ବ୍ରହ୍ମପୁର,୩୧/୧୦(ପିପିଟି): ବ୍ରହ୍ମପୁର ଦୁର୍ନୀତି ନିବାରଣ ଖଣ୍ଡ କାର୍ଯ୍ୟାଳୟ ତରଫରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬ ପାଳନ କରାଯାଇଛି । ଏଥିନିମନ୍ତେ ମହାନଗର ନିଗମ ସମ୍ମିଳନୀ କକ୍ଷରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଦକ୍ଷିଣାଞ୍ଚଳ ଆରକ୍ଷୀ ମହାନିର୍ଦ୍ଦେଶକ,ବ୍ରହ୍ମପୁର ଜୟ ନାରାୟଣ ପଙ୍କଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ “ପାରିବାରିକ ସଂସ୍କାର ପାଇଥିବା କେହି ଦୁର୍ନୀତି ପରାୟଣ ହେବେ ନାହିଁ ବୋଲି ଉଲ୍ଲେଖ କରିଥିଲେ । ଘରୋଇ କ୍ଷେତ୍ରର ସ୍ଵଳ୍ପ ଦରମା ପାଉଥିବା କର୍ମଚାରୀ ସହ ସରକାରୀ କର୍ମଚ଼ାରୀଙ୍କ ଦରମାର ତୁଳନାତ୍ମକ ବୃଦ୍ଧି ବିଷୟରେ ଉଲ୍ଲେଖ କରି ସମସ୍ତ ସରକାରୀ ସୁବିଧାସୁଯୋଗ ପାଉଥିବା ସରକାରୀ କର୍ମଚାରୀ ଦୁର୍ନୀତି କରିବା ଅକ୍ଷମଣୀୟ ବୋଲି ସେ କହିଥିଲେ । ଏହି କ୍ଷେତ୍ରରେ ଭିଜିଲାନ୍ସର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଆତ୍ମସଚେତନତା, ଜନସଚେତନତା ତଥା ଜନସହଯୋଗ ଦୁର୍ନୀତି ଦୂର କରିବ ବୋଲି ସେ କହିଥିଲେ ।” ମୁଖ୍ୟ ବକ୍ତା ଭାବେ ଖଲ୍ଲିକୋଟ୍ ଏକକ ବିଶ୍ଵବିଦ୍ୟାଳୟ ସ୍ନାତକ ପରିଷଦ ଅଧ୍ୟକ୍ଷା ଉଷା ରାଣୀ ରଥ ଆଭ୍ୟନ୍ତରୀଣ ଚେତନା ସହ ମାନସିକତାରେ ସାଧୁତା ବଜାୟ ରହିଲେ ଦୁର୍ନୀତି ମାନସିକତାର ଅଙ୍କୁରୋଦ୍ଗମ ଅସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ । ସତ୍ୟନିଷ୍ଠ ,ସଚ୍ଚୋଟ, ସମୟାନୁବର୍ତ୍ତୀ ହେବା ସହ କ୍ଷମତାର ଦୁରୁପଯୋଗ, ପକ୍ଷପାତରୁ ଦୂରେଇ ରହି କର୍ତ୍ତବ୍ୟ ସଂପାଦନ ଉପରେ ସେ ଗୁରୁତ୍ଵାରୋପ କରିଥିଲେ । ସମ୍ମାନିତ ଅତିଥି ବ୍ରହ୍ମପୁର ମହାନଗର ନିଗମର ଆୟୁକ୍ତ ସସ୍ୟା ରେଡ୍ଡି ଆବଶ୍ୟକତାକୁ ଯେତେ କମ୍ କରିବ ସେତେ ଶାନ୍ତି ମିଳିବ ବୋଲି ଉଲ୍ଲେଖ କରିଥିଲେ । ଗୋଟେ ମିଛକୁ ଲୁଚାଇବାକୁ ଯାଇ ବହୁ ମିଛର ପାପ ବୋଝ ମୁଣ୍ଡାଇବାକୁ ପଡିଥାଏ, ମାନସିକ ଶାନ୍ତି ବ୍ୟାହତ ହୋଇଥାଏ ବୋଲି ସେ ଉଲ୍ଲେଖ କରିଥିଲେ । ଉକ୍ତ ଆଲୋଚନାଚକ୍ରରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକର, ବ୍ରହ୍ମପୁର ଦୁର୍ନୀତି ନିବାରଣ ଆରକ୍ଷୀ ଅଧିକ୍ଷକ ପ୍ରଦୀପ କୁମାର ପ୍ରଧାନଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ । ବ୍ରହ୍ମପୁର ଦୁର୍ନୀତି ନିବାରଣ ଖଣ୍ଡ କାର୍ଯ୍ୟାଳୟର ଅତିରିକ୍ତ ଏସ୍.ପି. ସନ୍ଧ୍ୟାରାଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।