ରାହାସ ପୂର୍ଣ୍ଣିମା ବା କାର୍ତ୍ତିକ ପୂର୍ଣ୍ଣିମା ,ଏହା କେବଳ ପୂର୍ଣ୍ଣିମା ନୁହେଁ,ଏହା ଆମ ଇତିହାସର ଗର୍ବ।

0 0

ବୋଲଗଡ଼,୨୪/୧୧ (ପିପିଟି): କାର୍ତ୍ତିକ ପୂର୍ଣ୍ଣିମା ଏହା କେବଳ ଏକ ତିଥି ନୁହେଁ, ଏହା ଓଡ଼ିଆ ଜାତିର ଆତ୍ମ ପରିଚୟ। ଆମ ଭାଷାରେ ଏହାକୁ ଆମେ ତିନୋଟି ନାଁରେ ଡାକୁ ରାହାସ ପୂର୍ଣ୍ଣିମା, ରାସ ପୂର୍ଣ୍ଣିମା ଓ ବୋଇତ ବନ୍ଦଣା ପୂର୍ଣ୍ଣିମା ତିନି ନାଁ ଭିତରେ ତିନୋଟି ଯୁଗର କାହାଣୀ।

ଶ୍ରୀମଦ୍ ଭାଗବତ କହେ, ଏହି ଜହ୍ନ ରାତିରେ ବୃନ୍ଦାବନରେ ଯମୁନା କୂଳେ ଭଗବାନ ଶ୍ରୀକୃଷ୍ଣ ମହାରାସଲୀଳା କରିଥିଲେ। ଦୁଇ ଗୋପୀଙ୍କ ମଝିରେ ଜଣେ କୃଷ୍ଣ ହଜାର ହଜାର କୃଷ୍ଣ ହୋଇ ନାଚିଥିଲେ। ଏହା ଶରୀରର ପ୍ରେମ ନୁହେଁ, ଏହା ଜୀବ ସହ ପରମାତ୍ମାର ମିଳନ। ତେଣୁ ଏହା ରାସ ପୂର୍ଣ୍ଣିମା ପ୍ରେମ ଓ ଭକ୍ତିର ପରାକାଷ୍ଠା।

ଏହି ପୂର୍ଣିମା ଆମ ଓଡ଼ିଆଙ୍କ ପାଇଁ ସବୁଠୁ ବଡ଼ ଗର୍ବର ଦିନ। ଆଜିକୁ ୨୦୦୦ ବର୍ଷ ତଳେ ଯେତେବେଳେ ଓଡ଼ିଶାର ନାଁ ଥିଲା କଳିଙ୍ଗ, ସେତେବେଳେ ଆମ ପୂର୍ବପୁରୁଷ ସାଧବ ପୁଅମାନେ ବିଶ୍ୱ ଜୟ କରିବାକୁ ବାହାରିଥିଲେ। ବଡ଼ ବଡ଼ ବୋଇତ ପବନରେ ଚାଲୁଥିବା ଜାହାଜରେ ବାଲି, ଜାଭା, ସୁମାତ୍ରା, ବର୍ଣ୍ଣିଓ, ସିଂହଳ ଦ୍ୱୀପକୁ ଯାଇଥିଲେ ବାଣିଜ୍ୟ ପାଇଁ।

ଏହି କାର୍ତ୍ତିକ ପୂର୍ଣ୍ଣିମା ଦିନ ପବନ ଅନୁକୂଳ ଥିବାରୁ ଯାତ୍ରା ଆରମ୍ଭ ହେଉଥିଲା। ଘରେ ରହିଥିବା ବୋହୂ ମା’ମାନେ କାନ୍ଦି କାନ୍ଦି ଗାଉଥିଲେ “ଆ କା ମା ବୋଇ, ପାନ ଗୁଆ ଥୋଇ” ଅର୍ଥାତ୍ ଆଷାଢ, କାର୍ତ୍ତିକ, ମାର୍ଗଶିର ମାସ ଯାଇ ବୈଶାଖରେ ଫେରି ଆସିବ। ସେହି ଲୁହ ଆଉ ଗର୍ବର ସ୍ମୃତିରେ ଆଜି ବି ଆମେ ପ୍ରତି ଗାଡିଆ, ନଦୀ, ପୋଖରୀରେ କଦଳୀ ପଟୁଆରେ ଦୀପ, ଫୁଲ, ପାନ-ଗୁଆ ଥୋଇ ବୋଇତ ଭସାଉ। ମନେ ମନେ କହୁ – ଆମେ କଳିଙ୍ଗର ସନ୍ତାନ, ଆମେ କେବେ ଘରେ ବସି ନଥିଲୁ, ଆମେ ସାଗର ଜୟ କରିଥିଲୁ। କଟକର ବାଲିଯାତ୍ରା ଏସିଆର ସବୁଠୁ ବଡ଼ ମେଳା ରୂପେ ସେହି ଗାଥାକୁ ଆଜି ବି ଜୀବନ୍ତ ରଖିଛି।

ପୁରାଣ କହେ ଏହା ଦେବ ଦୀପାବଳୀ ଏହି ଦିନ ଭଗବାନ ଶିବ ତ୍ରିପୁରାସୁରକୁ ବଧ କରିଥିଲେ, ଭଗବାନ ବିଷ୍ଣୁଙ୍କ ମତ୍ସ୍ୟ ଅବତାର ହୋଇଥିଲା। ଏହା ପଞ୍ଚୁକର ଶେଷ ଦିନ। ମାସେ ହବିଷ କରିଥିବା ମା’, ମାଉସୀମାନେ ଏହି ଦିନ ବ୍ରତ ଭାଙ୍ଗନ୍ତି। ଚଳିତ ବର୍ଷ ପୂର୍ଣ୍ଣିମା ତିଥି ୨୩ ନଭେମ୍ବର ରାତି ୧୧.୪୨ ରୁ ୨୪ ନଭେମ୍ବର ରାତି ୮.୨୩ ଯାଏଁ ରହିଛି। ଉଦୟା ତିଥି ଅନୁସାରେ ୨୪ ନଭେମ୍ବର ମଙ୍ଗଳ ବାର ପାଳନ। ତିଥି କ୍ଷୟ ହେତୁ ଏଥର ପଞ୍ଚୁକ ୪ ଦିନ ପାଳିତ ହେଉଛି। ରାହାସ ପୂର୍ଣ୍ଣିମା କେବଳ ଧର୍ମ ନୁହେଁ। ଏହା ଆମ ପିଲାବେଳର କାଗଜ ଡଙ୍ଗା ଭସା, ମା’ ହାତର ହୁଳହୁଳି, ଆଉ କଳିଙ୍ଗର ବିଶ୍ୱ ବିଜୟର ରକ୍ତରେ ଲେଖା କାହାଣୀ। ଏ ପୂର୍ଣ୍ଣିମାରେ ଜହ୍ନକୁ ଦେଖିଲେ ମନେ ପକାଉ ଆମେ ଓଡ଼ିଆ, ଆମ ଇତିହାସ ସମୁଦ୍ରଠୁ ବି ବଡ଼।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ

Leave A Reply

Your email address will not be published.