ମାଲକାନଗିରିର ଚାରି ପିତୃମାତୃହୀନ ଶିଶୁଙ୍କ ଥଇଥାନ ଓ ସୁରକ୍ଷା ସୁନିଶ୍ଚିତ କଲା ଜିଲ୍ଲା ପ୍ରଶାସନ ।

0 0

ମାଲକାନଗିରି, ୨୦/୧୧(ପିପିଟି): ମାଲକାନଗିରି ଜିଲ୍ଲାର ଚାରିଜଣ ପିତୃମାତୃହୀନ ଶିଶୁଙ୍କ ଯତ୍ନ, ସୁରକ୍ଷା ଏବଂ ସର୍ବାଙ୍ଗୀନ ବିକାଶ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି। କିଶୋର ନ୍ୟାୟ (ଶିଶୁଙ୍କ ଯତ୍ନ ଓ ସୁରକ୍ଷା) ଅଧିନିୟମ, ୨୦୧୫ ଅନୁଯାୟୀ ସମ୍ପୃକ୍ତ ଶିଶୁମାନଙ୍କର ସୁରକ୍ଷିତ ଭବିଷ୍ୟତ ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ପ୍ରଶାସନ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ, ମାଲକାନଗିରି ପ୍ରଥମେଶ ଅରବିନ୍ଦ ରାଜଶିର୍କେ
ଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ମଙ୍ଗଳ ଅଧିକାରୀ ରବୀନ୍ଦ୍ର ପାଲକା ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ ମିଳିତ ଭାବେ କ୍ଷେତ୍ର ପରିଦର୍ଶନ କରି ଶିଶୁମାନଙ୍କ ବାସ୍ତବ ସ୍ଥିତି, ପରିଚୟ ଏବଂ ଶିକ୍ଷାଗତ ଆବଶ୍ୟକତା ଅନୁଧ୍ୟାନ କରିଥିଲେ। ଏହାପରେ ସମସ୍ତ ଚାରିଜଣ ଶିଶୁଙ୍କୁ ମାଲକାନଗିରି ଶିଶୁ ମଙ୍ଗଳ ସମିତି ନିକଟରେ ହାଜର କରାଯାଇ ସ୍ୱୀକୃତିପ୍ରାପ୍ତ ଶିଶୁ ଯତ୍ନ ଅନୁଷ୍ଠାନରେ ଥଇଥାନ କରାଯାଇଛି। ଶିବ ଚିନାମ ଜନ୍ମ ତାରିଖ: ୦୨.୦୨.୨୦୧୯ ଏବଂ ସନ୍ତୋଷ ଚିନାମ ଜନ୍ମ ତାରିଖ: ୨୪.୦୮.୨୦୧୩ ଙ୍କୁ କୋରୁକୋଣ୍ଡା ସ୍ଥିତ ନୀଳାଚଳ ଆଦିବାସୀ ସେବାଶ୍ରମରେ ରଖାଯାଇଥିବା ବେଳେ ମେଘା ଚିନାମ ଜନ୍ମ ତାରିଖ: ୨୭.୦୯.୨୦୧ ଏବଂ ମାମାଲି ଚିନାମ ଜନ୍ମ ତାରିଖ: ୨୫.୦୭.୨୦୧୦ ଙ୍କୁ ମାଲକାନଗିରି ସ୍ଥିତ ପରିବର୍ତ୍ତନ ଶିଶୁ ଗୃହ ରେ ଥଇଥାନ କରାଯାଇଛି।ସମସ୍ତ ଚାରିଜଣ ଶିଶୁଙ୍କର ବିଦ୍ୟାଳୟରେ ନାମଲେଖା ସୁନିଶ୍ଚିତ କରାଯାଇଥିବା ବେଳେ ବଡ଼ ଝିଅ ମାମାଲି ଚିନାମ ଦୂରଶିକ୍ଷା ମାଧ୍ୟମରେ ଦଶମ ଶ୍ରେଣୀ ପରୀକ୍ଷା ଦେବା ନିମନ୍ତେ ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନ ରେ ନାମ ଲେଖାଇଛନ୍ତି। ଏହା ସହିତ ସମସ୍ତ ଶିଶୁଙ୍କର ଆଧାର କାର୍ଡ ପ୍ରସ୍ତୁତ କରାଯାଇ ସେମାନଙ୍କ ନାମ ରାସନ କାର୍ଡରେ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ସେମାନଙ୍କ ନାମରେ ଆୟୁଷ୍ମାନ ଭାରତ – ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ସ୍ୱାସ୍ଥ୍ୟ କାର୍ଡ ଜାରି କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ସମ୍ପୃକ୍ତ ଶିଶୁ ଯତ୍ନ ଅନୁଷ୍ଠାନ ପକ୍ଷରୁ ଶିଶୁମାନଙ୍କର ସମସ୍ତ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ପୋଷଣଗତ ଆବଶ୍ୟକତା ପୂରଣ କରାଯିବା ସହିତ ମାମାଲି ଚିନାମଙ୍କ ନାମରେ ଜିଲ୍ଲା ରେଡକ୍ରସ୍ ସୋସାଇଟି ପକ୍ଷରୁ ଆବଶ୍ୟକୀୟ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଜିଲ୍ଲାର ପ୍ରତ୍ୟେକ ଅସହାୟ ଶିଶୁର ଅଧିକାର ସୁରକ୍ଷିତ ରଖିବା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ସର୍ବଦା ପ୍ରତିଶ୍ରୁତିବଦ୍ଧ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Leave A Reply

Your email address will not be published.