ବାତ୍ୟା ପରବର୍ତ୍ତୀ ସ୍ଥିତି ଅନୁଧ୍ୟାନ କଲା ଚିକିଟି ପ୍ରେସ୍ କ୍ଲବ ।

0 0

ଚିକିଟି, ୨୦/୧୧(ନିଗମାନନ୍ଦ ପଣ୍ଡା ) :ଆଜି ଚିକିଟି ପ୍ରେସ୍ କ୍ଲବ ପକ୍ଷରୁ ଏକ ପ୍ରତିନିଧି ଦଳ ବାତ୍ୟା ପ୍ରଭାବିତ ଚିକିଟି ଓ ଦିଗପହଣ୍ଡି ବ୍ଲକର ସୀମାନ୍ତବର୍ତ୍ତୀ ବିଭିନ୍ନ ପଞ୍ଚାୟତ ଅନ୍ତର୍ଗତ ଗ୍ରାମଗୁଡ଼ିକ ପରିଦର୍ଶନ କରି କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ଅବସରରେ ବାତ୍ୟା ପ୍ରଭାବିତ ଅଞ୍ଚଳର ଲୋକମାନଙ୍କ ସହ ଆଲୋଚନା କରି ସେମାନଙ୍କର ଅଭାବ, ଅସୁବିଧା ଓ ବିଭିନ୍ନ ସମସ୍ୟା ସମ୍ପର୍କରେ ପ୍ରତିନିଧି ଦଳ ଅବଗତ ହୋଇଥିଲେ।

ବିଶେଷକରି ଭୂସ୍ଖଳନ ଓ ଅନ୍ୟାନ୍ୟ ପ୍ରାକୃତିକ ବିପଦର ଆଶଙ୍କା ଥିବା ବଡ଼ଦେଉ, ହରିପୁର, ଲୁଆକଣ୍ଟା, ଖଜୁରପଦା ଓ ନୂଆସାହି ଆଦି ଗ୍ରାମର ପରିସ୍ଥିତି ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ। ଉକ୍ତ ଅଞ୍ଚଳର ବିପଦସଂକୁଳ ଗ୍ରାମଗୁଡ଼ିକର ଲୋକମାନଙ୍କୁ ଜିଲ୍ଲା ପ୍ରଶାସନ ଓ ଚିକିଟି ବ୍ଲକ ପ୍ରଶାସନ ପକ୍ଷରୁ ସୁନ୍ଦରଡ଼ା ହାଇସ୍କୁଲରେ ଏକ ଆଶ୍ରୟ ଶିବିରରେ ରଖାଯାଇଥିଲା। ସେଠାରେ ପ୍ରାୟ ୯୦ ଜଣ ଲୋକ ଆଶ୍ରୟ ନେଇଥିବା ବେଳେ ଅନେକ ଛୋଟ ଛୋଟ ଶିଶୁ ମଧ୍ୟ ରହିଥିଲେ। ଶିବିରରେ ରହିବା, ଖାଦ୍ୟପେୟ ଓ ଆବଶ୍ୟକୀୟ ସୁବିଧା ସମୟୋଚିତ ଭାବେ ମିଳୁଥିବା ସମ୍ପର୍କରେ ଆଶ୍ରିତମାନେ ନିଜ ଅନୁଭୂତି ପ୍ରକାଶ କରିଥିଲେ।

ଅନ୍ୟପକ୍ଷରେ ପତ୍ରଚୁଡ଼ି ଗ୍ରାମ ନିକଟସ୍ଥ ନଦୀରେ ନିର୍ମିତ ଗାର୍ଡୱାଲ୍ ଜଳପତ୍ତନ ନିୟନ୍ତ୍ରଣରେ କିଛି ମାତ୍ରାରେ ସହାୟକ ହେଉଥିଲେ ମଧ୍ୟ ଗ୍ରାମବାସୀଙ୍କ ଅନୁଯାୟୀ ତାହା ପର୍ଯ୍ୟାପ୍ତ ନୁହେଁ। ବାହାର ପଟୁ ବନ୍ୟାଜଳ ଗ୍ରାମ ମଧ୍ୟକୁ ପ୍ରବେଶ କରୁଥିବାରୁ ଗ୍ରାମର ସୁରକ୍ଷା ପାଇଁ ଉକ୍ତ ଗାର୍ଡୱାଲ୍‌କୁ ଆଉ ୨୦୦ରୁ ୩୦୦ ମିଟର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ଗ୍ରାମବାସୀମାନେ ଦାବି ଜଣାଇଥିଲେ।

ସେହିପରି ଗଡ଼ଗୋବିନ୍ଦପୁର, ସତୁରମର୍ଦ୍ଦନପୁର, ଡବରାସିଂ, ଧାନରାଶି ଓ କୋଳିଅଳା ଆଦି ଗ୍ରାମରେ ମଧ୍ୟ ବାତ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ଫସଲ କ୍ଷୟକ୍ଷତି ହୋଇଥିବା କହିଛନ୍ତି। ପାତ୍ରପୁର, ଚିକିଟି ଓ ଦିଗପହଣ୍ଡି ବ୍ଲକକୁ ସଂଯୋଗ କରୁଥିବା ବିଭିନ୍ନ ଗ୍ରାମାଞ୍ଚଳ ରାସ୍ତା ଅନେକ ସ୍ଥାନରେ ଧୋଇ ହୋଇଯାଇଛି। ପୂର୍ବରୁ ରହିଥିବା କ୍ଷତିଗ୍ରସ୍ତ ରାସ୍ତାଗୁଡ଼ିକ ଚଳିତ ବର୍ଷର ବାତ୍ୟା ଓ ବର୍ଷାରେ ଆହୁରି ଅଧିକ ନଷ୍ଟ ହୋଇଛି।

ବିଶେଷକରି ଗଡ଼ଗୋବିନ୍ଦପୁରରୁ ସତୁରମର୍ଦ୍ଦନପୁର ଯିବା ରାସ୍ତା ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇ ଜଳମଗ୍ନ ହୋଇପଡ଼ିଛି। ଫଳରେ ପାତ୍ରପୁର ବ୍ଲକ ସହିତ ଯୋଗାଯୋଗରେ ଗୁରୁତର ବାଧା ସୃଷ୍ଟି ହୋଇଛି। ଏହାବ୍ୟତୀତ ବାହାଦା ନାଳ ଦେଇ ଡବରାସିଂରୁ ତେଣୁପଡ଼ା ଅଞ୍ଚଳକୁ ଯାତାୟାତ କ୍ଷେତ୍ରରେ ମଧ୍ୟ ଜଳପତ୍ତନ ଅଧିକ ରହିବା ଯୋଗୁଁ ସମସ୍ୟା ଦେଖାଦେଇଛି।

ଏହି ସବୁ ଅଞ୍ଚଳରେ ଜଳସ୍ତର ଧୀରେ ଧୀରେ କମିବା ପରେ ଭାଙ୍ଗିଯାଇଥିବା ରାସ୍ତାଗୁଡ଼ିକର ତୁରନ୍ତ ପୁନର୍ନିର୍ମାଣ କରିବା ସହିତ ବନ୍ୟା ଓ ବର୍ଷାଜଳରେ କ୍ଷତିଗ୍ରସ୍ତ ଧାନଜମିର ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଗ୍ରାମବାସୀମାନେ ଦାବି ଜଣାଇଥିଲେ।

ସମଗ୍ର ପରିଦର୍ଶନ ସମୟରେ ଚିକିଟି ପ୍ରେସ୍ କ୍ଲବର ପ୍ରତିନିଧି ଦଳ ଗ୍ରାମାଞ୍ଚଳର ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହ ଲୋକଙ୍କ ସମସ୍ୟା ଓ ଦାବିଗୁଡ଼ିକୁ ଗୁରୁତ୍ୱର ସହ ଶୁଣିଥିଲେ। ଏହି ସମସ୍ୟାଗୁଡ଼ିକ ପ୍ରଶାସନର ଦୃଷ୍ଟିକୁ ଆଣିବା ଏବଂ ଆବଶ୍ୟକ ପଦକ୍ଷେପ ନିଆଯିବା ଦିଗରେ ଗଣମାଧ୍ୟମର ଭୂମିକା ରହିବ ବୋଲି ପ୍ରତିନିଧି ଦଳ ମତ ପ୍ରକାଶ କରିଥିଲେ।

ରିପୋର୍ଟ -ନିଗମାନନ୍ଦ ପଣ୍ଡା

Leave A Reply

Your email address will not be published.