ପୋଲସରା,୧୭/୧୧(ପିପିଟି ): ସମ୍ଭାବ୍ୟ ବାତ୍ୟା ଆକଭାନର ମୁକାବିଲା ପାଇଁ ବୁଗୁଡ଼ା ଗୋଷ୍ଠି ଉନ୍ନୟନ ଅଧିକାରୀ ଦୁତିକୃଷ୍ଣ ପାତ୍ରଙ୍କ ତତ୍ତ୍ୱାବଧାନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବୁଗୁଡ଼ା ତହସିଲଦାର ତାପସ ରାଉତ ଓ ବୁଗୁଡ଼ା ପୋଲିସ ଥାନା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତା ଙ୍କ ସମେତ ସମସ୍ତ ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀ ଓ କର୍ମଚାରୀ ବୃନ୍ଦ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଆକଭାନ ୧୯/୧୧/୨୬ ତାରିଖ ସୁଦ୍ଧା ଅତି ବାତ୍ୟାର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଯାହା ଫଳରେ ବାତ୍ୟା ପବନ ୧୨୦ ରୁ ୧୩୦ କିମି ବେଗରେ ବହିବା ସହ ଝଟକା ପବନ ୧୪୫ କିମି ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ଲୋକମାନଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀକୁ ଆଣିବା ସହ ଗରମ ଖାଦ୍ୟ ଯୋଗାଣ, ବାତ୍ୟା ଯୋଗୁଁ କ୍ଷୟକ୍ଷତି ବିଷୟରେ ସମସ୍ତ ବିଭାଗ ସତର୍କ ରହି ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକରିବା ପାଇଁ ବିଡିଓ ଶ୍ରୀ ପାତ୍ର ପରାମର୍ଶ ଦେଇଥିଲେ। ବିଶେଷ କରି ବର୍ତ୍ତମାନ ଧାନ ଫସଲ ବ୍ୟାପକ କ୍ଷତି ହେବାର ସମ୍ଭାବନା ଥିବାରୁ ସେଥି ପାଇଁ ପଦକ୍ଷେପ ନେବାକୁ ସ୍ଥିର କରାଯାଇଥିଲା। ବିଦ୍ୟୁତ୍ ବିଭାଗ, ଜଳସେଚନ ବିଭାଗ ସତର୍କତା ଅବଲମ୍ବନ ପାଇଁ ପରାମର୍ଶ ଦିଆଯାଇଥିଲା। ସମସ୍ତ ବିଭାଗର କର୍ମଚାରୀ ବୃନ୍ଦ ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦିଆଯାଇଥିଲା।
ରିପୋର୍ଟ -ସନ୍ତୋଷ କୁମାର ପଣ୍ଡା