ବ୍ରହ୍ମପୁର,୧୬/୧୧(ପିପିଟି): ନିକଟରେ ଘଟିଥିବା ଅର୍ଣ୍ଣବ ବାତ୍ୟା ଓ ତା’ର ପ୍ରଭାବରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାର ପ୍ରପିଡ଼ୀତ ଲୋକଙ୍କ ସମସ୍ୟା ସମ୍ପର୍କରେ ଅଖିଳ ଭାରତ କିଶାନ ମଜଦୁର ସଭା (AIKMS)ର ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଆଜି ଏକ ପ୍ରତିନିଧି ମଣ୍ଡଳୀ ସ୍ଥାନୀୟ ଦକ୍ଷିଣଞ୍ଚଳ ରାଜସ୍ଵ କମିଶନର ବିଜୟ ଅମୃତ କୁଲାଙ୍ଗେଙ୍କୁ ଭେଟିଥିଲେ ।
ଏଆଇକେଏମଏସର ରାଜ୍ୟ ସମ୍ପାଦକ ପ୍ରତାପ ନାୟକଙ୍କ ନେତୃତ୍ବରେ ଏହି ପ୍ରତିନିଧି ଦଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟା ପ୍ରପୀଡ଼ିତଙ୍କ ସମସ୍ୟା ସମ୍ବଳିତ ଏକ ସ୍ମାରକ ପତ୍ର ରାଜସ୍ଵ କମିଶନରଙ୍କୁ ଦେବା ସହ ସେସବୁର ତୁରନ୍ତ ସମାଧାନ ପାଇଁ ଦାବି କରିଥିଲେ ।
ଏଆଇକେଏମଏସ୍ ପକ୍ଷରୁ ଉଠାଯାଇଥିବା ଦାବୀ ଗୁଡ଼ିକ ମଧ୍ୟରେ ରାଜ୍ୟ ସରକାରଙ୍କ ଘୋଷିତ ରିଲିଫ୍ ପାଇଁ ଦେବା ପାଇଁ ରାସନ କାର୍ଡ଼କୁ ଆଧାର ନକରିବାକୁ ଏବଂ ଜିଲ୍ଲାର ସବୁ ବନ୍ୟା ପ୍ରପୀଡ଼ିତ ପରିବାରଙ୍କୁ ୨୫୦୦ ଟଙ୍କା ଓ ୫୦ କିଲୋ ଚାଉଳ ପ୍ରଦାନ କରିବାକୁ ଦାବି କରାଯାଇଥିଲା । ସେହିପରି ବନ୍ୟାରେ ଫସଲ କ୍ଷତିପୂରଣର ଆକଳନ ବେଳେ କ୍ଷତିଗ୍ରସ୍ତ ହୋଇଥିବା ଭାଗଚାଷି ଓ ଲିଜ୍ଚାଷିଙ୍କୁ ସ୍ଥାନୀୟ ତଦନ୍ତ ଆଧାରରେ ତାଲିକାଭୁକ୍ତ କରି ସେମାନଙ୍କ ଫସଲର କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରାଯାଇଛି । ସେହିପରି ଜଙ୍ଗଲ ଜମିରେ ଚାଷ ଓ ବାସ କରିଥିବା ଆଦିବାସୀମାନଙ୍କ ବନ୍ୟାରେ ହୋଇଥିବା କ୍ଷୟକ୍ଷତି ପାଇଁ ମଧ୍ୟ କ୍ଷତିପୂରଣ ପ୍ରଦାନ କରିବାକୁ ତଥା ରାଜସ୍ୱ ଜମି ପଟ୍ଟା ଅନୁରୂପ ଜଙ୍ଗଲ ଜମି ପଟ୍ଟାକୁ ମଧ୍ୟ କ୍ଷତି ପୂରଣ ପାଇଁ ଗ୍ରହଣ କରିବାକୁ ରାଜସ୍ୱ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେବାକୁ ଦାବି କରିଥିଲେ ।
ସରକାରୀ ଜମିରେ ଘର କରିଥିବା ଅଥବା ଆଦୌ ଘର ନଥିବା ଭୂମିହୀନ ବନ୍ୟା କ୍ଷତିଗ୍ରସ୍ତ ପରିବାରମାନଙ୍କୁ ଘରବାରି ପଟ୍ଟା ପ୍ରଦାନ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ଯୋଗାଇ ଦେବାକୁ ମଧ୍ୟ ଦାବି କରାଯାଇଥିଲା ।
ଅନ୍ୟପକ୍ଷରେ ଜିଲ୍ଲାର ଭଞ୍ଜନଗର,ଜଗନ୍ନାଥ ପ୍ରସାଦ, ସୋରଡ଼ା,ଧରାକୋଟ, ଶେରଗଡ,ପାତ୍ରପୁର ଓ ସାନଖେମୁଣ୍ଡି ବ୍ଳକ ଆଦି ବଣ ପର୍ବତ ବହୁଳ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀମାନେ ଚଳିତ ବନ୍ୟା ଓ ପ୍ରବଳ ବର୍ଷା ଫଳରେ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଛନ୍ତି। ଅଧିକାଂଶ ସ୍ଥାନରେ ଭୂସ୍ଖଳନ ବା ମାଟି ଅତଡା ଖସିବା ଯୋଗୁଁ ସେମାନେ କରିଥିବା ଉଦ୍ୟାନ କୃଷି ତଥା ମକା ଓ କାଜୁ ପରି ଅର୍ଥକାରୀ ଫସଲ ସବୁ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ସେ ଅଞ୍ଚଳରେ ଅଧିକାଂଶ ଚାଷଜମି ବର୍ଷାରେ ମାଟି ଅତଡ଼ା ଖସିବା ଯୋଗୁଁ ମାଟି ଓ ବାଲିରେ ପୋତି ହୋଇଯାଇଛି । ଏଭଳି ପରିସ୍ଥିତିରେ ସେମାନଙ୍କ କ୍ଷତି ହୋଇଥିବା ଫସଲର ଆକଳନ ସହ ସେମାନଙ୍କ ଜମିର ବିକାଶ ପାଇଁ ଅନୁଦାନ ପ୍ରଦାନ କରାଯିବାକୁ ପ୍ରତିନିଧିମାନେ ଦାବି କରିଥିଲେ ।
ଏହା ବ୍ୟତୀତ ଅତି ପ୍ରବଳ ବର୍ଷା ଓ ବନ୍ୟା ଫଳରେ ଜିଲ୍ଲାର ପ୍ରାୟତଃ ଅଧିକାଂଶ ଆଦିବାସୀ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଗୁଡ଼ିକ ସମ୍ପୂର୍ଣ୍ଣ ଭବରେ ଧୋଇ ହୋଇଯାଇ ଥିବାରୁ ସରକାର ତା’ର ସର୍ଭେ କରି ତୁରନ୍ତ ମରାମତି କରନ୍ତୁ ବୋଲି ଦାବି କରିଛନ୍ତି ।
ବାତ୍ୟା ଓ ବନ୍ୟାରେ ଗ୍ରାମାଞ୍ଚଳରେ କ୍ଷତିଗ୍ରସ୍ତ ଇଲେକ୍ଟ୍ରିକ୍ ଖୁଣ୍ଟ, ପାନୀୟଜଳ ପ୍ରକଳ୍ପ ଓ ନଳକୂପଗୁଡ଼ିକୁ ମରାମତି କରି ତୁରନ୍ତ କାର୍ଯ୍ୟକ୍ଷମ କରାଯାଉ ବୋଲି ଦାବି କରିଥିଲେ ।
ଧରାକୋଟ,ଶେରଗଡ଼, ସାନଖେମୁଣ୍ଡି ଓ ସୋରଡ଼ା ତହସିଲରେ ରାଜସ୍ୱ କର୍ମଚାରୀମାନେ ଜଙ୍ଗଲ ଜମି ପଟ୍ଟା ପାଇନଥିବା ଆଦିବାସୀମାନଙ୍କ ହୋଇଥିବା ଚାଷଜମିର ଫସଲ କ୍ଷତିପୂରଣ ପାଇଁ ଆବେଦନ କଲେ ଗ୍ରହଣ କରୁନାହାନ୍ତି । ତେଣୁ ସରକାର ମାନବିକତା ଦୃଷ୍ଟିରୁ ସେସବୁ ଦରଖାସ୍ତକୁ ବିଚାର କରି ପ୍ରକୃତ କ୍ଷୟକ୍ଷତିର ତଦନ୍ତ କରି କ୍ଷତିପୂରଣ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ ।
ଆଜି ଏଆଇକେଏମଏସର ରାଜ୍ୟ ସମ୍ପାଦକ ପ୍ରତାପ ନାୟକଙ୍କ ନେତୃତ୍ବରେ ଆସିଥିବା ଏହି ପ୍ରତିନିଧି ମଣ୍ଡଳୀରେ ସଂଗଠନର ଧରାକୋଟ ବ୍ଲକ୍ ସଭାପତି ଝିଲିକା ମଣ୍ଡଳ, ସମ୍ପାଦକ ସୁଦୀପ ଗମାଙ୍ଗ,ରବି ଗମାଙ୍ଗ, ଯିଶୟ ମଣ୍ଡଳ, ଶୁକୃ ଗମାଙ୍ଗ, ମାର୍କ ମଣ୍ଡଳ, ଥୋମାସ ଭୂୟାଁ, ବାଲ୍ମୀକି ମଳିକ, ନିମା ଗମାଙ୍ଗ, ମୋଜେସ୍ ରଇତ, କାର୍ତ୍ତିକ ଶବର, ସାମୁଏଲ ମଣ୍ଡଳ, କୋରା ରଇତ ପ୍ରମୁଖ ଯୋଗ ଦେଇଥିଲେ । ଆରଡିସିଙ୍କ ସହ ସବିଶେଷ ଆଲୋଚନା ସମୟରେ ସେ ଦାବିଗୁଡିକୁ ଶୁଣି ଯଥାଶୀଘ୍ର ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ରିଲିଫ ବାବଦ ଚାଉଳ ଓ ଟଙ୍କା ପ୍ରଥମେ ରାସନ କାର୍ଡ ଧାରୀଙ୍କୁ ଦିଆଯାଉଛି ଏବଂ ଏହାପରେ ଅନ୍ୟମାନଙ୍କୁ ଦିଆଯିବ ବୋଲି କହିଥିଲେ ।