ପ୍ରଦର୍ଶନ ନାଁରେ ସାର୍ବଜନୀନ ସ୍ଥାନ ଦଖଲକୁ ଅନୁମତି ନାହିଁ: ସୁପ୍ରିମକୋର୍ଟ ।

0 1

ନୂଆଦିଲ୍ଲୀ,୦୩/୧୧(ପିପିଟି): ପ୍ରଦର୍ଶନ ଓ ଆନ୍ଦୋଳନ ନାଁରେ କୌଣସି ଗୋଷ୍ଠୀ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସାର୍ବଜନୀନ ସ୍ଥାନକୁ ନିଜ ଅଧୀନରେ ରଖିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କଡ଼ା ମତ ଦେଇଛନ୍ତି। ଜନ୍ତରମନ୍ତରରେ ପ୍ରଦର୍ଶନ ସମ୍ପର୍କିତ ଏକ ମାମଲାର ଶୁଣାଣି ବେଳେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଗଣତାନ୍ତ୍ରିକ ବ୍ୟବସ୍ଥାରେ ପ୍ରତିବାଦ କରିବାର ଅଧିକାର ରହିଛି, କିନ୍ତୁ ଏହା ଦ୍ୱାରା ସାଧାରଣ ଲୋକଙ୍କ ଯାତାୟାତ ଓ ଜୀବିକା ପ୍ରଭାବିତ ହେବା ଉଚିତ ନୁହେଁ। ବିଶେଷକରି ଦିନ ମଜୁରିଆ, ଛୋଟ ବ୍ୟବସାୟୀ ଓ ସାଧାରଣ ନାଗରିକଙ୍କ ଉପରେ ଦୀର୍ଘସମୟର ଆନ୍ଦୋଳନର ପ୍ରଭାବକୁ ବିଚାର କରିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ଅକ୍ଟୋବରରେ ଦିଲ୍ଲୀରେ ହୋଇଥିବା ପ୍ରଦର୍ଶନକୁ ନେଇ ଦାଖଲ ଆବେଦନର ଶୁଣାଣି ସମୟରେ ଏହି ମତ ଆସିଛି। ଆବେଦନକାରୀଙ୍କ ଓକିଲ ଜନ୍ତରମନ୍ତରକୁ ପ୍ରଦର୍ଶନ ସ୍ଥଳ ତାଲିକାରୁ ବାଦ୍ ଦେବାକୁ ବିରୋଧ କରିଥିବା ବେଳେ ଏକ ବ୍ୟବସାୟୀ ସଂଗଠନ ପକ୍ଷରୁ ଦୀର୍ଘସମୟ ଧରି ଚାଲିଥିବା ଆନ୍ଦୋଳନ ଯୋଗୁଁ ବ୍ୟବସାୟ କ୍ଷତିଗ୍ରସ୍ତ ହେଉଥିବା ଯୁକ୍ତି ରଖାଯାଇଥିଲା। ପ୍ରଧାନ ବିଚାରପତି କହିଥିଲେ ଯେ, ପ୍ରଦର୍ଶନ ପାଇଁ ଗୋଟିଏ କିମ୍ବା ଦୁଇଟି ସ୍ଥାନ ନିର୍ଦ୍ଧାରଣ କରାଯାଇପାରେ, କିନ୍ତୁ ସେଠାରେ ସମସ୍ତ ଗୋଷ୍ଠୀଙ୍କୁ ପାଳିକରି ଆନ୍ଦୋଳନ କରିବାର ସୁଯୋଗ ମିଳିବା ଉଚିତ। କୌଣସି ଗୋଟିଏ ସଂଗଠନ ସେହି ସ୍ଥାନକୁ ନିଜ ଅଧୀନରେ ରଖି ଅନ୍ୟମାନଙ୍କୁ ପ୍ରତିବାଦ କରିବାରୁ ବଞ୍ଚିତ କରିପାରିବ ନାହିଁ। କୃଷକ, ଶ୍ରମିକ, ଟ୍ରେଡ୍ ୟୁନିଅନ୍ ଓ ବାସହୀନ ଲୋକମାନେ ନିଜ ଦାବି ନେଇ ଆନ୍ଦୋଳନ କରିବାକୁ ଚାହିଁଲେ ସେମାନେ କେଉଁଠି ଯିବେ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ। ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟା ଜୁଲାଇରେ ହୋଇଥିବା ଏକ ପ୍ରଦର୍ଶନର ଉଦାହରଣ ଦେଇ କହିଥିଲେ ଯେ, ଗୋଟିଏ ଦିନ ପାଇଁ ଅନୁମତି ମିଳିଥିବା ସତ୍ତ୍ୱେ ପ୍ରଦର୍ଶନକାରୀ ୧୭ ଦିନ ପର୍ଯ୍ୟନ୍ତ ସେଠାରେ ରହିଥିଲେ ଏବଂ ପରେ ବିନା ଅନୁମତିରେ ସଂସଦ ଆଡ଼କୁ ମାର୍ଚ୍ଚ କରିବାକୁ ଉଦ୍ୟମ କରିଥିଲେ। ତେଣୁ ପ୍ରଦର୍ଶନକାରୀଙ୍କ ଦାୟିତ୍ୱ ନିର୍ଦ୍ଧାରଣ ହେବା ଆବଶ୍ୟକ ବୋଲି ସେ ଯୁକ୍ତି ଦେଇଥିଲେ। ଅନ୍ୟପକ୍ଷରେ ବ୍ୟବସାୟୀ ସଂଗଠନ ପକ୍ଷରୁ ବରିଷ୍ଠ ଓକିଲ ମୁକୁଲ ରୋହତଗୀ କହିଥିଲେ ଯେ, ଏହି ଆନ୍ଦୋଳନ ଯୋଗୁଁ ବ୍ୟବସାୟରେ ପ୍ରାୟ ୨,୦୦୦ କୋଟି ଟଙ୍କାର କ୍ଷତି ହୋଇଛି। ପର୍ବପର୍ବାଣି ସମୟରେ ବଜାର ବନ୍ଦ ରହିବାରୁ ବ୍ୟବସାୟୀଙ୍କ ସହ ଟେମ୍ପୋ ଚାଳକ, ଶ୍ରମିକ ଓ ପରିବହନ କର୍ମଚାରୀଙ୍କ ରୋଜଗାର ମଧ୍ୟ ପ୍ରଭାବିତ ହୋଇଥିବା ସେ କହିଥିଲେ। ତେବେ ଖଣ୍ଡପୀଠର ଅନ୍ୟତମ ବିଚାରପତି ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ପ୍ରଶ୍ନ କରିଥିଲେ ଯେ, ବ୍ୟବସାୟରେ କ୍ଷତି ପାଇଁ କେବଳ ପ୍ରଦର୍ଶନକାରୀଙ୍କୁ କିପରି ଦାୟୀ କରାଯାଇପାରିବ? ପ୍ରଶାସନ ପକ୍ଷରୁ ଲଗାଯାଉଥିବା ବ୍ୟାରିକେଡ୍ ଓ ଦୋକାନ ବନ୍ଦ କରାଇବା ଭଳି ପଦକ୍ଷେପ ମଧ୍ୟ ବ୍ୟବସାୟ ହ୍ରାସର କାରଣ ହୋଇପାରେ ବୋଲି ସେ ମତ ଦେଇଥିଲେ। ନଭେମ୍ବର ୩ ତାରିଖର ଶୁଣାଣିରେ ମହିଳା ସାମ୍ବାଦିକଙ୍କ ସୁରକ୍ଷା, ପ୍ରଦର୍ଶନକାରୀଙ୍କ ପରିଚୟ ଚିହ୍ନଟ ପାଇଁ ଫେସିଆଲ୍ ରେକଗ୍ନିସନ୍ ଟେକ୍ନୋଲୋଜିର ବ୍ୟବହାର ଏବଂ ଆନ୍ଦୋଳନ ସମୟରେ ମେଟ୍ରୋ, ରାସ୍ତା ଓ ଇଣ୍ଟରନେଟ୍ ବନ୍ଦ କରିବା ଭଳି ପ୍ରସଙ୍ଗ ମଧ୍ୟ ଉଠିଥିଲା। ଖଣ୍ଡପୀଠ କହିଥିଲେ ଯେ, ମାମଲା ସମ୍ପର୍କିତ ଆବେଦନଗୁଡ଼ିକୁ ନଅଟି ବର୍ଗରେ ବିଭକ୍ତ କରାଯାଇଛି, ଯାହାଦ୍ୱାରା ପ୍ରତ୍ୟେକ ବିଷୟ ଉପରେ ପୃଥକ୍ ଭାବେ ଶୁଣାଣି କରାଯାଇପାରିବ। ଏହାସହ ଓକିଲମାନଙ୍କ ଯୁକ୍ତି ଉପସ୍ଥାପନର କ୍ରମ ମଧ୍ୟ ସ୍ଥିର କରାଯିବ। ସୁପ୍ରିମକୋର୍ଟ ପରିସରକୁ ବିରୋଧୀ ନେତାମାନଙ୍କ ଆଗମନ ସମୟରେ ସୃଷ୍ଟି ହୋଇଥିବା ପରିସ୍ଥିତି ଏବଂ ରାହୁଲ ଗାନ୍ଧୀଙ୍କ ଦ୍ୱାରା ଜଣେ ଗର୍ଭବତୀ ମହିଳା ସାମ୍ବାଦିକଙ୍କୁ ଧକ୍କା ଦିଆଯାଇଥିବା ଅଭିଯୋଗ ମଧ୍ୟ ଶୁଣାଣିରେ ଉଠିଥିଲା। ଏହି ପ୍ରସଙ୍ଗରେ ନଭେମ୍ବର ୨୩ରେ ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି। ଏଥିସହ ଆବେଦନକାରୀଙ୍କୁ ସମସ୍ତ ପ୍ରତିପକ୍ଷଙ୍କୁ ଆବେଦନର ନକଲ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି, ଯାହାଦ୍ୱାରା ସେମାନେ ନିଜ ପକ୍ଷ ରଖିପାରିବେ।

Leave A Reply

Your email address will not be published.