ଭଞ୍ଜନଗର ୨୩/୧୧(ପିପିଟି ):ଭଞ୍ଜନଗର ଥାନା କୁଲାଡ଼ ଗ୍ରାମ ରତ୍ନେଶ୍ୱର ସାହିରେ ଏକ ବଡ଼ ଧରଣର ଚୋରି ହୋଇଛି। ରାତି ଅଧରେ ଶିବ ପ୍ରସାଦ ସାହୁ ଓ ପରିବାର ଲୋକେ ସମସ୍ତେ ଶୋଇଥିବା ବେଳେ ବାରିପଟ ଘର ଭାଙ୍ଗି କିଛି ଦୁର୍ବୃତ୍ତ ଘରେ ପଶିଥିଲେ। ପ୍ରଥମେ ଘରର ୨ଟି ବେଡ଼ ରୁମ୍ ରେ ପରିବାର ସଦସ୍ୟ ଶୋଇଥିବା ଜାଣି କବାଟକୁ ବାହାର ପଟୁ ବନ୍ଦ କରି ଦେଇଥିଲେ।ଏସମ୍ପର୍କରେ ଘର ଲୋକେ କେହି କିଛି ଜାଣି ପାରି ନ ଥିଲେ।
ଏହାପରେ ଚୋରମାନେ ନିର୍ଭୟରେ ଘରେ ଥିବା ସମସ୍ତ ସୁନା ଓ ରୁପା ଅଳଙ୍କାର ଲୁଟିଥିଲେ।ଏହାପରେ ସେମାନେ ଘରେ ଥିବା ଫ୍ରିଜରୁ କ୍ଷୀର ବାହାର କରି ଚାହା ତିଆରି କରି ପିଇବା ସହ କିଛି ସମୟ ଆରାମରେ ବିତାଇ ସେଠାରୁ ଚମ୍ପଟ ମାରିଛନ୍ତି।ଗୃହ ମାଲିକ ଶିବପ୍ରସାଦ ସାହୁ କହିବାନୁସରେ ଘରେ ଥିବା ପ୍ରାୟ ୧୫ ଭରି ସୁନା ଓ ରୂପା ଅଳଙ୍କାର ଚୋରି ହୋଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨୦ଲକ୍ଷ ଟଙ୍କା ହେବ ଏବଂ ନଗଦ ୧୨ହଜାର ଟଙ୍କା ଚୋରି ହୋଇଥିବା ଜଣାପଡିଛି।ଭୋର ସମୟରେ ଘର ଲୋକ ବାହାରକୁ ବାହାରିବା ପାଇଁ ଚେଷ୍ଟା କଲା ବେଳେ ଜାଣିବାକୁ ପାଇଲେ ବାହାରୁ କବାଟ ବନ୍ଦ ରହିଛି।ତେଣୁ ପଡ଼ୋଶୀଙ୍କୁ ଫୋନ୍ କରି ଡାକିବା ପରେ ଘରୁ ବାହାରି ଥିଲେ ଓ ସମସ୍ତ ଘଟଣା ଦେଖିବାକୁ ପାଇଥିଲେ।
ଏନେଇ ତୁରନ୍ତ ଭଞ୍ଜନଗର ଥାନାକୁ ଖବର ଦିଆ ଯାଇଥିଲା। ଖବର ପାଇ ଭଞ୍ଜନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଚଳାଇଛନ୍ତି।ଭଞ୍ଜନଗର ପୋଲିସ ପେଟ୍ରୋଲିଂ କଡ଼ାକଡ଼ି କରିଥିଲେ ମଧ୍ୟ ଚୋରମାନେ କିନ୍ତୁ ଗୋଟିଏ ପରେ ଗୋଟିଏ ଘଟଣା କରି ଚାଲିଛନ୍ତି।ଯାହାକି ବର୍ତ୍ତମାନ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ସାଜିଛି।
ରିପୋର୍ଟ -ଜେ କେ ପଟ୍ଟନାୟକ