ସମ୍ବଲପୁରରେ ୨୧.୨୮ କୋଟି ଟଙ୍କାର ଟ୍ରମା କେନ୍ଦ୍ର ନିଖୋଜ,ଟାଉନ ଥାନାରେ ଅଭିଯୋଗ ।

0 199

ସମ୍ବଲପୁର,୦୨/୧୧: ସମ୍ୱଲପୁର ସହରରେ ଏକ ଅତି ବିଚିତ୍ର ତଥା ଚାଞ୍ଚଲ୍ୟକର ଘଟଣା ସମ୍ମୁଖକୁ ଆସିଛି । ସୋମବାର, ସମ୍ୱଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପ୍ରାୟ ₹୨୧.୨୮ କୋଟି ବ୍ୟୟରେ ନିର୍ମିତ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିବା ଆଧୁନିକ ଟ୍ରମା କେୟାର ସେଣ୍ଟର ‘ରହସ୍ୟଜନକ ନିଖୋଜ’ ସମ୍ପର୍କରେ ସମ୍ୱଲପୁର ଟାଉନ ଥାନାରେ ଏକ ଲିଖିତ ଅଭିନବ ଅଭିଯୋଗ ସ୍ଥାନୀୟ ଟାଉନ ଥାନାରେ କରାଯାଇଛି । ପ୍ରଗତିଶୀଳ ନାଗରିକ ମଞ୍ଚ ତରଫରୁ ପ୍ରୋଗ୍ରେସିଭ ସମ୍ବଲପୁର ଆବାହକ ସଞ୍ଜିତ ମହାନ୍ତି, ହିନ୍ଦ ମଜଦୁର ସଭାର ଉପ ସଭାପତି ଗୋକୁଳ ମେହେର, ସିଟୁ ର ବରିଷ୍ଠ ନେତା ଗଦାଧର କୂଅଁର, ସମାସେବୀ ମହମ୍ମଦ ସନାଉଲ୍ଲା, ଆଜି ଏହି ଅଭିନବ ଏଫଆଇଆର ଦେଇ ଘଟଣାର ତଦନ୍ତ ଦାବି କରିଛନ୍ତି । ଦିଆଯାଇଥିବା ଅଭିଯୋଗ ଅନୁଯାୟୀ, ଚଳିତ ବର୍ଷ ଜାନୁଆରୀ ୧୧ ତାରିଖରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏହି ବହୁମୁଖୀ ସ୍ୱାସ୍ଥ୍ୟ ପ୍ରକଳ୍ପର ଭବ୍ୟ ଉଦଘାଟନ କରାଯାଇଥିଲା । ଯାହାକି, ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କ ଜୀବନ ରକ୍ଷା ପାଇଁ ଏହା ଏକ ବଡ଼ ଆଶା ସଞ୍ଚାର କରିଥିଲା । ମାତ୍ର କିଛି ମାସ ବିତିଯାଇଥିଲେ ବି ସ୍ଥାନୀୟ ଲୋକେ ଏଠାରେ କୌଣସି ପ୍ରକୃତ ସେବା ପାଉନାହାନ୍ତି । ଅଭିଯୋଗକାରୀ ପ୍ରଶ୍ନ ଉଠାଇଛନ୍ତି ଯେ, ଏକ ଟ୍ରମା କେୟାର ସେଣ୍ଟର କେବଳ କୋଠାବାଡ଼ିରେ ଚଳେ ନାହିଁ । ଏଥି ପାଇଁ ୨୪୍ଠ୭ ଆନାସ୍ଥେସିଓଲୋଜିଷ୍ଟ, ମେଡିସିନ ବିଶେଷଜ୍ଞ, ଅର୍ଥୋପେଡିକ ସର୍ଜନ, ନର୍ସ ଓ ଟେକ୍ନିସିଆନଙ୍କ ଆବଶ୍ୟକତା ରହିଛି । କିନ୍ତୁ ଏହି ସବୁ ପ୍ରତିଶ୍ରୁତିବଦ୍ଧ ସେବା ଓ ମେଡିକାଲ କର୍ମଚାରୀ ମାନେ ମଧ୍ୟ ରହସ୍ୟଜନକ ଭାବେ ଗାୟବ ଅଛନ୍ତି । ପ୍ରାୟ ୨୧.୨୮ କୋଟିର ଜନତାଙ୍କ ପାଣ୍ଠିରେ ନିର୍ମିତ ଏହି ସ୍ୱାସ୍ଥ୍ୟ କେନ୍ଦ୍ରଟି କେବଳ ଏକ ଉତ୍ସବ ସର୍ବସ୍ୱ ଗଠନ ହୋଇ ରହିଯାଇଛି, ଯାହା ପ୍ରଶାସନିକ ଆନ୍ତରିକତା ଓ ଦାୟିତ୍ୱହୀନତାକୁ ଦର୍ଶାଉଛି । ଏଣୁ ଜାନୁଆରୀ ୧୧ ତାରିଖରେ ଉଦଘାଟିତ ହୋଇଥିବା ଟ୍ରମା କେୟାର ସେଣ୍ଟରଟି ପ୍ରକୃତରେ କେଉଁଠି ରହିଛି, ଏହାର ଡାକ୍ତର, କର୍ମଚାରୀ ଓ ଜୁରରୀକାଳୀନ ସେବା କାହିଁକି ଉପଲବ୍ଧ ନାହିଁ, କେହି ଏହାର କାର୍ଯ୍ୟକ୍ଷମାକୁ ଚୋରି କରି ନେଇଛି କି ଏବଂ ଏହା କେବଳ ଉଦଘାଟନୀ ଫଳକରେ ସୀମିତ ହୋଇ ରହିଯାଇଛି କି ବୋଲି ପ୍ରଶ୍ନ କରାଯାଇଛି । ଏଣୁ ଯଦି କିଛି ଚୋରି ହୋଇନାହିଁ, ତେବେ ପ୍ରଶାସନ ସମ୍ୱଲପୁରବାସୀଙ୍କୁ ଏହି ପ୍ରତିଶ୍ରୁତିବଦ୍ଧ ସ୍ୱାସ୍ଥ୍ୟ ସେବା ଖୋଜି ବାହାର କରିବାରେ ସାହାଯ୍ୟ କରୁ, କାରଣ ଏହା ଉପରେ ହଜାର ହଜାର ଲୋକଙ୍କ ଜୀବନ ମରଣ ନିର୍ଭର କରୁଛି ବୋଲି ଦାବିପତ୍ରରେ ଦର୍ଶା ଯାଇଛି । ଏହି ଅଭିଯୋଗପତ୍ର ଟାଉନ ଥାନାରେ ପ୍ରଦାନ ସମୟରେ ପ୍ରଗତିଶୀଳ ନାଗରିକ ମଞ୍ଚର ଗୋକୁଳ ମେହେର, ଗଦାଧର କୁଅଁର, ସାମ୍ୱାଦିକ ଶିବଶଙ୍କର ନନ୍ଦ, ପ୍ରିୟରଞ୍ଜନ ସାହୁ, ଚାଷୀ ନେତା ସରୋଜ ମହାନ୍ତି, ଶ୍ରମିକ ନେତା ଭି. ରାମ ରାଓ, ଲଳିତ ପଟ୍ଟନାୟକ, ଅରୁଣ କୁମାର ଖୁଣ୍ଟିଆ, ସାମ୍ୱାଦିକ ସରୋଜ ସାହୁ, ଶ୍ରମିକ ନେତା ମହେଶ୍ୱର ଷଣ୍ଢ, ଅଶୋକ ପଟେଲ, ମହେଶ ସାଇତା, ପ୍ରଶାନ୍ତ ଥାପା, ବାଲ୍ମୀକି ନାୟକ, ମହମ୍ମଦ ସନାୱାଲା, ଦେବଜ୍ୟୋତି ପଟ୍ଟନାୟକ, ସୁମିତ ପଟେଲ, ସ୍ୱାଧୀନ ପଣ୍ଡା, ଦୁଲାଲ ଚନ୍ଦ୍ର ରାୟ, ନିଖିଳ ବାବୁ, ପ୍ରଜ୍ୱଲ ଧରୁଆ, ବାଲ୍ମିକୀ ନାଏକ, ଅଶୋକ ପଟେଲ, ପ୍ରଭାତ ବେହେରା, ସ୍ପନ୍ଦନ କୁମାର ନନ୍ଦ, ସତ୍ୟମ ପୂଜାରୀ, ଭାସ୍କର ନାଏକ, ବିଜୟ କୁମାର ସାହୁ, ତପନ ସେଠଙ୍କ ସମେତ ବହୁ ସଚେତନ ନାଗରିକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.