ବିଭାଗ, ପ୍ରଶାସନ ସହ ଆମେ ସମସ୍ତେ ସଚେତନ ନ ହେଲେ, ଆଗାମୀ ପିଢି କେବଳ ବହିରେ ଘରଚଟିଆର ଚିତ୍ର ଦେଖିବ, କିରିରି-ମିରିରି ଶୁଣିପାରିବାନି।

ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ

Comments (0)
Add Comment