ବାଲିଗୁଡ଼ାରେ ଭକ୍ତିମୟ ପରିବେଶରେ ପାଳିତ ହେଲା ଶ୍ରୀ ସତ୍ୟସାଇ ବାବାଙ୍କ ୧୦୧ତମ ଜନ୍ମ ମହୋତ୍ସବ ।

ବାଲିଗୁଡ଼ା, ୨୩/୧୧ (ପିପିଟି): ପ୍ରେମ, ସେବା, ଶାନ୍ତି ଓ ମାନବିକତାର ମହାନ ବାର୍ତ୍ତା ବହନ କରୁଥିବା ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୧୦୧ତମ ଜନ୍ମ ମହୋତ୍ସବ ବାଲିଗୁଡ଼ାଠାରେ ଅତ୍ୟନ୍ତ ଭକ୍ତି ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଭଜନ, ପୂଜାର୍ଚ୍ଚନା, ବୈଦିକ କାର୍ଯ୍ୟକ୍ରମ ସହ ବିଭିନ୍ନ ଜନସେବାମୂଳକ କାର୍ଯ୍ୟକ୍ରମ ଆୟୋଜନ ହୋଇ ସମଗ୍ର ଅଞ୍ଚଳରେ ଏକ ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା। ଏହି ଉପଲକ୍ଷେ ଶ୍ରୀ ସତ୍ୟସାଇ ସେବା ସମିତି, ବାଲିଗୁଡ଼ା ପକ୍ଷରୁ ସ୍ଥାନୀୟ ସୁନାପାଙ୍ଗା ସ୍ଥିତ ସାଇବିହାର ପରିସରରେ ଦିବସ ବ୍ୟାପୀ ମହୋତ୍ସବର ଆୟୋଜନ କରାଯାଇଥିଲା। ଆବାହକ ସୁରେନ୍ଦ୍ର ନାଥ ସାହୁଙ୍କ ତତ୍ତ୍ୱାବଧାନରେ ଭୋର ୫ଟାରୁ ଓଁକାର, ସୁପ୍ରଭାତମ୍ ଓ ନଗର ସଂକୀର୍ତ୍ତନ ମାଧ୍ୟମରେ ଦିବସର ଶୁଭାରମ୍ଭ ହୋଇଥିଲା। ସକାଳ ୬ଟାରେ ମନ୍ଦିର ପରିସରରେ ସ୍ୱଚ୍ଛତା ସେବା କାର୍ଯ୍ୟକ୍ରମ ପରେ ସକାଳ ୮ଟା ୩୦ ମିନିଟ୍‌ରେ ଦିବ୍ୟ ପ୍ରଶାନ୍ତି ପତାକା ଉତ୍ତୋଳନ କରାଯାଇଥିଲା। ପରେ ଷୋଡ଼ଶ ଉପଚାର ପୂଜା, ଅଷ୍ଟୋତ୍ତର ସହସ୍ରନାମ ଅର୍ଚ୍ଚନା ଓ ହୋମ ଆଦି ବୈଦିକ ରୀତିନୀତି ଅନୁଯାୟୀ ସମ୍ପନ୍ନ ହୋଇଥିଲା। ପରେ ପରେ ଏକ ଭବ୍ୟ ଆଧ୍ୟାତ୍ମିକ ଶୋଭାଯାତ୍ରା ସାଇବିହାର ପରିସରରୁ ବାହାରି ନଗର ପରିକ୍ରମା କରିଥିଲା। ଏଥିରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଯୋଗଦେଇ ସାଇନାମ ଓ ଭଜନ କୀର୍ତ୍ତନ ମାଧ୍ୟମରେ ପରିବେଶକୁ ଭକ୍ତିମୟ କରିଥିଲେ।
ମହୋତ୍ସବର ମୁଖ୍ୟ ଆକର୍ଷଣ ଥିଲା ସେବାମୂଳକ କାର୍ଯ୍ୟକ୍ରମ। ମଧ୍ୟାହ୍ନରେ ନାରାୟଣ ସେବା ଆୟୋଜନ ସହ ୧୦୧ ଜଣ ଆବଶ୍ୟକତା ଥିବା ବ୍ୟକ୍ତିଙ୍କୁ ବସ୍ତ୍ର ବଣ୍ଟନ କରାଯାଇଥିଲା। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା। ଏଥିସହ ଜରାଶ୍ରମ ପରିଦର୍ଶନ କରି ସେଠାରେ ରହୁଥିବା ଅନ୍ତେବାସୀଙ୍କୁ ପ୍ରସାଦ ଓ ବସ୍ତ୍ର ବଣ୍ଟନ କରାଯାଇଥିଲା। ଏହି ସେବା କାର୍ଯ୍ୟ ମାଧ୍ୟମରେ ‘ମାନବ ସେବା ହିଁ ମାଧବ ସେବା’ର ମହାନ ଆଦର୍ଶକୁ ଜୀବନରେ ପ୍ରତିଫଳିତ କରିବାର ବାର୍ତ୍ତା ଦିଆଯାଇଥିଲା। ସେହିପରି ସନ୍ଧ୍ୟାରେ ମହୋତ୍ସବର ଆଧ୍ୟାତ୍ମିକ ମାହୋଲ ଆହୁରି ଉତ୍ସବମୁଖର ହୋଇଉଠିଥିଲା। ୧୦୧ଟି ଦୀପ ପ୍ରଜ୍ୱଳନ, ସାଇଝୁଲା, ବେଦପାଠ ଓ ଭଜନ କାର୍ଯ୍ୟକ୍ରମ ସହ କେକ୍ ସମର୍ପଣ, ସତସଙ୍ଗ ଏବଂ ବିଭିନ୍ନ ସାଂସ୍କୃତିକ ପରିବେଷଣ ଶ୍ରଦ୍ଧାଳୁଙ୍କ ମନ ମୋହିଥିଲା। ଏହାପରେ ପ୍ରତିଯୋଗିତାର ପୁରସ୍କାର ବିତରଣ କରାଯାଇଥିଲା। ଶେଷରେ ମଙ୍ଗଳ ଆରତୀ ସହ ଦିବସବ୍ୟାପୀ ଜନ୍ମ ମହୋତ୍ସବର ପରିସମାପ୍ତି ଘଟିଥିଲା। ଶ୍ରୀ ସତ୍ୟସାଇ ବାବାଙ୍କ ଜୀବନାଦର୍ଶ ଓ ତାଙ୍କର ପ୍ରେମ, ସେବା, ଶାନ୍ତି ତଥା ମାନବିକତାର ବାର୍ତ୍ତାକୁ ଜନମାନସ ରେ ପହଞ୍ଚାଇବା ସହ ସମାଜରେ ସେବା, ସମର୍ପଣ ଓ ଭାଇଚାରା ଭାବନାକୁ ଅଧିକ ସୁଦୃଢ଼ କରିବା ଏହି ମହୋତ୍ସବର ମୂଳ ଲକ୍ଷ୍ୟ ଥିଲା। ଧାର୍ମିକ ଆୟୋଜନ ସହ ମାନବ ସେବାକୁ ପ୍ରାଧାନ୍ୟ ଦେଇ ଶ୍ରୀ ସତ୍ୟସାଇ ସେବା ସମିତି ବାଲିଗୁଡ଼ା ଏକ ମହତ୍ତ୍ୱପୂର୍ଣ୍ଣ ସାମାଜିକ ବାର୍ତ୍ତା ପ୍ରଦାନ କରିଥିବା ଦେଖିବାକୁ ମିଳିଛି।

ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ

Comments (0)
Add Comment